ରହସ୍ୟ ଘେରରେ ନରକଙ୍କାଳ, ଅଧିକ ପରୀକ୍ଷା ପାଇଁ ପଠାଗଲା ଏମ୍ସ

ଉତ୍ତରଭୁବନେଶ୍ୱର: ରାଜଧାନୀରୁ ମିଳିଥିବା କଙ୍କାଳ ଖପୁରି କାହାର? ମିଳିଥିବା କଙ୍କାଳ ପୁରୁଷର ନା ମହିଳାର? ଗତ ବୁଧବାର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଇଞ୍ଜଣା-ପଟିଆ ଷ୍ଟେସନ ରାସ୍ତାର କେନାଲ ପୋଲ ତଳୁ ଉଦ୍ଧାର ହୋଇଥିବା ୧୦ରୁ ଊର୍ଦ୍ଧ୍ବ ଖପୁରି ଓ କଙ୍କାଳ ଏବେବି ରହସ୍ୟଘେରରେ ରହିଛି। ଏହି କଙ୍କାଳଗୁଡ଼ିକ କେଉଁଠାରୁ ଆସିଲା, କିଏ ସେଠାରେ ପକାଇଲା, ଏହା କୌଣସି ଅପରାଧର ପୃଷ୍ଠଭୂମି ସହ ଜଡ଼ିତ ନୁହେଁ ତ, ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ରାଜଧାନୀବାସୀ ଖୋଜୁଥିବା ବେଳେ ପୁଲିସ ଏ ଦିଗରେ ତଦନ୍ତ କରୁଛି, ଖୁବ୍‌ଶୀଘ୍ର ଏହାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ ପ୍ରଶାସନ ତରଫରୁ କୁହାଯାଇଛି।

ମାର୍ଚ୍ଚ ୨୩ରେ କଙ୍କାଳ ବାବଦରେ ମଞ୍ଚେଶ୍ବର ପୁଲିସକୁ ଖବର ମିଳିବା ମାତ୍ରେ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳ ଜବତ କରି ଅଧିକ ତଦନ୍ତ ପାଇଁ ରସୁଲଗଡ଼ସ୍ଥିତ ଫରେନସିକ ଲାବ୍‌କୁ ପଠାଇଥିଲେ। ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅତି କମ୍‌ରେ ଏଗୁଡ଼ିକ ୧୦ରୁ ୧୫ବର୍ଷ ତଳର। ଉଦ୍ଧାର ଖପୁରି ଓ ନରକଙ୍କାଳ ବହୁତ ପୁରୁଣା େହାଇଥିବାରୁ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ବର ଏମ୍ସ ପରୀକ୍ଷାଗାରକୁ ପଠାଯାଇଛି। କଙ୍କାଳ କେଉଁ ଜାଗାର ଜାଣିବା ପାଇଁ ହାଡ଼ରେ ଲାଗିଥିବା ମାଟିର ପରୀକ୍ଷା କରାଯିବ। କଙ୍କାଳର ବୟସ ମଧ୍ୟ ରିପୋର୍ଟରୁ ଜଣାପଡ଼ିବ। କଙ୍କାଳ ବିଷୟରେ ସମସ୍ତ ସଠିକ୍‌ ତଥ୍ୟ ଜାଣିବାକୁ ଅଧିକରୁ ଅଧିକ ତଦନ୍ତ ସହ ସମସ୍ତପ୍ରକାର ସାଇଣ୍ଟିଫିକ୍‌ ଟେଷ୍ଟ କରାଯାଉଥିବାବେଳେ ଏମ୍ସର ତଥ୍ୟ ପରେ ହିଁ କଙ୍କାଳ କାହାର ସ୍ପଷ୍ଟ ହୋଇପାରିବ।

ଏଣୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ପୁଲିସ ଉପାୟୁକ୍ତ ଡ. ଉମାଶଙ୍କର ଦାଶ। ସେପଟେ ଘଟଣାକୁ ନେଇ ଦୁଇଟି ଦିଗ ସାମ୍ନାକୁ ଆସିଛି। ଗୋଟିଏ ହେଉଛି ମେଡିକାଲ କଲେଜର‌ ଅଭ୍ୟାସ ପାଇଁ ଏପରି ମଣିଷ ଖପୁରି ହାଡ଼ ବ୍ୟବହାର କରାଯାଇପାରେ କିମ୍ବା ଯଦି କେହି ଗୁଣିଆ ବା ତନ୍ତ୍ର ସାଧନା କରନ୍ତି ତା ହେଲେ ଏପରି ହତ୍ୟା କରିଥାଇପାରନ୍ତି । କେହି ବ୍ୟକ୍ତି ଏକକାଳୀନ ପକାଇ ଦେଇଥାଇ ପାରନ୍ତି କିମ୍ବା ଶ୍ମଶାନ ସ୍ଥାନରେ ଗୃହ ନିର୍ମାଣ ସମୟରେ ଏଗୁଡ଼ିକ ବାହାରି ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି।

Comments are closed.