ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ସରିଲା ଦେବ ନିମନ୍ତ୍ରଣ: ଆଜି ମଙ୍ଗନ; କାଲି ବାହାଘର
ରଙ୍ଗିନ ଆଲୋକମାଳାରେ ଝଲସୁଛି ପୀଠ
ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବ ବିବାହ ଉତ୍ସବ ପାଇଁ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଗତ ଗୁରୁବାର ଠାରୁ ଦେବ ନିମନ୍ତ୍ରଣ ନିମନ୍ତେ ବାହାରିଥିବା ରଥ ସୋମବାର ପୀଠରେ ପହଞ୍ଚିଛି। ଏହାସହ ପୀଠ ସମେତ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଦେବାଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଓ ମଙ୍ଗୁଳା ଗୁଆ ବଣ୍ଟନ କରାଯାଇଛି।
ମଙ୍ଗଳବାର ଦେବଦମ୍ପତ୍ତିଙ୍କର ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବା ସହ ଆସନ୍ତା ବୁଧବାର ବିବାହ ମଣ୍ଡପରେ ଅନୁଷ୍ଠିତ ହେବ ଦେବଦମ୍ପତ୍ତିଙ୍କ ଶୁଭ ପରିଣୟ। ଏହି ବିବାହ ଉତ୍ସବରେ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ବିଭିନ୍ନ ସାଂସ୍କୃତିକ ବାଦ୍ୟକାରଙ୍କ ସହ ନୃତ୍ୟଶିଳ୍ପୀ ଯୋଗ ଦେବେ।
ଏଥିପାଇଁ ପୀଠରେ ସରିଛି ସମସ୍ତ ପ୍ରସ୍ତୁତି। ବିଶେଷକରି ଭଦ୍ରକ ପୀରାହାଟର ପ୍ରଦେଶ ସେବା ସଂଘଠନ ସହେଯାଗରେ ଚିତ୍ରକାର ସେବାକାରୀଙ୍କ ପକ୍ଷରୁ ରଙ୍ଗକାର୍ଯ୍ୟ ଓ ମାଙ୍ଗଳିକ ଲିଖନୀ ସରିଥିବା ବେଳେ ତୋରଣ ନିର୍ମାଣ, ଆଲୋକ ସଜ୍ଜା ଆଦି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୀଠ ରଙ୍ଗିନ ଆଲୋକମାଳାରେ ଝଲସି ଉଠିବା ସହ ବାଜାବାଣ ରୋଷଣୀରେ ପ୍ରକମ୍ପିତ ହେବ।
ଏହି ବିବାହ ଉତ୍ସବ ଦେଖିବା ପାଇଁ ପୀଠକୁ ଏବେଠାରୁ ଭକ୍ତମାନଙ୍କର ଆଗମନ ହେବାରେ ଲାଗିଛି। ଅନ୍ୟପଟେ ମଙ୍ଗଳକୃତ୍ୟ ନୀତି ନିମନ୍ତେ ମଙ୍ଗଳବାର ଭୋର ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ସକାଳ ନୀତିକାନ୍ତି ୧୦ଟା ସୁଧା ସରିବା ପରେ ବରପିତା ପ୍ରମୋଦ ପାଢୀ ଓ କନ୍ୟାପିତା ଗଦା ପାଢୀ ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୈାରିଙ୍କୁ ନିଜ ନିଜର ବାସଭବନକୁ ବିଜେ କରାଇବେ।
ସେଠାରେ ବୈଦିକ ରୀତିନିତି ଓ ଲୋକା ଚାରରେ ମହିଳା ସେବାକାରିଙ୍କ ଦ୍ୱାରା ମଙ୍ଗଳକୃତ୍ୟ ନୀତିକାନ୍ତି ସମାପନ କରାଯିବ ବୋଲି ଉଭୟ ,ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରକାଶ ପାଇଛି।
Comments are closed.