ଅମିତାଭଙ୍କୁ ସ୍ୱଳ୍ପ ଶିକ୍ଷିତ କହିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ଭୋପାଳ: ବିବାଦୀୟ ବକ୍ତବ୍ୟ ଓ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବାର ଧାରା ଆପଣେଇଛନ୍ତି ବିଜେପି ନେତା। ଏହି କ୍ରମରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ସ୍ୱଳ୍ପଶିକ୍ଷିତ କହି ବିବାଦକୁ ଆସିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ।
ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହ୍ୱାନ ଦେଇଥିବା ପ୍ରେରଣାଦାୟୀ ବକ୍ତୃତାରେ ଅନେକ ମହାପୁରୁଷଙ୍କ ସଂଘର୍ଷର କାହାଣୀ ବର୍ଣ୍ଣିତ ହୋଇଥିଲା। ଏହି ଅବସରରେ ଶ୍ରୀ ଚୌହ୍ୱାନ କହିଥିଲେ ଯେ ଅମିତାଭ ବଚ୍ଚନ ସ୍ୱଳ୍ପ ଶିକ୍ଷିତ ହୋଇ ମଧ୍ୟ ଆଜି ଅନେକ ଯଶ ଓ ସମ୍ମାନର ଅଧିକାରୀ। ଏକଦା କଣ୍ଠସ୍ୱର ଯୋଗୁଁ ଆକାଶବାଣୀ ତାଙ୍କୁ ଅଯୋଗ୍ୟ ବୋଲି କହିଥିଲା। କିନ୍ତୁ ସେହି କଣ୍ଠସ୍ୱର ପାଇଁ ସେ ସମଗ୍ର ଦେଶରେ ବନ୍ଦିତ। ସେହିପରି କାଳୀଦାସ, ରବୀନ୍ଦ୍ର ନାଥ ଟେଗୋର ଓ ସଚ୍ଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇ ଶ୍ରୀ ଚୌହ୍ୱାନ କହିଥିଲେ ଯେ ଏମାନେ ସ୍କୁଲ୍ ପାଠପଢ଼ାରେ ଦୁର୍ବଳ ଥିଲେ ମଧ୍ୟ ବାସ୍ତବ ଜୀବରେ ସଫଳ ବ୍ୟକ୍ତିତ୍ୱର ଉଦାହରଣ ସୃଷ୍ଟି କରିପାରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ଜଣେ ଜୀବନରେ ସଫଳତାର ପାହାଚ ଚଢ଼ିପାରିବ। ଅପରପକ୍ଷରେ ଚୌହ୍ୱାନଙ୍କ ବକ୍ତବ୍ୟକୁ କଂଗ୍ରେସ ପକ୍ଷରୁ ଦୃଢ଼ ସମାଲୋଚନା କରାଯାଇଛି। ଭୋପାଳର ଜ୍ୱାଇଁ ଭାବେ ପରିଚିତ ଅମିତାଭ୍ ବଚ୍ଚନଙ୍କ ପ୍ରତି ଏହା ଅପାମନ ବୋଲି କଂଗ୍ରେସ କହିଛି।