‘ଏମ୍‍ସ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ’

0

ଭୁବନେଶ୍ୱର : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‍ସ)ରେ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ ଆସିଛି। ଏହି ସମସ୍ୟାର ସମାଧାନ ପାଇଁ ଏମ୍‍ସ କର୍ତ୍ତୃପକ୍ଷ ନିଜସ୍ୱ କ୍ୟାଣ୍ଟିନ୍‍ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ଜଣାପଡ଼ିଛି।
ଏମ୍‍ସ ଷ୍ଟୁଡେଣ୍ଟ ଆଫେୟାର୍ସ ଭାଇସ୍‍ ଡିନ୍‍ ଡା.ପ୍ରଭାସ ମିଶ୍ର କହିଛନ୍ତି ଯେ ଏଣିକି ଏମ୍‍ସ ହଷ୍ଟେଲ୍‍ ଛାତ୍ରଛାତ୍ରୀଙ୍କୁ ମିଳିବ ପୁଷ୍ଟିଯୁକ୍ତ ଖାଦ୍ୟ। ଖାଦ୍ୟର ମାନରେ ସାଲିସ କରାଯିବ ନାହିଁ। ଛାତ୍ରଛାତ୍ରୀଙ୍କୁ କିଭଳି ପୁଷ୍ଟିକର ଖାଦ୍ୟ ନିର୍ଦ୍ଧାରିତ ସମୟରେ ଦିଆଯାଇପାରିବ ସେଥିନେଇ ପଦକ୍ଷେପ ନିଆଯିବ। ଏବେ ଘରୋଇ କ୍ୟାଟେରିଂ ସଂସ୍ଥା କ୍ୟାଣ୍ଟିନ୍‍ ପରିଚାଳନା ଦାୟିତ୍ୱ ନିର୍ବାହ କରିଛନ୍ତି। ପୂର୍ବରୁ ମଧ୍ୟ କ୍ୟାଣ୍ଟିନ୍‍ ପରିଚାଳନା କରୁଥିବା ଘରୋଇ କ୍ୟାଟେରିଂ ସଂସ୍ଥା ବିରୋଧରେ ଅଭିଯୋଗ ଆସିଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ଏମ୍‍ସ ନିଜସ୍ୱ କ୍ୟାଣ୍ଟିନ ପ୍ରତିଷ୍ଠା କରିବ ଏବଂ ଏହାର ପରିଚାଳନା କର୍ମଚାରୀ ନିଯୁକ୍ତି କରିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ।
‘ଏମ୍‍ସରେ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ!’ ଖବର ପ୍ରସାରଣ ପରେ ନିର୍ଦେଶକ, ଅଧୀକ୍ଷକ, ୱାର୍ଡେନ୍‍, ଛାତ୍ରଛାତ୍ରୀ ଏବଂ କ୍ୟାଣ୍ଟିନ୍‍ ପରିଚାଳନା ଦାୟିତ୍ୱରେ ଥିବା ଘରୋଇ କ୍ୟାଟେରିଂ ସଂସ୍ଥାର ଅଧୀକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। କ’ଣ ପାଇଁ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ଘରୋଇ କ୍ୟାଟେରିଂ ସଂସ୍ଥାର ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା। ଘରୋଇ କ୍ୟାଟେରିଂ ସଂସ୍ଥା ଅଧିକାରୀ ଏହାର ଉତ୍ତରରେ କହିଥିଲେ ଯେ କ୍ୟାଣ୍ଟିନ୍‍ ଜରିଆରେ ଛାତ୍ରଛାତ୍ରୀଙ୍କୁ ୯୦ଟଙ୍କାରେ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରିଭୋଜନ ନିର୍ଦ୍ଧାରିତ ସମୟରେ ଯୋଗାଇ ଦେବାକୁ ଏମ୍‍ସ କର୍ତ୍ତୃପକ୍ଷଙ୍କ ସହ ଦେଢ଼ବର୍ଷ ତଳେ ଚୁକ୍ତି ହୋଇଥିଲା। ଏବେ ବଜାରରେ ଖାଦ୍ୟସାମଗୀ ଓ ଅନ୍ୟାନ୍ୟ ଜିନିଷର ଦରଦାମ ଆଶାତୀତ ଭାବେ ବୃଦ୍ଧି ପାଇଛି। ସେହିପରି ପ୍ରତ୍ୟେକ ଜିନିଷ କ୍ରୟ ଉପରେ ସାମଗ୍ରୀ ଓ ସେବା କର(ଜିଏସ୍‍ଟି) ଲାଗୁ କରାଯାଇଛି। ଫଳରେ ଚୁକ୍ତି ଅନୁଯାୟୀ ୯୦ଟଙ୍କାରେ ଛାତ୍ରଛାତ୍ରୀଙ୍କୁ ଉପରୋକ୍ତ ଖାଦ୍ୟପାନୀୟ ଯୋଗାଇବା ସମ୍ଭବ ହେଉନାହିଁ। ଏ ସଂକ୍ରାନ୍ତରେ ଏମ୍‍ସ କର୍ତ୍ତୃପକ୍ଷ ତର୍ଜମା କରି ପଦକ୍ଷେପ ନିଅନ୍ତୁ।
ବୈଠକରେ ନିଷ୍ପତ୍ତି ଅନୁଯାୟୀ କ୍ୟାଣ୍ଟିନ୍‍ ସମସ୍ୟା ସମାଧାନ ପାଇଁ ସମ୍ପୃକ୍ତ ସଂସ୍ଥାକୁ ଦଶଦିନ ମହଲତ ଦିଆଯାଇଛି ଏବଂ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବାକୁ କୁହାଯାଇଛି। ଏହାପରେ କ୍ୟାଣ୍ଟିନ୍‍ ପରିଚାଳନା ପାଇଁ ନୂତନ ଭାବେ ଟେଣ୍ଡର ଡକାଯିବ। ଟେଣ୍ଡରବେଳେ ଖାଦ୍ୟର ମାନ ଓ ବଜାର ଦରପ୍ରତି ଦୃଷ୍ଟି ଦିଆଯିବ। ଫଳରେ ଛାତ୍ରଛାତ୍ରୀଙ୍କ ଏମ୍‍ସରେ ଖାଇବା ପିଇବା ଅସୁବିଧା ରହିବ ନାହିଁ ବୋଲି ଡା.ମିଶ୍ର ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ ୨୦୧୨-୧୩ ଶିକ୍ଷାବର୍ଷରୁ ଏମ୍‍ସରେ ଏମ୍‍ବିବିଏସ୍‍ ଏବଂ ବିଏସ୍‍ସି ନର୍ସିଂ ପାଠ୍ୟକ୍ରମ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଏହାପରେ ପିଜି, ନର୍ସିଂ ଆଦି ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ଭୁବନେଶ୍ୱର ସହରଠାରୁ ପ୍ରାୟ ୧୫ରୁ୨୦କିଲୋମିଟର ଦୂର ସିଜୁଆ ଗ୍ରାମରେ ଏମ୍‍ସର କ୍ୟାମ୍ପସ ନିର୍ମାଣ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ରହିବା ଓ ଖାଇବା ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏବେ ଏମ୍‍ସରେ ୬ଟି ହଷ୍ଟେଲ୍‍ ରହିଛି। ସେଥିମଧ୍ୟରୁ ୩ଟି ଏମ୍‍ବିବିଏ୍‍ ହଷ୍ଟେଲ୍‍ ରହିଥିବାବେଳେ ଗୋଟିଏ ନର୍ସିଂ ଓ ଗୋଟିଏ ପିଜି ହଷ୍ଟେଲ୍‍ ରହିଛି।
ସେହିପରି ଛାତ୍ରୀମାନଙ୍କ ଲାଗି ଏକ ସ୍ୱତନ୍ତ୍ର ହଷ୍ଟେଲ୍‍ ବ୍ୟବସ୍ଥା କରାଯାଇଛି। ଏମସ୍‍ର ୬ଟି ହଷ୍ଟେଲ୍‍ରେ ପ୍ରାୟ ୧୦୦୦ ଅନ୍ତେବାସୀ ସହିତ ୨୦୦ ଜୁନିୟର ଓ ସିନିୟର ରେସିଡେଣ୍ଟ ଡାକ୍ତର ରହୁଛନ୍ତି। ଏଠାକାର ୬ଟି ହଷ୍ଟେଲ୍‍ର ୧୨୦୦ ଅନ୍ତେବାସୀଙ୍କ ଖାଇବା ପାଇଁ କ୍ୟାଣ୍ଟିନ୍‍ ବ୍ୟବସ୍ଥା କରାଯାଇଛି।

Leave A Reply