Patra electronics

କୋଟିଆର ୩ ଗାଁରେ ଆନ୍ଧ୍ରର ଦାଦାଗିରି, ନାମ ବଦଳାଇ କରୁଛି ନିର୍ବାଚନ

ଜୟପୁର: କୋରାପୁଟ ଜିଲାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଅନେକ ସମୟରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଦାଦାଗିରି ଦେଖାଇଆସିଛି। ଏନେଇ ଦଶକ ଦଶକ ତଳୁ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ଗଡୁଛି। କୋଟିଆ ଗ୍ରାମପୁଞ୍ଜର ସାମଗ୍ରିକ ବିକାଶ ଲାଗି ଓଡ଼ିଶା ସରକାର ନିକଟରେ ବହୁବିଧ କାର୍ୟ୍ୟକ୍ରମ ହାତକୁ ନେଇଥିବାବେଳେ ପୁଣିଥରେ ଓଡ଼ିଶା ଲାଗି ପଡୋଶୀ ଆହ୍ବାନ ସୃଷ୍ଟି କରିଛି। କୋଟିଆ ଗ୍ରାମପୁଞ୍ଜର କେତେକ ଗ୍ରାମର ବିକାଶମୂଳକ କାର୍ୟ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ପରେ ଲୋକାର୍ପଣ କରିବାକୁ ଯାଉଥିବା ବେଳେ କୋଟିଆର ୩ଟି ଗାଁରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ଏବେ ସବୁ ସୀମା ପାର କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁ ସିନେରୀ ଭଳି ୩ଟି ଗାଁକୁ ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ନିଜ ଦଖଲକୁ ନେଇଥିବା ଜଣାପଡିଛି। ଏହି ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ପ୍ରଶାସନ କେବଳ ଅକ୍ତିଆରକୁ ନେଇନି; ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ବି ଏଇ ୩ଟି ଗାଁରେ ଆରମ୍ଭ କରିଦେଇଛି। ଏଇ ତିନିଟି ଗାଁର ଓଡ଼ିଆ ନାଁକୁ ବଦଳାଇ ମଧ୍ୟ ଦେଇଛି।

ସୂଚନାନୁଯାୟୀ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଏ ତିନି ଗାଁର ନାମକୁ ଆନ୍ଧ୍ରପ୍ରଦେଶ ପ୍ରଶାସନ ବଦଳାଇ ଦେଇଛି। ସାଲୁର ବ୍ଲକରେ ସାମିଲ କରିଥିବା ଏହି ୩ଟି ଗାଁକୁ ଗଞ୍ଜାଇବାଦରା, ପଟ୍ଟୁଚେନ୍ନୁରୁ ଓ ପଗୁଲୁଚେନ୍ନୁରୁ ପଞ୍ଚାୟତ ଭାବେ ନାମକରଣ କରି ଏଠି ନିର୍ବାଚନ ପ୍ରକ୍ରିୟା ଚଳାଇଛି। ଏମିତିକି ଏ ତିନି ଗାଁରେ ଭୋଟ୍ ଲାଗି କିଛି ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଥିବା ଜଣାପଡିଛି।

ଆସନ୍ତା ୧୩ ଓ ୧୭ରେ ଏଠାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏହି ୩ ଗାଁ (ତଳ ଗଞ୍ଜେଇପଦର, ପଟୁ ସିନେରୀ, ଫଗୁସିନେରୀ) ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜ ଅଧୀନରେ ରହିଛି। ମାତ୍ର ଓଡ଼ିଶା ପ୍ରସାନର ନୀରବତା ଓ ଉଦାସୀନତା ଯୋଗୁଁ ଆନ୍ଧ୍ରପ୍ରଦେଶ କୋଟିଆର ଏଇ ୩ ଗାଁକୁ ନିଜ ନିର୍ବାଚନରେ ଯୋଡ଼ିଛି।

କୋଟିଆର ପୂର୍ବତନ ସରପଞ୍ଚ କାମେଶ ଗେମେଲଙ୍କ କହିବାନୁଯାୟୀ, ଦୁଇଟି ପର୍ୟ୍ୟାୟରେ ଆନ୍ଧ୍ର ପ୍ରଶାସନ ଏଠାରେ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି। ଆସନ୍ତା ୧୩ ଓ ୧୭ରେ ନିର୍ବାଚନ ହେବ। ମନୋନୟନପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ କୁରୁକୁଟ୍ଟି ରିଟର୍ଣ୍ଣି ଅଫିସର ଏମ. ନାଗେଶ୍ବର ରାଓ କହିଛନ୍ତି ଯେ, ୨ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଏହା ୪ ତାରିଖ ପର୍ୟ୍ୟନ୍ତ ଚାଲିବ। ଗଞ୍ଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁରେ ୧୩ ଓ ୧୭ରେ ମତଦାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପଟ୍ଟାଙ୍ଗି ତହସିଲଦାରଙ୍କୁ ଏସଂପର୍କରେ ପଚାରିବାରୁ ତାଙ୍କ ନିକଟରେ ଏଭଳି କୌଣସି ସୂଚନା ନ ଥିବା ସେ ପ୍ରତିକ୍ରିୟାରେ କହିଛନ୍ତି।

ଆନ୍ଧ୍ର ସରକାର ଓଡ଼ିଶାର ଅଧିନରେ ଥିବା କୋଟିଆ ଉପରେ ଯେଉଁ ନିର୍ବାଚନ କରୁଛନ୍ତି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆନ୍ଧ୍ର ଯଦି କୋଟିଆରେ ନିର୍ବାଚନ କରିବ, ଏହାଠୁ ନିନ୍ଦନୀୟ ଘଟଣା ଆଉ କିଛି ନାହିଁ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ତରଫରୁ ସରପଞ୍ଚ, ୱାର୍ଡମେମ୍ବର ଓ ଜିଲା ପରିଷଦ ମନୋନୀତ କରାଯାଇଥିଲା; କିନ୍ତୁ ଏବର୍ଷ ସେହିଠାରେ ବୁଥ୍‌ ପୋଲିଂ ଓ ନାମାଙ୍କନ ପ୍ରକ୍ରିୟା ଆନ୍ଧ୍ର ସରକାର ଆରମ୍ଭ କରିଦେଲେଣି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାର ଏଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଜେପି ନେତା ଜୟରାମ ପାଙ୍ଗୀ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ପଟାଙ୍ଗୀ ବିଧାୟକ ପ୍ରୀତମ୍ ପାଢ଼ିି କହିଛନ୍ତି ଯେ, କୋଟିଆ ଆନ୍ଧ୍ରର ବୋଲି ଯେଉଁ ଡିଣ୍ଡିମ ପିଟୁଛି, ତାହା ଅବାସ୍ତବ। ଯେଉଁଠି ନିର୍ବାଚନ କରୁଛନ୍ତି, ସେଠି ସରପଞ୍ଚ ଅଫିସ୍‌ ପାଇଁ ଟିଣ ଘରଟିଏ ନାହିଁ। ୧୫୦ କୋଟିର ପ୍ରକଳ୍ପ ଘୋଷଣାକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠି ବାସ୍ତବ ରୂପ ଦେଇଛନ୍ତି। କୋରାପୁଟର ସୁଦୂର ଆଦିବାସୀ ଇଲାକା କୋଟିଆରେ ପ୍ରଶାସନିକ ଦୃଷ୍ଟି ପଡୁ ନଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ସେଠାରେ କିଛି ଉନ୍ନୟନମୂଳକ କାର୍ୟ୍ୟ ରାଜ୍ୟ ସରକାର କରିଛନ୍ତି। ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାକୁ ଯାଉଥିବାବେଳେ ତା ପୂର୍ବରୁ ତିନି ଗାଁକୁ କବଜାକୁ ନେଇ ଆନ୍ଧ୍ର ଏକପ୍ରକାର ଆହ୍ବାନ ସୃଷ୍ଟି କରିଛି।

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, ବିଶେଷକରି କୋଟିଆ କାହାର, ତାହା ଏବେ ବି ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ହେଲେ ଏପଟେ କିନ୍ତୁ ଆନ୍ଧ୍ରର ଏ ମନମାନୀ ଓ ଦାଦାଗିରିକୁ ନେଇ କୋରାପୁଟ ଜିଲା ପ୍ରଶାସନ ନିକଟରେ ଖବର ନଥିବାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରୁନାହାନ୍ତି।

Comments are closed.