ଗିରଫ ବନ କର୍ମଚାରୀ ଓ ଶିକାରୀ ଅଦାଲତ ଚାଲାଣ

ବଡମ୍ବାରେ ହାତୀ କଙ୍କାଳ ମିଳିବା ଓ ନରସିଂହପୁରରେ ଗୁଳିମାଡରେ ହାତୀମୃତ୍ୟୁ ମାମଲା

ଆଠଗଡ :  ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳରେ ୩ଟି ପୋତା ହୋଇଥିବା ହାତୀ କଙ୍କାଳ ମିଳିବା ଓ ନରସିଂହପୁରରେ ଏକ ଦନ୍ତାହାତୀ ଶିକାରୀ ଗୁଳିରେ ଆହତ ହୋଇ ମୃତ୍ୟୁବରଣ ଘଟିବା ଘଟଣାରେ ୩ଜଣ ବନ କର୍ମଚାରୀ ଓ ୩ଜଣ ଶିକାରୀଙ୍କୁ ଆଠଗଡ ବନବିଭାଗ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଥିବା ଜଣାପଡିଛି । ରାଜ୍ୟରେ ଏହି ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବାବେଳେ ପରିବେଶବିତ୍‍ଙ୍କୁ ବ୍ୟଥିତ କରିଛି। ବଡମ୍ବାରେ ଏସଟିଏଫ ଦ୍ୱାରା ୨ଟି ଦନ୍ତା ଓ ଗୋଟିଏ ମାଇ ହାତୀକୁ ମିଶାଇ ୩ଟି ହାତୀ କଙ୍କାଳ ଜୁନ ୨ ତାରିଖରୁ ୧୪ ତାରିଖ ମଧ୍ୟରେ ଉଦ୍ଧାର କରାଯାଇଥିଲା। ଏହି ସବୁ ଘଟଣା ପରେ ଏବେ ଆଠଗଡ ବନଖଣ୍ଡ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବଡମ୍ବା ହାତୀ କଙ୍କାଳ ମିଳିବା ଘଟଣାରେ ପୂର୍ବରୁ ବନାଞ୍ଚଳ ଅଧିକାରୀଙ୍କ ସମେତ ୨ଜଣ ବନପାଳ ଓ ଜଣେ ବନରକ୍ଷୀ ନିଳମ୍ବିତ ହୋଇଥିବାବେଳେ ଜଣେ ବନରକ୍ଷୀ, ୩ଜଣ ହାତୀ ଜଗୁଆଳି ଓ ୨ଜଣ ଜମିମାଲିକ ଗିରଫ ହୋଇଥିବାବେଳେ ୨ଜଣ ବନପାଳ ପ୍ରଦୀପ କୁମାର ପରିଡା ଓ ମନୋଜ କୁମାର ଦାସ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଆଠଗଡ ବନବିଭାଗ ରବିବାର ନିଳମ୍ବିତ ବନରକ୍ଷୀ ପ୍ରଭାତ କୁମାର ପ୍ରଧାନଙ୍କୁ ପଚରାଉଚୁରା ପରେ ଗିରଫ କରାଯାଇଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଧବ ପ୍ରକାଶ କରିଛନ୍ତି। ତାଙ୍କୁ ସୋମବାର ଅଦାଲତ ଚାଲାଣ କରାଯାଇଛି। ଏହି ଘଟଣାରେ ପୂର୍ବରୁ ସଂପୃକ୍ତ ୨ଜଣ ହାତୀ ଜଗୁଆଳି ଖାରୋଡ ଗ୍ରାମର ବ୍ରଜ ବେହେରା ଓ ମାଳତୀପୁରର ଅଶୋକ ବେହେରାଙ୍କୁ ଗିରଫ କରାଯାଇଥିଲା।
ସେହିପରି ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାହାତୀକୁ ଠାବ କରାଯାଇଥିଲା। ବିଳମ୍ବରେ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ପ୍ରାୟ ୮ ଦିନ ଚିକିତ୍ସା ପରେ ଗତ ୧୪ତାରିଖରେ ଉକ୍ତ ଦନ୍ତା ଆଖି ବୁଜିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବାବେଳେ ଅନ୍ୟ ୩ଜଣ ସହଯୋଗୀ ଶିକାରୀ ନରସିଂହପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ସୂର୍ଯ୍ୟମଣି ନାୟକ(୪୨), ନୂଆଭୂଇଁ ଗ୍ରାମର ଗଙ୍ଗାଧର ନାୟକ (୬୨) ଏବଂ ଅନନ୍ତପ୍ରସାଦ ଗ୍ରାମର ଦିବାକର ସାହୁ (୩୫)ଙ୍କୁ ଗିରଫ କରାଯାଇ ସୋମବାର ଅଦାଲତ ଚାଲାଣ କରାଯାଇଛି। ଫେରାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସର ସହାୟତା ନିଆଯାଇଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଧବଙ୍କ ସୁତ୍ରରୁ ପ୍ରକାଶ।

kalyan agarbati

Comments are closed.