ଭୂସ୍ଖଳନରେ ୫ ଅମରନାଥ ଯାତ୍ରୀ ମୃତ, ୪ ଆହତ
ଜମ୍ମୁ: ଜମ୍ମୁକଶ୍ମୀର ବ୍ରାରିମାର୍ଗ ନିକଟରେ ଭୂସ୍ଖଳନ ଯୋଗୁଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଅମରନାଥଙ୍କ ଦର୍ଶନ ପାଇଁ ଯାଇଥିବା ବାଲଟାଲ୍ରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଥିସହିତ ଚଳିତ ବର୍ଷ ଦୁର୍ଘଟଣାରେ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି।
ପୁଲିସ ସୂଚନା ଅନୁଯାୟୀ ଆଜି ସକାଳୁ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ଶିବିରରେ ଆନ୍ଧ୍ରପ୍ରଦେଶର ଟି ରାଧାନାମ୍ ନାମକ ଜଣେ ୭୫ ବର୍ଷୀୟା ବୃଦ୍ଧା ଓ ରାଧାକ୍ରିଷ୍ଣ ଶାସ୍ତ୍ରୀ ନାମକ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସେମାନଙ୍କ ମୃତ ଶରୀରକୁ ବାଲ୍ଟାଲ୍ ଶିିବିରରେ ରଖାଯାଇଛି। ସେହିପରି ଉତ୍ତରାଖଣ୍ଡର ପୁଷ୍କର ଯୋଶୀ ନାମକ ଜଣେ ବ୍ୟକ୍ତି ପଥର ଖଣ୍ଡ ଖସିବା ଯୋଗୁଁ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଚଳିତ ବର୍ଷ ଅଦ୍ୟାବଧି ୩୬,୩୬୬ ଜଣ ଯାତ୍ରୀ ଅମରନାଥ ଦର୍ଶନ ପାଇଁ ଯାତ୍ରା କରିଥିବା ବେଳେ ୩୫୦୦ ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି।