କ୍ଷତିରେ ଚାଲୁଥିବା ଓ ଋଣଗ୍ରସ୍ତ ଏୟାର ଇଣ୍ଡିଆର ପୁନରୁଦ୍ଧାର ଲାଗି ସରକାର ଚଳିତ ଆର୍ଥିକ ବର୍ଷରେ ୮୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ । ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି ।
ସୂଚନା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆକୁ ୮୧୦.୨୩ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ। ଏହା ବ୍ୟତୀତ ଏୟାର ଇଣ୍ଡିଆ ଆସେଟ୍ସ ହୋଲଡିଂ ଲିମିଟେଡକୁ ୨୨୦୫ କୋଟି ଟଙ୍କା ଅନୁଦାନ ମଧ୍ୟ ଦିଆଯିବ।
ଏୟାର ଇଣ୍ଡିଆର କିଛି ଋଣ ଏୟାର ଇଣ୍ଡିଆ ଆସେଟ୍ସ ହୋଲଡିଂ ଲିମିଟେଡ୍ ନାମକ ଏକ ସ୍ୱତନ୍ତ୍ର କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଏହି ଋଣ ପରିଶୋଧ ପାଇଁ ଏୟାର ଇଣ୍ଡିଆ ସମ୍ପତ୍ତି ବିକ୍ରୟ ଏବଂ ସରକାରୀ ସହାୟତା ଉପରେ ନିର୍ଭର କରୁଛି ।
ଏହା ବ୍ୟତୀତ ଚଳିତ ଆର୍ଥିକ ବର୍ଷରେ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଯଥା ‘ଉଡ଼ାନ’ ପାଇଁ ୩୯୫.୧୭ କୋଟି ଟଙ୍କା ଅନୁଦାନର ବ୍ୟବସ୍ଥା କରାଯାଇଛି। ଛୋଟ ସହରଗୁଡ଼ିକୁ ବିମାନ ନେଟୱାର୍କ ସହିତ ସଂଯୋଗ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା। ଦୂରତା ଅନୁଯାୟୀ ସରକାର ସର୍ବାଧିକ ଭଡା ସ୍ଥିର କରିଛନ୍ତି।



