କଂଗ୍ରେସ ଘୋଡ଼ାଶାଳ କିଣିନେଇଛି : ଅମିତ ଶାହା

0

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବିଜେପି ସରକାର ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବା ଏବଂ ୟେଦୁରପ୍ପାଙ୍କ ଇସ୍ତଫାକୁ ନେଇ ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶହା ମୁହଁ ଖୋଲିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କର୍ଣ୍ଣାଟକରେ ସରକାର ଗଠନ ପାଇଁ କଂଗ୍ରେସ-ଜେଡିଏସ୍‍ ମେଣ୍ଟକୁ ଅପବିତ୍ର ବୋଲି କହିଛନ୍ତି। କର୍ଣ୍ଣାଟକ ଜନାଦେଶ ସିଦ୍ଧରମୈୟା ସରକାରଙ୍କ ବିରୋଧରେ ଥିଲା, ଏବେ କଂଗ୍ରେସ କେଉଁ ଖୁସୀରେ ସରକାର ଗଠନ ନାମରେ ବିଜୟ ଉତ୍ସବ ପାଳନ କରୁଛି ବୋଲି ଅମିତ ଶାହା ପ୍ରଶ୍ନ କରିଛନ୍ତି। ବିଜେପି ସରକାର ଗଠନ ପାଇଁ ଘୋଡ଼ାବେପାର କରୁଥିବା ଅଭିଯୋଗ ଉପରେ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ବିଜେପି ନାମରେ ଘୋଡ଼ାବେପାର ଅଭିଯୋଗ ହେଉଥିଲା ହେଲେ କଂଗ୍ରେସ ସମ୍ପୂର୍ଣ୍ଣ ଘୋଡ଼ାଶାଳକୁ କିଣି ନେଇଛି ବୋଲି ସେ କହିଛନ୍ତି। ଏହାକହି ଏଚ୍‍.ଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ସରକାର ଗଠନ କରିବାକୁ ଯାଉଥିବା କଂଗ୍ରେସ ସମ୍ପୂର୍ଣ୍ଣ ଜେଡିଏସ୍‍କୁ କିଣି ନେଇଛି ବୋଲି ସେ ପରୋକ୍ଷରେ ଇଙ୍ଗୀତ କରିଛନ୍ତି। ଜନାଦେଶ କଂଗ୍ରେସ ବିରୋଧରେ ଥିଲା, ତାଙ୍କର ଅଧାରୁ ଅଧିକ ମନ୍ତ୍ରୀ ନିର୍ବାଚନରେ ପରାସ୍ତ ହୋଇଛନ୍ତି। କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଆସନରେ ପରାଜିତ ହୋଇଛନ୍ତି। ଅନ୍ୟ ଏକ ଆସନରେ ବହୁ କମ୍‍ ଭୋଟ ବ୍ୟବଧାନରେ ଜିତିଛନ୍ତି। ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିନଥିଲେ ଜନତାଙ୍କ ଅପମାନ ହୋଇଥାନ୍ତା ବୋଲି ଅମିତ ଶାହା କହିଛନ୍ତି। ୧୦୪ ଆସନ ପାଇ ଆମେ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲୁ ତେଣୁ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲୁ। ଗୋଆ, ମଣିପୁର ପ୍ରସଙ୍ଗରେ ଅମିତ ଶାହା କହିଥିଲେ ଯେ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ କଂଗ୍ରେସ ଏହି ଦୁଇ ରାଜ୍ୟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିନଥିଲା। କର୍ଣ୍ଣାଟକ ଜନତା କଂଗ୍ରେସ ବିରୋଧରେ ଭୋଟ ଦେଇଥିଲେ। କର୍ଣ୍ଣାଟକବାସୀ ବିଜେପିକୁ ସରକାରରେ ଦେଖିବାକୁ ଚାହୁଁଥିଲେ। ବିଜେପି ୧୩ଟି ଆସନରେ ନୋଟାରୁ କମ୍ ସଂଖ୍ୟକ ଭୋଟରେ ହାରିଛି। ଲୋକେ ବିଜେପି ଶାସନ ଚାହୁଁଥିଲେ ବୋଲି ଏହା ବ୍ୟକ୍ତ କରୁଛି ବୋଲି ଅମିତ ଶାହା କହିଛନ୍ତି। ସେହିପରି ଅମିତ ଶାହା ଜେଡିଏସ୍‍ ଉପରେ ବର୍ଷିଥିଲେ। ଜେଡିଏସ୍‍ ୩୮ ଆସନରେ ବିଜୟୀ ହୋଇ ଉତ୍ସବ ପାଳନ କରୁଛି ନା ୮୦% ଆସନରେ ଅମାନତ ହରାଇ ଉତ୍ସବ ପାଳୁଛି ବୋଲି ପ୍ରଶ୍ନ କରିଥିଲେ। କର୍ଣ୍ଣାଟକ ନିର୍ବାଚନ ପରେ ଗୋଟିଏ କଥା ଭଲ ହୋଇଛି। କଂଗ୍ରେସର ସାମ୍ବିଧାନିକ ଏବଂ ଗଣତନ୍ତ୍ରର ସଂସ୍ଥା ପ୍ରତି ବିଶ୍ୱାସ ଆସିଯାଇଛି। ସୁପ୍ରିମକୋର୍ଟ, ଇଭିଏମ୍‍ ଏବଂ ନିର୍ବାଚନ ଆୟୋଗ ଉପରେ ପୁଣି କଂଗ୍ରେସର ବିଶ୍ୱାସ ଆସିଯାଇଛି ବୋଲି ଅମିତ ଶାହା କଟାକ୍ଷ କରିଥିଲେ।

Leave A Reply