ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ଦର୍ଶନ ଉତ୍ତରପିଢ଼ି ପାଇଁ ହୋଇପାରିବ ଶିକ୍ଷଣୀୟ

ଭଦ୍ରକ ଓ ରାୟଗଡ଼ା ଜିଲାରେ ବୁଲିଲା ‘ଅହିଂସା ରଥ’

ଭୁବନେଶ୍ୱର: ଆଜି ଅହିଂସା ରଥ ଭଦ୍ରକ ଏବଂ ରାୟଗଡ଼ା ଜିଲ୍ଲା ପରିକ୍ରମା କରିଛି । ଗତ ଅଗଷ୍ଟ ୧୫ରୁ ଆଜି ପର୍ଯ୍ୟନ୍ତ ୨୧ଟି ଜିଲ୍ଲା ପରିକ୍ରମା କରି ବର୍ତ୍ତମାନ ଏହି ଦୁଇ ଜିଲ୍ଲାରେ ଯାତ୍ରା ଅବ୍ୟାହତ ରହିଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସଂଘର୍ଷର କାହାଣୀ ବାବଦରେ ଆଜିର ପିଢ଼ିଙ୍କୁ ଅବଗତ କରାଇବା ସହ ସମସ୍ତଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ଦର୍ଶନ ଯେ ଉତ୍ତରପିଢ଼ି ପାଇଁ ଉପାଦେୟ ତଥା ଶିକ୍ଷଣୀୟ ହୋଇପାରିବ, ତାହା ଅହିଂସା ରଥକୁ ସାଧାରଣ ଜନତାଙ୍କଠାରୁ ମିଳୁଥିବା ଉଚ୍ଛ୍ୱସିତ ସମ୍ବର୍ଦ୍ଧନାରୁ ପ୍ରମାଣିତ ହୋଇଛି।

ଆଜି ଭଦ୍ରକ ଜିଲ୍ଲା ବେତଡ଼ାଠାରେ ଭଦ୍ରକ ସାଂସଦ, ବାସୁଦେବପୁର ବିଧାୟକ, ବ୍ଲକ୍‌ ଅଧ୍ୟକ୍ଷ, ବିଡ଼ିଓ, ବାସୁଦେବପୁର ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ସୂଚନା ଓ ଲୋକସଂପର୍କ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବିଭିନ୍ନ ଦେଶାତ୍ମବୋଧକ ସଂଗୀତ, ସ୍ଳୋଗାନ୍‌ ଏବଂ ରାମଧୁନ୍‌ ପରିବେଷଣ ମଧ୍ୟରେ ରଥକୁ ଜିଲ୍ଲାକୁ ପାଛୋଟି ନେଇଥିଲେ । ରକ୍ତତୀର୍ଥ ଇରମ୍‌ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ରାଲି, ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭିଡ଼ିଓ ସୋ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଅନ୍ୟ ରଥକୁ ଧାମନଗରଠାରେ ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ବିଧାୟକ, ଧାମନଗରର ପୂର୍ବତନ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନତା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଐତିହାସିକ ଗାନ୍ଧି ପଡ଼ିଆ ଏବଂ ଗାନ୍ଧୀ ବାଳାଶ୍ରମଠାରେ ସଭା ଅନୁଷ୍ଠିତ ହୋଇଥିଲା । ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ସୋ ପ୍ରଦର୍ଶନ ସହ ଛାତ୍ରଛାତ୍ରୀମାନଙ୍କ ସ୍ଳୋଗାନରେ ପରିବେଶ ମୁଖରିତ ହୋଇଥିଲା ।

ସେହିପରି ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ରାୟଗଡ଼ା-କୋରାପୁଟ ସୀମାରେ ସ୍ୱାଗତ କରାଯାଇଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ପଞ୍ଚାୟତିରାଜ ପ୍ରତିନିଧି, ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଏବଂ ବହୁସଂଖ୍ୟକ ଜନତା ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରଥ ପରିକ୍ରମା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କଳାକାରଙ୍କ ଦ୍ୱାରା ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

Comments are closed.