ରାୟଗଡ : ଓଡ଼ିଶା ମାଟିରେ ଆନ୍ଧ୍ର ଦାଦାଗିରିର ଆଉ ଏକ ନିଦର୍ଶନ ଆଜି ଦେଖିବାକୁ ମିଳିଛି। ଓଡିଶା ମାଟିରେ ପହଞ୍ଚି ଆନ୍ଧ୍ରର ଜଣେ ରାଜନେତା ଓଡ଼ିଶାକୁ ଧମକ ଦେଇଛନ୍ତି। ଏହାକୁ ନେଇ ଗଜପତି ପ୍ରଶାସନ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଆନ୍ଧ୍ର କରିଥିବା ଅଙ୍ଗନବାଡି କେନ୍ଦ୍ରକୁ ପୁଣି ଥରେ ବନ୍ଦ କରିବାକୁ ଉଦ୍ୟମ ହେଲେ ବରଦାସ୍ତ କରାଯିବନି ବରଂ ଓଡିଶାର ଅଙ୍ଗନବାଡି କେନ୍ଦ୍ରକୁ ଉଡାଇ ଦିଆଯିବ ବୋଲି କହିଛନ୍ତି ଖୋଦ ଆନ୍ଧ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଏସ. ଆପଲ ରାଜୁ। ଓଡ଼ିଶା ମାଟିରେ ପହଞ୍ଚି ଆନ୍ଧ୍ର ସରକାରଙ୍କ ଜଣେ ଦାୟିତ୍ବସମ୍ପନ୍ନ ମନ୍ତ୍ରୀଙ୍କ ଏଭଳି ଚେତାବନୀପୂର୍ଣ୍ଣ ଭାଷଣବାଜିକୁ ଗଜପତି ପ୍ରଶାସନ ସହଜରେ ଗ୍ରହଣ କରିପାରିନି।

ସୂଚନା ମୁତାବକ ଗଜପତି ଜିଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ଆନ୍ଧ୍ର ସୀମାନ୍ତରେ ଥିବା ମାଣିକପଟଣାାରେ ଆନ୍ଧ୍ର ସରକାର ୨୦୧୨ ମସିହାରୁ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି। ସେହି କେନ୍ଦ୍ରରେ ଓଡିଶାର ଜଣେ ମହିଳାଙ୍କୁ କର୍ମୀ ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶାର ମହିଳା ଜଣକ ଆନ୍ଧ୍ରର ଏହି କେନ୍ଦ୍ରରେ କାମ କରୁଥିଲେ। କରୋନା କଟକଣା କାରଣରୁ କେନ୍ଦ୍ରଟି କିଛିଦିନ ବନ୍ଦ ରହିଥିଲା। ନିକଟରେ କର୍ମୀ ଜଣକ ଓଡ଼ିଶାର ପିଲାଙ୍କୁ ପ୍ରଲୋଭିତ କରି ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢାଉଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଗଜପତି ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା। ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଗଁାବାସୀ ଜଣାଇବା ପରେ ତିନିଦିନ ତଳେ ରାୟଗଡ଼ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ମାଣିକପାଟଣାରେ ପହଞ୍ଚି ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ସେହି ସମୟରେ ଆନ୍ଧ୍ର ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀଙ୍କ ସହ ରାୟଗଡା ତହସିଲଦାରଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତହସିଲଦାରଙ୍କ ଅଭିଯୋଗ କ୍ରମେ ଉକ୍ତ ଯୁବକଙ୍କୁ ଗାରବନ୍ଧା ଥାନା ପୁଲିସ ଗିରଫ କରିଥିଲା। ଗିରଫଦାରି ପରେ ମାଣିକପାଟଣାକୁ ଆନ୍ଧ୍ରର କେତେକ ଅଧିକରୀ ଆସି ଓଡିଶା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସମାଧାନର ବାଟ ବାହାରିନଥିଲା। ଏଠାରେ ସୀମାକୁ ନେଇ ବାଦବିବାଦ ଥିବା ଯୋଗୁ ଉକ୍ତ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟର ଜିଲାସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯିବାକୁ ସ୍ଥିର ହୋଇଥିଲା। ଉଭୟ ରାଜ୍ୟର ଜିଲାସ୍ତରୀୟ ଅଧିକାରୀଙ୍କ ଆଲୋଚନା ପୂର୍ବରୁ ଗତକାଲି ଆନ୍ଧ୍ର ପ୍ରଶାସନ ଓ ପୁଲିସ କର୍ମଚାରୀମାନେ ମାଣିକପାଟଣାରେ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରକୁ ପୁନଃ ଚାଲୁ କରିଦେଇଥିଲେ। ଆଜି ଆନ୍ଧ୍ରର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଏସ. ଆପଲ ରାଜୁ ମାଣିକପାଟଣାରେ ପହଞ୍ଚି ଓଡ଼ିଶାକୁ ଧମକ ଦେଇଛନ୍ତି। ଓଡ଼ିଶା ମାଟିରେ ପାଦ ଥାପି ଓଡ଼ିଶାକୁ ଧମକ ଦେବାରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏହା ଦୁଇ ରାଜ୍ୟର ସମସ୍ୟା। ଉଭୟ ପକ୍ଷର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବାକୁ ଥିବା ବେଳେ ଆନ୍ଧ୍ରର ଜଣେ ମନ୍ତ୍ରୀ ଏଭଳି ଧମକପୂର୍ଣ୍ଣ ବିବୃତି ଦେବା ଠିକ ନୁହେଁ ଏବଂ ଏହା ନିନ୍ଦନୀୟ ବୋଲି ଗଜପତି ଅତିରିକ୍ତ ଜିଲାପାଳ ସଂଗ୍ରାମଶେଖର ପଣ୍ଡା କହିଛନ୍ତି।
ଅନ୍ୟପଟେ ଉକ୍ତ ବିବଦମାନ ଅଙ୍ଗନବାଡି କେନ୍ଦ୍ରକୁ ତାଲା ପକାଇବା ଅଭିଯୋଗରେ ଆନ୍ଧ୍ର ସରକାର ଓ ପୁଲିସ ଓଡ଼ିଶାର କେତେକ ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରିଥିବା ଶୁଣାଯାଉଛି।



