ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଏସ୍ପି-ବିଏସ୍ପି ମେଣ୍ଟ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ପରେ ଏବେ ସମାଜବାଦୀ ପାର୍ଟି (ଏସ୍ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍ପି) ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢିବେ ବୋଲି ସୋମବାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ମଧ୍ୟପ୍ରଦେଶରେ ଏସ୍ପି ୩ଟି ଏବଂ ବିଏସ୍ପି ୨୬ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବେ। ସେହିପରି ଉତ୍ତରଖଣ୍ଡରେ ଏସ୍ପି ଗୋଟିଏ ଓ ବିଏସ୍ପି ୪ଟି ଆସନରେ ପ୍ରାର୍ଥୀ ଦେବେ। ଏହି ଦୁଇ ରାଜ୍ୟରେ ମେଣ୍ଟରୁ କଂଗ୍ରେସକୁ ଦୂରରେ ରଖାଯାଇଛି। ମଧ୍ୟପ୍ରଦେଶ ବାଲାଘାଟ, ଟିକମଗଡ଼ ଏବଂ ଖଜୁରାହୋ ଲୋକସଭା ଆସନରେ ଏବଂ ଉତ୍ତରାଖଣ୍ଡର ଗଢୱାଲରେ ଏସ୍ପି ନିର୍ବାଚନ ଲଢିବ।
ପ୍ରକାଶଯୋଗ୍ୟ ଯେ ୨୦୧୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ୮୦ ଆସନରୁ ବିଜେପି ୭୩, କଂଗ୍ରେସ ୨, ଏସ୍ପି ୫, ବିଏସ୍ପି କୌଣସି ଆସନ ଜିତିନଥିଲେ। ମଧ୍ୟପ୍ରଦେଶର ୨୯ ଆସନରୁ ବିଜେପି ୨୭ ଓ କଂଗ୍ରେସ ୨ ଆସନ, ଉତ୍ତରାଖଣ୍ଡର ୫ରୁ ୫ଟି ଯାକଁ ଆସନରେ ବିଜେପି ଜିତିଥିଲା।