ପାକିସ୍ତାନ ନିର୍ବାଚନ ପୋଷ୍ଟର୍ରେ ମାଧୁରୀ ଓ ଅମିତାଭ୍
କରାଚି : ପାକିସ୍ତାନର କୌଣସି ନିର୍ବାଚନ ସମୟରେ ଭାରତ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଥାଏ। ନିର୍ବାଚନରେ ଜିତିବା ପାଇଁ ସେଠାକାର ଲୋକେ ଏହିସବୁ ପୋଷ୍ଟରର ସାହାରା ନେଇଥାଆନ୍ତି। ହେଲେ ଏହି ବର୍ଷ ପାକିସ୍ତାନ ନିର୍ବାଚନରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ ବଲିଉଡ଼ ତାରକାଙ୍କ ସାହାରା ନିଆଯାଇଛି।
କିଛିଦିନ ହେବ ପାକିସ୍ତାନର ଏକ ରାଜନୈତିକ ଦଳ ପାକିସ୍ତାନ ତହରିକ-ଏ-ଇନ୍ସାଫ୍(ପିଟିଆଇ) ପ୍ରାର୍ଥୀଙ୍କର ଏକ ପୋଷ୍ଟର୍ ସାମାଜିକ ଗଣମାଧ୍ୟମ୍ରେ ପ୍ରଘଟ ହେବାରେ ଲାଗିଛି। ଏହି ପୋଷ୍ଟର୍ରେ ଅମିତାଭ ବଚ୍ଚନ୍ ଓ ମାଧୁରୀ ଦିକ୍ଷୀତ୍ଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଛି। ଏହାକୁ ପ୍ରଥମେ ଟ୍ୱିଟରରେ ଦେଖିବାକୁ ମିଳିଥିଲା। ଏହି ପୋଷ୍ଟର୍ ଦେଖି ସମସ୍ତ ଟ୍ୱିଟର୍ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହେବା ସହ ସେମାନଙ୍କ ମନରେ ବହୁ ପ୍ରଶ୍ନ ମଧ୍ୟ ଉଙ୍କି ମାରିଛି। ବାସ୍ତବରେ ପାକିସ୍ତାନ ନିର୍ବାଚନ ପୋଷ୍ଟର୍ରେ ଏହି ଦୁଇ ପ୍ରସିଦ୍ଧ ବଲିଉଡ଼୍ ତାରକାଙ୍କ ଫୋଟ କାହିଁକି ଲାଗିଛି? ଏହାର ସଠିକ୍ ଉତ୍ତର ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଜଣେ ଟ୍ୱିଟର୍ ବ୍ୟବହାରକାରୀ ମାଧୁରୀ ଓ ଅମିତାଭଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘କ’ଣ ଆପଣ ପିଟିଆଇ ସହ ସାମିଲ ହୋଇ କାମ କରୁଛନ୍ତି।’ ସେହିଭଳି ଅନ୍ୟଜଣେ ଲେଖିଛନ୍ତି, ‘ଅମିତାଭ ବଚ୍ଚନ ଓ ମାଧୁରୀ ଦିକ୍ଷୀତ୍ ପାକିସ୍ତାନ ନିର୍ବାଚନକୁ ଆମୋଦଜନକ କରି ଦେଇଛନ୍ତି।’ ଆଉଜଣେ ବ୍ୟବହାରକାରୀ କହିଛନ୍ତି, ‘ନିର୍ବାଚନକୁ ଚିତ୍ତାକର୍ଷକ କରିବା ପାଇଁ ପଡ଼ୋଶୀ ଏକ କୌତୁହଳପୂର୍ଣ୍ଣ କୌଶଳ ଆପଣେଇ ନେଇଛି।’ ଏହିପରି ଆହୁରି ଅନେକ ମତ ପ୍ରକାଶ କରିଛନ୍ତି।