ଜାଣନ୍ତୁ ଅର୍ଶ ରୋଗର କାରଣ, ଲକ୍ଷଣ ଓ ଏହାର ଉପଚାର !

0

ଅର୍ଶ ରୋଗ ମଳଦ୍ୱାରରେ ଥିବା ମାଂସପେଶୀର ଦୁର୍ବଳତା, କୋଷ୍ଠକାଠିନ୍ୟ ଯୋଗୁ ହୋଇଥାଏ। ମଳଦ୍ୱାରରେ ଥିବା ପେରିଷ୍ଟୋନିୟମର ଶିରା ସଙ୍କୁଚିତ ହେବା ଦ୍ୱାରା ମଳଦ୍ୱାର ଦୁର୍ବଳ ହୋଇ ମାଂସଗୁଳି ବୃଦ୍ଧି ପାଏ। ମଳ କଠିନ ହେଲେ ଏହା ଫାଟି ରକ୍ତ ପଡେ।

ଏହା ଦୁଇପ୍ରକାର- ଅନ୍ତଃବଳୀ ଓ ବହିଃବଳୀ। ଆୟୁର୍ବେଦ ଶାସ୍ତ୍ରାନୁସାରେ ‘ଅର୍ଶଂସି ବହୁ ଦୁଃଖାନି, ବହୁ ବ୍ୟାଧି କରାନି ଚ।’ ଅର୍ଥାତ୍‍- ଅର୍ଶ ରୋଗ ହେଲେ ବହୁ କଷ୍ଟ ସହ ଅନେକ ରୋଗ ସୃଷ୍ଟି ହୁଏ। ଠିକ୍‍ ସମୟରେ ଚିକିତ୍ସା କରାଇଲେ ଯନ୍ତ୍ରଣା ଓ ରୋଗରୁ ରକ୍ଷା ପାଇପାରିବେ। ମଳଦ୍ୱାରକୁ ପ୍ରୋଟେସ୍କୋପି ଦ୍ୱାରା ପରୀକ୍ଷା କଲେ ଅର୍ଶ ଆକାର, କ୍ଷତ ଜଣାପଡ଼େ।

କାରଣ
– ଜନ୍ମରୁ କୋଷ୍ଠକାଠିନ୍ୟ ଲାଗିରହିବା।
– ମସଲା ଜାତୀୟ ତଥା ଖଟା ଆଚାର ଆଦି ଗରିଷ୍ଠ ଗୁରୁପାକ ଖାଦ୍ୟ ବହୁଳ ବ୍ୟବହାର।
– ନିଶାଦ୍ରବ୍ୟ ସେବନ।
– ବିଭିନ୍ନ ପ୍ରକାର ରୋଗ ଚପାଇବା (ସପ୍ରେସନ) ଦ୍ୱାରା ହୋଇଥାଏ।
– ବଂଶଗତ ରୋଗ ବା ପିତାମାତାଙ୍କ ଶରୀରରେ ଥିଲେ ଦେଖାଯାଏ।

ଲକ୍ଷଣ
– ଅର୍ଶରୋଗୀଙ୍କର ପ୍ରାୟତଃ କୋଷ୍ଠବଦ୍ଧତା ଥାଏ। କୋଷ୍ଠକାଠିନ୍ୟ ଯୋଗୁ ମଳଦ୍ୱାର ଫାଟି ରକ୍ତ ପଡ଼େ ଓ ଯନ୍ତ୍ରଣା କରେ। ମଳଦ୍ୱାର ଫୁଲି ବଳୀଗୁଡ଼ିକ ମୋଟା ହୋଇଯାଏ।
– ମଳଦ୍ୱାର ବହିଃ ନିର୍ଗମନ (ପ୍ରୋଲାପ୍ସ ଅଫ ଆନସ୍‍) କୋଷ୍ଠକାଠିନ୍ୟ ଯୋଗୁଁ ମଳର ବେଗ ଦୁର୍ବଳତା ହେତୁ କୁନ୍ଥାଇବାକୁ ପଡ଼େ। ମଳଦ୍ୱାର ଫୁଲି ପଦାକୁ ବାହାରିଆସି ଯନ୍ତ୍ରଣା ହୁଏ।
– ବହୁଦିନ ଧରି ମଳଦ୍ୱାରରୁ ରକ୍ତସ୍ରାବ ହେବା ଦ୍ୱାରା, ଶରୀର ଦୁର୍ବଳ ହୋଇ ରକ୍ତହୀନତା ଦେଖାଯାଏ। ମଳଦ୍ୱାର ସର୍ବଦା କୁଣ୍ଡାଇ ହୁଏ।

ଆନୁଷଙ୍ଗିକ ଚିକିତ୍ସା
– ରାତ୍ରି ଅନିଦ୍ରା ନହେବା ପ୍ରତି ଦୃଷ୍ଟି ଦେବେ।
ମଳଦ୍ୱାର ଫୁଲି ବିନ୍ଧା ହେଉଥିଲେ ବରଫ ଲଗାଇଲେ ଫୁଲା କମିବା ସହ ବିନ୍ଧା କମିଯାଏ।
– ମଳଦ୍ୱାରରୁ ଅର୍ଶ ଘଷିହୋଇ ଅଠାଳିଆ ସ୍ରାବ ବାହାରେ। ସେଥିରେ ହାମାମେଲିସ ଟିଞ୍ଚର ତୁଳାରେ ଲଗାଇଲେ କ୍ଷତ ଶୁଖିବା ସହ ସ୍ରାବ କମେ।
– ମସଲା, ଗରିଷ୍ଠ ଖାଦ୍ୟ, ମଦ, ନିଶାଦ୍ରବ୍ୟାଦି ବ୍ୟବହାର କରିବେ ନାହିଁ।
– ରକ୍ତ ପଡ଼ିଲେ ବିଶ୍ରାମ ନେବେ।

Leave A Reply