ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ପାଇଁ କେନ୍ଦ୍ର ସରକାରଙ୍କୁ ବିରୋଧୀମାନେ ଘେରି ରହିଛନ୍ତି। ବିଲ୍ ଆଇନରେ ପରିଣତ ହେବା ଦିନଠାରୁ ଦେଶବ୍ୟାପୀ ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ଜାରି ରହିଛି। ତେବେ ଉତ୍ତରପ୍ରଦେଶରେ ବିଗତ ଦିନରେ ସୃଷ୍ଟି ହୋଇଥିବା ହିଂସା ପଛରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ସୃଷ୍ଟି ହୋଇଥିବା ହିଂସା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫଆଇ) ଦ୍ବାରା ପ୍ରାୟୋଜିତ ବୋଲି ଜଣାପଡ଼ିଛି। ସିଏଏ ବିରୋଧୀ ହିଂସା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହିଂସା ସହିତ ପିଏଫଆଇର ସିଧାସଳଖ ସମ୍ପର୍କ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏହାର ତଦନ୍ତରୁ ଜାଣିବାକୁ ପାଇଛି।
ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଡିସେମ୍ବରରେ ସଂସଦରେ ସିଏଏକୁ ଅନୁମୋଦନ ମିଳିବା ପରେ ପରେ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ଯଥା ବିଜନୌର, ହାପୁର, ବହରାଇଚ, ଶାମଲି, ଦାସନା ଆଦି ଅଞ୍ଚଳ କିଛି ଅକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଅଞ୍ଚଳରେ ହିଂସା ସୃଷ୍ଟି ହୋଇଥିଲା। ହିଂସା ସୃଷ୍ଟି କରାଇବା ଲାଗି ପିଏଫଆଇକୁ ଏହି ଟଙ୍କା ପଠାଯାଇଥିଲା। ରିପୋର୍ଟ ଅନୁସାରେ ହିଂସା ଏବଂ ବିକ୍ଷୋଭ ଲାଗି ୭୩ଟି ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୧୨୦ ଟଙ୍କା ପଠାଯାଇଥିବା ଜଣାପଡ଼ିଛି। ଏହା ସହିତ କାଶ୍ମୀର ପିଏଫଆଇକୁ ୧ କୋଟି ୬୫ ଲକ୍ଷ ଟଙ୍କା ମିଳିଛି। ଏ ସମ୍ପର୍କରେ ଇଡି ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରାଯାଇଛି।



