ବୈତରଣୀ ନଦୀକୁ ଭୁଷୁଡି ପଡିଥିବା ଜାତୀୟ ରାଜପଥର ମରାମତି ଆରମ୍ଭ
ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡକ ଓ ଷାଠିବାଙ୍କୁଡା ମଧ୍ୟରେ ଥିବା ବୈତରଣୀ ନଦୀର ପୂର୍ବ ପାର୍ଶ୍ବସ୍ଥ ୨୦ନଂ ଜାତୀୟ ରାଜପଥର ଦୀର୍ଘ ୪ ମାସତଳେ ପ୍ରାୟ ୩ଶହ ଫୁଟର ରାସ୍ତା ବୈତରଣୀ ମଧ୍ୟକୁ ଢଳି ପଡିବା ଫଳରେ ଯାତାୟତରେ ବାଧା ଉପୁଜିଥିଲା। ଏପରି ଘଟଣା ସର୍ମ୍ପକରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏବେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପୂର୍ବ ବନ୍ୟା ସମୟରେ ଉକ୍ତ ଭାଗର କିଛି ଅଂଶ ବୈତରଣୀ ନଦୀକୁ ଭୁଷୁଡି ପଡିଥିଲା। ଏହି ରାସ୍ତାର ବାରମ୍ବାର ନିର୍ମାଣ କରାଯାଇଥିଲେ ମଧ୍ୟ ଠିକାଦାରଙ୍କ ମନମୁଖି କାର୍ଯ୍ୟଯୋଗୁଁ ରାସ୍ତାଫାଟି ନଦୀମଧ୍ୟକୁ ଢଳିବାରେ ଲାଗିଛି। ଫଳରେ ନଦୀକୂଳରେ ବସବାସ କରୁଥିବା ୨ଟି ଗାଁର ଲୋକ ନାନା ଦୁର୍ଦଶା ଭୋଗୁଥିବା ବେଳେ ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣି-ଯାଜପୁର ମଧ୍ୟରେ ମାସମାସ ଧରି ଯୋଗାଯୋଗ ବିଛିନ୍ନ ହୋଇ ରହୁଛି। ଏବେ ଅଚାନକ ସ୍ଥାନୀୟ ଅଞ୍ଚଳର ଜଣେ ସରପଞ୍ଚଙ୍କୁ ଉକ୍ତ ରାସ୍ତାର ମରାମତି ଓ ନୂତନ ରାସ୍ତା ନିର୍ମାଣ ପାଇଁ କିପରି ଦିଆଗଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିବା ସହ ଏକ ଅଭିଯୋଗ ପତ୍ର ଏନ.ଏଚ ବିଭାଗକୁ ପଠାଇଥିବା ପ୍ରକାଶ କରିଛନ୍ତି। ଏବେ ପୁଣି ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତି କାମ କରୁଥିବା ଦେଖି ସ୍ଥାନୀୟ ଷାଠିବାଙ୍କୁଡା ଓ ବୋଡକ ଲୋକେ ବିରୋଧ କରିବା ସହ ରାସ୍ତାର ସ୍ଥାୟୀତ୍ୱ ନେଇ ବିଭାଗୀୟ ଅଧକାରୀଙ୍କ ନିକଟକୁ ପୋଷ୍ଟ ମାଧ୍ୟମରେ ଅଭିଯୋଗ ପତ୍ର ପଠାଇଛନ୍ତି। ବିଶେଷ କରି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱାବଧାନରେ କାମ ହେବାର ନିୟମ ଥିଲାବେଳେ ବିଭାଗର କନିଷ୍ଠ ଯନ୍ତ୍ରୀ କିମ୍ବା ଏସ.ଡି.ଓ. ଉପସ୍ଥିତ ନରହିବା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ପୂର୍ବ କାମ ଠିକଭାବେ କରିନଥିବା ସରପଞ୍ଚଙ୍କୁ କିପରି ପୁର୍ନବାର କାମ ଦିଆଗଲା ସେଥି ନେଇ ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି। ଏତତବ୍ୟତିତ ସେଠାରେ ବାରମ୍ବାର ରାସ୍ତା ଧସୁଥିବାର କାରଣ ନଖୋଜି ଏକ୍ସପର୍ଟ ଟିମ ଯୋଗାଇ ନଦେଇ ବିଭାଗ ମନୋମୂଖୀ ଅନୀୟମିତା ଭାବେ କାର୍ଯ୍ୟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏବିଷୟରେ ଏନ.ଏଚ ବିଭାଗର ଉଚ୍ଚ ପ୍ରଦାଧିକାରୀ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
Comments are closed.