ବିଶ୍ୱ ସର୍ଜନାର ବିନ୍ଧାଣି ବିଶ୍ବକର୍ମା
ନେତାଜୀ ତାପସ କୁମାର ସାହୁ
ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ବାସ୍ତୁକଳା, ଶିଳ୍ପକଳା ଓ ଉଦ୍ୟୋଗର ଦେବତା ହେଉଛନ୍ତି ପ୍ରଭୁ ବିଶ୍ୱକର୍ମା । କିମ୍ବଦନ୍ତୀ ଅନୁସାରେ ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ପୌତ୍ର ହେଉଛନ୍ତି ବାସ୍ତୁଦେବ ଏବଂ ତାଙ୍କର ପତ୍ନୀ ଅଗ୍ନିରସିଙ୍କ ଗର୍ଭରୁ ଭଗବାନ ବିଶ୍ୱକର୍ମା ଜନ୍ମ ଗ୍ରହଣ କରିଥିଲେ। ଭଗବାନ ବିଶ୍ୱକର୍ମାଙ୍କର ପାଞ୍ଚଜଣ ପୁତ୍ର ମଧ୍ୟ ବିଭିନ୍ନ ଶିଳ୍ପ ବିଦ୍ୟାରେ ନିପୁଣତା ଅର୍ଜନ କରିଛନ୍ତି। ଲୌହ ସମ୍ବନ୍ଧୀୟ ନିର୍ମାଣ କ୍ଷେତ୍ରରେ ମନୁ, କାଷ୍ଠ ଶିଳ୍ପ କ୍ଷେତ୍ରରେ ମୟ, କଂସା ଓ ପିତ୍ତଳ ନିର୍ମାଣ କ୍ଷେତ୍ରରେ ତ୍ୱଷ୍ଟା, ପ୍ରସ୍ତର ଶିଳ୍ପ କ୍ଷେତ୍ରରେ ଶିଳ୍ପୀ ଏବଂ ସ୍ବର୍ଣ୍ଣ ଅଳଙ୍କାର ଆଦି ନିର୍ମାଣ କ୍ଷେତ୍ରରେ ଦେବଜ୍ଞ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ।
ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ଜୟନ୍ତୀ କନ୍ୟା ସଂକ୍ରାନ୍ତି ଦିନ ପାଳିତ ହୁଏ । ସେ ଚତୁର୍ଭୁଜ ଏବଂ ଉଭୟ ହାତୀ ଓ ହଂସ ତାଙ୍କର ବାହନ। ନିଜର ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ବାରା ଦେବତାମାନଙ୍କ ପାଇଁ ସ୍ବର୍ଗଲୋକ, ରାବଣର ସ୍ବର୍ଣ୍ଣମୟୀ ଲଙ୍କା, ଶ୍ରୀକୃଷ୍ଣଙ୍କର ଦ୍ବାରକା ନଗରୀ, ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ ନିର୍ମାଣ କରିଥିଲେ । ଅଧୁନା ହସ୍ତିନାପୁର ଉତ୍ତରପ୍ରଦେଶରେ ଥିବା ବେଳେ ଇନ୍ଦ୍ରପ୍ରସ୍ଥର ନାମ ବଦଳି ଦିଲ୍ଲୀ ହୋଇଛି । ଦେବ ଶିଳ୍ପୀ ଇନ୍ଦ୍ର ଭୁବନ, ଯମ ଭୁବନ, ବରୁଣ ଭୁବନ, କୁବେର ଭୁବନ, ପାଣ୍ଡବ ଭୁବନ, ଶିବ ଭୁବନ ନିର୍ମାଣ କରିଥିଲେ ।
ଦାନବ ବୃତ୍ରାସୁରର ଅତ୍ୟାଚାରରେ ତିନିପୁର ତ୍ରାହି ତ୍ରାହି ଡାକୁଥିବା ବେଳେ ତାର ବଧ ନିମନ୍ତେ ଦେବତାମାନଙ୍କ ରାଜା ଇନ୍ଦ୍ରଙ୍କ ପାଇଁ ମହର୍ଷି ଦଧୀଚିଙ୍କ ଅସ୍ଥିରୁ ବଜ୍ର ନିର୍ମାଣ କରିଥିଲେ, ଯାହାକି ପ୍ରହାର ଯୋଗୁଁ ବୃତ୍ରାସୁରର ଅନ୍ତ ଘଟିଥିଲା । ସେହିପରି ଅନ୍ୟ ଦେବଦେବୀଙ୍କ ଅସ୍ତ୍ରଶସ୍ତ୍ର ତଥା ଲଙ୍କାଧିପତି ରାବଣର ପୁଷ୍ପକ ବିମାନ ମଧ୍ୟ ନିର୍ମାଣ କରିଥିଲେ ପ୍ରଭୁ ବିଶ୍ୱକର୍ମା। ବୈଷୟିକ ବିଜ୍ଞାନର ଅନନ୍ୟ ନିଦର୍ଶନ ହେଉଛି ଶ୍ରୀରାମ ସେତୁ, ଯାହାକି ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ବାନର ସେନା ଦ୍ୱାରା ନିର୍ମାଣ କରାଯାଇଥିଲା। ବିଶ୍ୱକର୍ମାଙ୍କ ପୁତ୍ର ନଳ ଓ ଅଗ୍ନିଙ୍କ ପୁତ୍ର ନୀଳଙ୍କ ମିଳିତ କୌଶଳ ଦ୍ବାରା ଭାରତ ମହାସାଗର ମଧ୍ୟରେ ନିର୍ମାଣ ହୋଇଥିବା ଏହି ସେତୁର ଆଜିବି ଅନେକ ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଦ୍ବାପର ଯୁଗରେ ଶ୍ରୀକୃଷ୍ଣଙ୍କ ପ୍ରିୟ ବନ୍ଧୁ ଥିଲେ ସୁଦାମା, କିନ୍ତୁ ସେ ଖୁବ୍ ଗରିବ ଥିଲେ। ନିଜର ପ୍ରିୟ ବନ୍ଧୁ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଦ୍ବାରକା ଆସିଥିବାବେଳେ ସୁଦାମା ହାତରେ ଖୁଦ ଭଜା ଆଣିଥିଲେ, ଯାହାକି ଶ୍ରୀକୃଷ୍ଣଙ୍କର ଖୁବ୍ ପ୍ରିୟ ଥିଲା । ସେହି ଖୁଦ ଭଜାରେ ପ୍ରୀତ ହୋଇ ଗରିବର କଷଣ ମଧ୍ୟରେ ଜର୍ଜରିତ ହେଉଥିବା ସୁଦାମା ଓ ତାଙ୍କର ପରିବାରର ଦୁଃଖ ଲାଘବ ନିମନ୍ତେ ଶ୍ରୀକୃଷ୍ଣଙ୍କ ନିେର୍ଦଶ କ୍ରମେ ବିଶ୍ୱକର୍ମା ସୁଦାମାଙ୍କ ପାଇଁ ମଧ୍ୟ ଉଆସ ନିର୍ମାଣ କରିଥିଲେ ।
ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଦାରୁବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିର୍ମାଣ ମଧ୍ୟ ବିଶ୍ୱକର୍ମା କରିଥିଲେ । ଯେତେବେଳେ ବାଙ୍କୀ ମୁହାଣଠାରେ ଦାରୁ ଭାସି ଆସି ଲାଗିଥିଲା, ମହାରାଜ ଇନ୍ଦ୍ରଦ୍ୟୁମ୍ନ ସେହି ଦାରୁ ସଂଗ୍ରହ କରିଥିଲେ । କିନ୍ତୁ ଏହାକୁ କେଉଁ ରୂପ ଦିଆଯିବ ସେ କଥା ଉଭୟ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀ ଚିନ୍ତା କରୁଥିବା ବେଳେ ବୁଢ଼ା ବଢ଼େଇ ରୂପରେ ବିଶ୍ୱକର୍ମା ରାଜାଙ୍କର ସମ୍ମୁଖରେ ପ୍ରକଟ ହୋଇ ଏହାର ଦାୟିତ୍ୱ ନେଇଥିଲେ। ସର୍ତ୍ତ ରଖିଥିଲେ ସେ ନିଜେ ରୁଦ୍ଧଦ୍ବାର ମଧ୍ୟରେ ଉପବାସ ରହି ୨୧ ଦିନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କରିବେ, କିନ୍ତୁ ସେତେଦିନ ଯାଏ ଦ୍ବାର ଖୋଲିବେ ନାହିଁ । ରୁଦ୍ଧଦ୍ବାର ମଧ୍ୟରୁ ଠକ୍ ଠକ୍ ଶବ୍ଦ ସବୁଦିନ ଶୁଣାଯାଉ ଥିବାବେଳେ ଗୋଟେ ଦିନ ହଠାତ୍ କିଛି ଶବ୍ଦ ଶୁଣାଗଲା ନାହିଁ। ମହାରାଣୀ ଗୁଣ୍ଡିଚା ବ୍ୟତିବ୍ୟସ୍ତ ହୋଇ ପଡ଼ି ଭାବିଲେ ବୃଦ୍ଧ ବଢ଼େଇଙ୍କର କିଛି ଅସୁବିଧା ହୋଇଛି, ଯେଉଁଥିପାଇଁ କିଛି ଶବ୍ଦ ଶୁଣା ଯାଉ ନାହିଁ। ତେଣୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବିନୀତ ଅନୁରୋଧ କରିଥିଲେ ଦ୍ବାର ଫିଟାଇ ଦେଖିବା ପାଇଁ ଏବଂ ଦ୍ୱାର ଫିଟାଇବା ପରେ ଦେଖନ୍ତେ ସେତେବେଳକୁ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧାନ ହୋଇଯାଇଥିବା ବେଳେ ସାମନାରେ ଥିଲେ ଅଧାଗଢ଼ା ଦିଅଁ। ଏହା ଦେଖି ଉଭୟ ମହାରାଜ ଓ ମହାରାଣୀ ମ୍ରିୟମାଣ ହୋଇ ପଡିଥିଲେ। ସେ ସମୟରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏହି ରୂପରେ ପୂଜା କରିବା ପାଇଁ।
ସମାଜରୁ ଜାତି ଭେଦ ପ୍ରଥା ବିଲୋପ କରିବା ପାଇଁ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ ହୋଇଛି ଯେତେବେଳେ ମହାଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀଙ୍କ ଘରେ ବିରାଜମାନ କରି ତାଙ୍କୁ ଦର୍ଶନ ଦେଇ ଶ୍ରୀମନ୍ଦିର ଫେରିଥିଲେ ଏବଂ ବଳଭଦ୍ରଙ୍କ ନିେର୍ଦଶ କ୍ରମେ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ, ସେ ସମୟରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ତ୍ୟାଗ କରିଥିଲେ । ଏହି ସମୟରେ ସେ ବିଶ୍ୱକର୍ମାଙ୍କୁ ସ୍ମରଣ କରିଥିଲେ ଏବଂ ତାଙ୍କ ପାଇଁ ଏକ ଗୃହ ନିର୍ମାଣ ପାଇଁ କହିଥିଲେ। ବିଶ୍ୱକର୍ମା ସୁବର୍ଣ୍ଣ କାନ୍ଥ ସହ ହୀରା ନୀଳା ମୋତି ମାଣିକ ଯୁକ୍ତ ସୁଦୃଶ୍ୟ ଓ ସୁଉଚ୍ଚ ପ୍ରାସାଦ ମାଆ ଲକ୍ଷ୍ମୀଙ୍କ ପାଇଁ ନିର୍ମାଣ କରିଥିଲେ ।
ବାସ୍ତବରେ ସନାତନ ଧର୍ମ ଯାହାକି ବିଶ୍ବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ, ସେଠାରେ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ ଏହି ବାର୍ତ୍ତା ଦିଏ ପ୍ରତିଟି ଶିଳ୍ପ ପ୍ରତିଷ୍ଠାନଠୁ ନେଇ କଳାକୃତିର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ବିଶ୍ୱକର୍ମା। ଯାହାଙ୍କର ଆଶୀର୍ବାଦ ଯୋଗୁଁ ପୁରାତନ କାଳର ପ୍ରସ୍ତର ଯୁଗ, ଲୌହ ଯୁଗ, ତାମ୍ର ଯୁଗଠୁ ନେଇ ଆଜିର ଶିଳ୍ପୀକୁଳ ସମଗ୍ର ବିଶ୍ୱରେ ବିଭିନ୍ନ ଶୈଳୀରେ ପ୍ରତିଷ୍ଠାନ ନିର୍ମାଣ କାର୍ଯ୍ୟ ହେଉ ଅବା ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ନୂତନ ଗବେଷଣା ଓ କୀର୍ତ୍ତି ପ୍ରତିଷ୍ଠା ସମ୍ଭବପର ହୋଇ ପାରୁଛି ।
Comments are closed.