ନୂଆଦିଲ୍ଲୀ : ସିବିଆଇର ନିୟମିତ ନିେର୍ଦଶକ କାହିଁକି ଏତେଦିନ ଧରି ନିଯୁକ୍ତ ହୋଇ ନାହାନ୍ତି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବିଚାରପତି ଅରୁଣ ମିଶ୍ର ଓ ନବୀନ ସିହ୍ନାଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ଏତେ ଦିନ ଧରି ଜଣେ କାର୍ଯ୍ୟକାରୀ ନିର୍ଦେଶକଙ୍କ ହାତରେ ସଂସ୍ଥାର ପରିଚାଳନା ଦାୟିତ୍ବ ପ୍ରଦାନ କରିବା ଅନୁଚିତ। ସିବିଆଇ ନିର୍ଦେଶକ ପଦ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସରକାର କାଳ ବିଳମ୍ବ ନ କରି ସାନି ନିଯୁକ୍ତି ଦେବା ଉଚିତ। ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ କହିଛନ୍ତି ଯେ ସରକାର ନୂଆ ନିର୍ଦେଶକ ନିଯୁକ୍ତି ନେଇ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଡକାଇଛନ୍ତି ଏବଂ ଶୀଘ୍ର ଏ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ପୁନଶ୍ଚ ନାଗେଶ୍ବର ରାଓଙ୍କୁ କାର୍ଯ୍ୟକାରୀ ନିର୍ଦେଶକ କରିବା ପାଇଁ ସରକାର ଏହି କମିଟିର ଅନୁମତି ନେଇଛନ୍ତି। ବେଣୁଗୋପାଳଙ୍କ ଜବାବ ପରେ ରାଓଙ୍କ ନିଯୁକ୍ତି ବିରୋଧରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କମନ୍ କଜ୍’ ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ପୀଠ ଆସନ୍ତା ୬ତାରିଖକୁ ଧାର୍ଯ୍ୟ କରିଛନ୍ତି।
Popular Categories



