ସରକାରଙ୍କୁ ବାଧୁନି ପିଆଜ ଦର

0

ଭୁବନେଶ୍ୱର : ଖୋଲା ବଜାରରେ ପିଆଜ କିଲୋ ୨୫ ଟଙ୍କା ଟପିଲାଣି। ଖାଉଟିଙ୍କୁ ପିଆଜର ମୂଲ୍ୟବୃଦ୍ଧି ବାଧୁଥିବାବେଳେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୂଲ୍ୟ କମ ଥିବା କହି ସରକାର ନିଜ ମୁଣ୍ଡରୁ ଦୋଷ ଖସେଇଛନ୍ତି। ରାଜ୍ୟରେ ପିଆଜ ଉତ୍ପାଦନ କମ୍‌ ଥିବାରୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଫଳରେ ଅଧିକ ମୂଲ୍ୟ ଦେବାକୁ ପଡୁଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଅନ୍ୟାନ୍ୟ ସାମଗ୍ରୀ ପରି କେନ୍ଦ୍ର ସରକାର ଆଳୁ ଓ ପିଆଜ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କଲେ ପିଆଜ ମୂଲ୍ୟ ବୃଦ୍ଧିକୁ ପ୍ରତିହତ କରିହେବ ବୋଲି ସେ କହିଛନ୍ତି।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟ ପାଇଁ ୧୦ଲକ୍ଷ ମେଟି୍ରକ ଟନ ପିଆଜର ଆବଶ୍ୟକତା ଥିବା ବେଳେ ମାତ୍ର ୨ଲକ୍ଷ ମେଟି୍ରକ ଟନ ଉତ୍ପାଦିତ ହେଉଛି। ରାଜ୍ୟରେ ଉତ୍ପାଦିତ ପିଆଜକୁ ଚାଷୀ କିମ୍ବା ବ୍ୟବସାୟୀ ରଖିପାରୁନାହାନ୍ତି। ପିଆଜ ସଂରକ୍ଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା ଥିଲେ ମଧ୍ୟ ଚାଷୀ ଅର୍ଥାଭାବରୁ ସେଠାରେ ପିଆଜ ରଖୁନାହାନ୍ତି। ଉତ୍ପାଦିତ ଅଧିକାଂଶ ପିଆଜ ରାୟପୁର ଚାଲିଯାଉଛି। ପିଆଜ ଚାଷ ପ୍ରତି ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅଧିକ ଉତ୍ପାଦନ ହେଲେ ଫିଙ୍ଗିବାକୁ ପଡ଼ିବ। କମ ଉତ୍ପାଦନ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏମଏସପି ଧାର୍ଯ୍ୟ ବ୍ୟତୀତ ପିଆଜ ମୂଲ୍ୟବୃଦ୍ଧି ସମାଧାନର କୌଣସି ବାଟ ନଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, ପିଆଜ ପାଇଁ ନାସିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେଠାରେ ମୂଲ୍ୟ ବୃଦ୍ଧି ଯୋଗୁଁ ୧୬ଟଙ୍କାରେ ପିଆଜ କିଣିବାକୁ ପଡୁଛି। ପରିବହନ ଖର୍ଚ୍ଚ ବାବଦରେ ୪ଟଙ୍କା ଖର୍ଚ୍ଚ ହେଉଛି। ଓଡ଼ିଶାରେ ୨୨ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବ୍ୟବସାୟୀ ଅଧିକ ମୂଲ୍ୟ ରଖୁଛନ୍ତି। ମାସକ ପରେ ଆନ୍ଧ୍ରପ୍ରଦେଶରୁ ପିଆଜ ଆସିଲେ ଦର କମିବ। ଓଡ଼ିଶାରେ ପିଆଜ କିଲୋ ୨୨ଟଙ୍କା ଥିବାବେଳେ ଦିଲ୍ଲୀରେ ୩୦ଟଙ୍କା, କଲକାତାରେ ୨୫ଟଙ୍କା, ଚେନ୍ନଇ ଓ ମୁମ୍ବଇରେ ୨୪ଟଙ୍କା ଥିବା ସେ ପ୍ରକାଶ କରିଛନ୍ତି।
ପିଆଜର ଅହେତୁକ ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ନେଇ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀମାନଙ୍କୁୁ ନିର୍ଦେଶ ଦେଇଛନ୍ତି। ମହଜୁଦକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ କଣ୍ଟ୍ରୋଲ ଅର୍ଡର ଅନୁଯାୟୀ ମହଜୁଦ ପରିମାଣ ଯାଞ୍ଚ କରିବାକୁ ସେ କହିଛନ୍ତି। ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ପିଆଜ ମୂଲ୍ୟରେ ସ୍ୱଳ୍ପ ବୃଦ୍ଧି ଘଟିଥିବା ବ୍ୟବସାୟୀମାନେ କହିଥିଲେ। ପାଇକାରୀ ଗୋଦାମ ଗୁଡ଼ିକ ଯାଞ୍ଚ ସହ ପିଆଜ ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବାକୁ ବିଭାଗର ଯାଞ୍ଚକାରୀ ଦଳଙ୍କୁ ନିୟୋଜିତ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି। ପିଆଜ ଉତ୍ପାଦନକାରୀ ଜିଲାଗୁଡ଼ିକ ଉପରେ ନଜର ରଖି ଚାଷୀ ଯେପରି ଖୋଲା ବଜାରକୁ ସୁରୁଖୁରୁରେ ପିଆଜ ପଠାଇ ପାରିବେ ଏବଂ ଉପଯୁକ୍ତ ମୂଲ୍ୟ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଛନ୍ତି। ବ୍ୟବସାୟୀ ଯେପରି ମୂଲ୍ୟବୃଦ୍ଧିର ସୁଯୋଗ ନେଇ ଅଧିକ ମୂଲ୍ୟ ଦାବି ନକରନ୍ତି ତା ଉପରେ କଡ଼ା ନଜର ରଖିବା ସହ ଜିଲା ଓ ଉପଖଣ୍ଡସ୍ତରରେ ପାଇକାରୀ ବ୍ୟବସାୟୀ ଅଧିକ ଲାଭ ରଖିବେ ନାହିଁ ସେ ନେଇ ପଦକ୍ଷେପ ନେବାକୁ କହିଛନ୍ତି।
କଣ୍ଟ୍ରୋଲ ଅର୍ଡର ଅନୁସାରେ କଟକରେ ପାଇକାରୀ ବ୍ୟବସାୟୀ ସର୍ବାଧିକ ୫୦୦କ୍ୱିଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ସେହିପରି ଭୁବନେଶ୍ୱର, ଖୋର୍ଦ୍ଧା, ସମ୍ବଲପୁର, ରାଉରକେଲାରେ ୩୫୦ କ୍ୱିଣ୍ଟାଲ ଏବଂ ଅନ୍ୟାନ୍ୟ ସହରରେ ୧୫୦ କ୍ୱିଣ୍ଟାଲ ପିଆଜ ରଖିପାରିବେ ବୋଲି କହିଛନ୍ତି।
ଆଜିର ବୈଠକରେ ବିଭାଗର ସଚିବ, ଚାମ୍ବର ଅଫ କମର୍ସ ଏବଂ ପାଇକାରୀ ବ୍ୟବସାୟୀ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ। ପିଆଜର ମୂଲ୍ୟ ନିୟନ୍ତ୍ରଣ ନେଇ ଆସନ୍ତା ୯ ତାରିଖରେ ଆଉ ଏକ ବୈଠକ ବସିବ। ଏଥିରେ କୃଷି ବିଭାଗର ପ୍ରମୁଖ ସଚିବ, ମାପ ଓ ବୈଧ ବିଜ୍ଞାନ ବିଭାଗର ନିର୍ଦେଶକ, ଉଦ୍ୟାନ କୃଷି ନିର୍ଦେଶକ, ଚାମ୍ବର ଅଫ କମର୍ସର ସଦସ୍ୟଙ୍କୁ ଡାକିବାକୁ ସେ ନିର୍ଦେଶ ଦେଇଛନ୍ତି।

kalyan agarbati
Leave A Reply