www.samajalive.in
Sunday, December 14, 2025
19.1 C
Bhubaneswar

ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା : ପରିବାରକୁ ନ୍ୟାୟ ଦାବିରେ ଖଇରା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ଖଇରା : ପାରଳାଖେମୁଣ୍ଡିର ପୂର୍ବତନ ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଉପଯୁକ୍ତ ତଦନ୍ତ ସହ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ୬ ଘଣ୍ଟିଆ ଖଇରା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁର ଦୁଇ ମାସ ପରେ ବି ତଦନ୍ତ ସରୁ ନ ଥିବାରୁ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି। ସେହିପରି ନିଜ ମାଟିର ଜଣେ ପ୍ରତିଭାଙ୍କ ଦୁଃଖଦ ମୃତ୍ୟୁ ଘଟଣାର ତଦନ୍ତରେ କଛପ ଗତି ନୀତିକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଆଜି ସକାଳ ୬ ଘଟିକାରେ ବାଲେଶ୍ୱର ଜିଲାର ସୋର-କୁପାରୀ ରାଜ୍ୟ ରାଜପଥର ଖଇରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଉପରେ ବିଭିନ୍ନ ସଙ୍ଗଠନର କର୍ମୀ ବସି ରହିଥିଲେ। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଥିଲା। ଖଇରାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ବିଭିନ୍ନ ସଙ୍ଗଠନର କର୍ମୀମାନେ ସ୍ଲୋଗାନ ଦେବା ସହ ଶୋଭାଯାତ୍ରାରେ ବାହାରି ବଣପାରିଆ ଛକ ଯାଏ ଯାଇଥିଲେ। ପରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ସୌମ୍ୟଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଙ୍ଗଠନର ବକ୍ତାମାନେ ଚେତାବନୀ ଦେଇଥିଲେ। ସେହିପରି କଟକସ୍ଥିତ ଅପରାଧ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଆଗାମୀ ଦିନରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଅପରପକ୍ଷେ ଉଚ୍ଚ ନ୍ୟାୟାଳୟଙ୍କ ତତ୍ୱାବଧାନରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଏହି ଘଟଣାର ତଦନ୍ତ କରାଯିବା ନେଇ ମଧ୍ୟ କର୍ମକର୍ତ୍ତାମାନେ ସେଠାରେ ଦାବି କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories