ଲକ୍ଷ୍ୟ ଠାରୁ ଆଗରେ ଓଡିଶା, ପହଞ୍ଚିଲା ୧,୪୯,୭୬୦ କୋଭାକ୍ସିନ ଡୋଜ୍

ଭୁବନେଶ୍ବର: ରାଜ୍ୟରେ କରୋନା ଟିକାକରଣର ପ୍ରାଥମିକ ପର୍ୟ୍ୟାୟ ଅଭିଯାନ ଏବେ ଶେ‌ଷ ପର୍ୟ୍ୟାୟ​ରେ ପହଞ୍ଚିଛି। ଶନିବାର ଟିକାକରଣର ସପ୍ତମ ଦିନରେ ଦୈନିକ ଲକ୍ଷ୍ୟଧାର୍ୟ୍ୟ ଠାରୁ ଅଧିକ ୫ ପ୍ରତିଶତ ଟିକାଦାନ ହୋଇଛି। ୨୨୪ ଟିକାଦାନ କେନ୍ଦ୍ରରେ ୨୧ ହଜାର ୩୦୪ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୨ ହଜାର ୩୬୪ ଜଣଙ୍କୁ ଟିକା ଦିଆଯାଇଛି। ଫଳରେ ଟିକାଦାନ ପ୍ରତିଶତ ଆଜି ୧୦୫ ପ୍ରତିଶତକୁ ଛୁଇଁଛି। ତେବେ ରାଜଧାନୀରେ ଏହି ହାର ହ୍ରାସ ପାଇଛି। ଆଜି ୮ଟି କେନ୍ଦ୍ରରେ ଟିକାଦାନ କରାଯାଇଥିବା ବେଳେ ମାତ୍ର ୪୬୬ ଜଣ ଟିକା ନେଇଛନ୍ତି। ଯାହାକି ୯୧.୪ ପ୍ରତିଶତ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ଅଭିଯାନ ସଫଳ ହୋଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ କରୋନା ଟିକା ଦିଆଗଲାଣି। ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି। ରାଜ୍ୟରେ ଟିକାକରଣ ସଫଳ ଚାଲିଥିବା ସେ କହିଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଆଜି ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା ଓ ସମ୍ବଲପୁରରେ ଟିକାଦାନ କରାଯାଇନାହିଁ। ତେବେ ଆଜିର ଟିକାଦାନକୁ ନେଇ ରାଜ୍ୟର ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୭୪କୁ ଛୁଇଁଛି। ପ୍ରାଥମିକ ପର୍ୟ୍ୟାୟରେ ବିଭାଗ ୧ ଲକ୍ଷ ୯୨ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦେବା ପାଇଁ ଚିନ୍ତା କରିଥିବା ବେଳେ ଆଜି ସୁଦ୍ଧା ୮୧ ପ୍ରତିଶତକୁ ଛୁଇଁଛି।

ଟିକାଦାନର ପ୍ରଥମ ଦିନ ୧୩,୯୮୦, ଦ୍ୱିତୀୟଦିନ ୩୨,୨୫୬, ତୃତୀୟ ଦିନରେ ୧୪,୨୯୧, ଚତୁର୍ଥ ଦିନରେ ୭୯୪୬, ପଞ୍ଚମ ଦିନରେ ୪୩୬ କେନ୍ଦ୍ରରେ ୪୪, ୮୮୦ ଏବଂ ଗତକାଲି ୧୬,୩୮୪ ଜଣ ଟିକା ନେଇଛନ୍ତି। ଆଗାମୀ ଦିନରେ ଏହି କାର୍ୟ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଜି ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ପହଞ୍ଚିଛି ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ପ୍ରତି ୧୨ଟି ରାଜ୍ୟରେ କୋଭାକ୍ସିନ ଦିଆଯାଉଥିବାବେଳେ ଆସନ୍ତା ସପ୍ତାହରୁ ଆଉ ୭ଟି ରାଜ୍ୟରେ ଏହି ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଦେଶରେ ଶନିବାର ସୁଦ୍ଧା ମୋଟ ୧୫,୩୭,୦୦୦ ସ୍ବାସ୍ଥ୍ୟସେବୀଙ୍କୁ ଟିକାକରଣ କରାଯାଇଛି।

Comments are closed.