ଆରଟିଓକୁ ଦଲାଲ ମୁକ୍ତ କରିବାକୁ ପରିବହନ ବିଭାଗର ବଡ ନିଷ୍ପତ୍ତି: ବ୍ୟାଣ୍ଡ ପିନ୍ଧିବେ କର୍ମଚାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରଟିଓ ଏବଂ ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇ ଉଠିଥିଲେ ପୁଲିସ ପ୍ରସାଶନ ଏବଂ ପରିବହନ ବିଭାଗ। ହସ୍ପିଟାଲ ଏବଂ ଆରଟିଓ କାର୍ଯ୍ୟାଳୟ ପରିସରରୁ ଦଲାଲ ମୁକ୍ତ କରିବାକୁ ଯାଇ ପୁଲିସ ପକ୍ଷରୁ ଗିରଫଦାରୀ ଆରମ୍ଭ ହୋଇଥିଲା। ଏହି କ୍ରମରେ ପରିବହନ ବିଭାଗ ରାଜ୍ୟର ସମସ୍ତ ଆରଟିଓ କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ଦଲାଲ ମୁକ୍ତ କରିବା ପାଇଁ ଶନିବାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପରିବହନ କମିଶନର ସଂଜୀବ ପଣ୍ଡା ଆରଟିଓ କାର୍ଯ୍ୟାଳୟରେ ପଶୁଥିବା ଦଲାଲଙ୍କ ବିରୋଧରେ ଥାନାରେ ଏତଲା ଦେବାପାଇଁ ରାଜ୍ୟର ସମସ୍ତ ଆରଟିଓ କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପ୍ରତି ଆରଟିଓ କାର୍ଯ୍ୟାଳୟରେ କିଓସ୍କ ମେସିନ୍‍ ଓ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଆରଟିଓ କାର୍ଯ୍ୟାଳୟର କର୍ମଚାରୀମାନେ ବ୍ୟାଣ୍ଡ ବାନ୍ଧିବେ ଯାହା ଦ୍ୱାରା ସାଧାରଣ ଲୋକ ଆରଟିଓ କର୍ମଚାରୀଙ୍କୁ ଚିହ୍ନିପାରିବେ ଏବଂ ଦଲାଲ କବଳରେ ପଡିବେ ନାହିଁ। ଆରଟିଓ ପରିସରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ନୀଳ ରଙ୍ଗର ବ୍ୟାଣ୍ଡ।ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ସବୁଜ ରଙ୍ଗର ବ୍ୟାଣ୍ଡ ଏବଂ ସ୍ମାଟ ଚିଫ୍‍ କମ୍ପାନୀର କର୍ମଚାରୀ ହଳଦିଆ ରଙ୍ଗର ବ୍ୟାଣ୍ଡ ବାନ୍ଧିବାକୁ ନିଷ୍ପତ୍ତି ହୋଇଛି। ଏଥି ସହିତ ଲୋକଙ୍କ ଅଭିଯୋଗର ଣୁଣାଣି ପାଇଁ ଏକ ହେଲପ୍‍ ଲାଇନ ନମ୍ବର ଜାରୀ କରାଯାଇଛି। ସାଧାରଣ ଲୋକମାନେ ହେଲପ୍‍ ଲାଇନ ନମ୍ବର ୧୮୦୦୩୪୫୧୦୭୩ରେ ଅଭିଯୋଗ କରିପାରିବେ। ଆରଟିଓ କାର୍ଯ୍ୟାଳୟ ମଧ୍ୟରେ ମିଳୁଥିବା ସମସ୍ତ ସେବାର ଦେୟ କେତେ ରହିଛି ତାର ଏକ ତାଲିକା କାର୍ଯ୍ୟାଳୟ ପରିସରେ ପଦର୍ଶନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

Comments are closed.