www.samajalive.in
Friday, December 5, 2025
17.1 C
Bhubaneswar

ଆମେରିକାରେ ଆରମ୍ଭ ହୋଇଛି ସୁବର୍ଣ୍ଣ ଯୁଗ: ଟ୍ରମ୍ପ

ୱାଶିଂଟନ : ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି। ଦ୍ବିତୀୟ ଥର ଶପଥ ଗ୍ରହଣ କରିବା ପରେ ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧନ କରି ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ବୋଲି କହିଛନ୍ତି। ‘ଆମେରିକା ଫାଷ୍ଟ’ ନୀତିରେ ତାଙ୍କ ସରକାର କାର୍ଯ୍ୟ କରିବ। ଆମେରିକାର ଦ୍ରୁତ ପରିବର୍ତ୍ତନ ହେବା ସହ ବିଶ୍ବରେ ସମ୍ମାନ ବଢ଼ିବ ବୋଲି ସେ ରାଷ୍ଟ୍ରବାସୀଙ୍କୁ ଦୃଢ଼ ଭରସା ଦେଇଛନ୍ତି। ଦେଶରେ ଜଣେ ବି ଅନୁପ୍ରବେଶକାରୀ ରହିପାରିବେନି। ସମସ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ନିଜ ସ୍ଥାନରେ ଛାଡ଼ି ଆସିବୁ। ଆମେରିକା ତଥା ବିଶ୍ବର ଶକ୍ତିଶାଳୀ ଆତଙ୍କବାଦୀ ସଙ୍ଗଠନକୁ ସମୂଳ ଧ୍ବଂସ କରିବାକୁ ସେ ବଜ୍ର ଶପଥ ନେଇଥିବା କହିଛନ୍ତି। ଗତ ୪ବର୍ଷ ଧରି ମୋ ଉପରେ ଆକ୍ରମଣ ଯୋଜନା ହୋଇ ଆସୁଥିଲା; ମାତ୍ର ଆମେରିକାବାସୀଙ୍କ ସେବା କରିବା ଲାଗି ମୋ ଜୀବନ ବଞ୍ଚିଛି। ବାଇଡେନଙ୍କ ସରକାରକୁ ସମାଲୋଚନା କରି ସେ କହିଛନ୍ତି ଯେ, ପୂର୍ବ ସରକାର ଦେଶର ବିପର୍ଯ୍ୟୟ ପରିଚାଳନାରେ ବିଫଳ ହୋଇଥିଲା। ସରକାର ଆଇନର ଅପବ୍ୟବହାର କରିଥିଲେ। ଶପଥ ଗ୍ରହଣ କରିବା ପରେ ପରେ ଟ୍ରମ୍ପ ମେକ୍ସିକୋ ସୀମାରେ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ସେଠାକୁ ଆହୁରି ଅଧିକ ସୈନ୍ୟ ପଠାଇବାକୁ ସେ ନିର୍ଦେଶ ଦେଇଛନ୍ତି। ରାଷ୍ଟ୍ରବାସୀଙ୍କ ସମ୍ବୋଧିତ କରି ସେ କହିଛନ୍ତି ପାନାମ ଅଞ୍ଚଳରେ ଆମେ ଆମର ଅଧିକାରକୁ ପୁଣି ସାବ୍ୟସ୍ତ କରିବୁ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମେରିକାର ସଫଳତାର ଧ୍ବଜ ସଗର୍ବ ଉଡ଼ିବ। ଆମେ ଏ ଦିଗରେ ଆଗକୁ ଅଧିକ ସଫଳ ହେବୁ ବୋଲି ଟ୍ରମ୍ପ କହିଛନ୍ତି। ଭାରତୀୟ ସମୟ ରାତି ୧୦.୩୦ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ୍ ରବର୍ଟସ୍‌ ୱାଶିଂଟନସ୍ଥିତ କ୍ୟାପିଟଲ ହିଲ୍‌ ରୋଟୁଣ୍ଡାରେ ଆୟୋଜିତ ଉତ୍ସବରେ ଟ୍ରମ୍ପଙ୍କୁ ଶପଥ ପାଠ କରାଇଛନ୍ତି। ଟ୍ରମ୍ପଙ୍କ ସହିତ ତାଙ୍କ ସହଯୋଗୀ ଜେଡି ଭାନ୍ସ ଆମେରିକାରେ ୫୦ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ହ୍ବାଇଟ୍ ହାଉସ୍‌ରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ ସ୍ବାଗତ କରିଥିଲେ। ରାଜନୈତିକ ମତଭେଦ ସତ୍ତ୍ବେ ବାଇଡେନ ‘ୱେଲକମ୍ ହୋମ୍’ କହି ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ଟ୍ରମ୍ପଙ୍କୁ ବାଇଡେନ ହ୍ବାଇଟ୍ ହାଉସରେ ଟି’ ପାର୍ଟିରେ ଆପ୍ୟାୟିତ କରିଥିଲେ। ପରେ ବାଇଡେନ ଓ ଟ୍ରମ୍ପ କ୍ୟାପିଟଲ୍ ହିଲ୍ ଅଭିମୁଖେ ଯାଇଥିଲେ। ଆମେରିକାର ପରମ୍ପରା ଅନୁଯାୟୀ, ରାଷ୍ଟ୍ରପତି ପଦ ଛାଡିବା ପୂର୍ବରୁ ବାଇଡେନ ତାଙ୍କ ଉତ୍ତରାଧିକାରୀ ଟ୍ରମ୍ପଙ୍କ ଲାଗି ଏକ ଚିଠି ଲେଖିଯାଇଛନ୍ତି। ଏହି ଚିଠି ହ୍ବାଇଟ ହାଉସ ଓଭାଲ ଅଫିସ ଡେସ୍କର ଡ୍ରୟରରେ ରହିଛି। ଯାହାକୁ ନୂଆ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ ସମୟରେ ଦେଖିବେ। ଚିଠିରେ କ’ଣ ଲେଖିଛନ୍ତି ସେ ବିଷୟରେ ବାଇଡେନ କହିବାକୁ ମନା କରିଛନ୍ତି। ଆଜିର ଶପଥ ଗ୍ରହଣ ସହିତ ଆମେରିକାରେ ଦ୍ବିତୀୟ ଥର ପାଇଁ ଟ୍ରମ୍ପ ଶାସନ ଆରମ୍ଭ ହୋଇଛି। ଏହା ପୂର୍ବରୁ ଟ୍ରମ୍ପ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ୪୫ତମ ରାଷ୍ଟ୍ରପତି ରହିଥିଲେ।
ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍‌, ବିଲ୍ କ୍ଲିଣ୍ଟନ, ବିଶ୍ବର ପ୍ରମୁଖ ବ୍ୟବସାୟୀ, ବିଶ୍ବର ପ୍ରମୁଖ ରାଷ୍ଟ୍ରନେତାମାନେ ଯୋଗ ଦେଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ର ପ୍ରତିନିଧି ଭାବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେଇଥିଲେ। ଜୟଶଙ୍କର ହାତରେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ମୋଦୀ ବ୍ୟକ୍ତିଗତ ଚିଠି ପଠାଇଥିବା ଜଣାଯାଇଛି। ଏପରି କି ନୂତନ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶୁଭଚ୍ଛୋ ଓ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ୭୮ ବର୍ଷୀୟ ଟ୍ରମ୍ପ ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ଆମେରିକାର ୬୦ତମ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନଙ୍କୁ ପରାସ୍ତ କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories