www.samajalive.in
Sunday, December 14, 2025
17.1 C
Bhubaneswar

କିଶୋରଙ୍କୁ ଜୀବନ କୌଶଳ ଶିକ୍ଷା ଦେବ ‘ଅଦ୍ୱିକା ଆପ୍‌’

ଭୁବନେଶ୍ୱର : କିଶୋର କିଶୋରୀଙ୍କୁ ଜୀବନକୌଶଳ ଶିକ୍ଷା ଦେବ ‘ଅଦ୍ୱିକା ଆପ୍‌’। ଅଦ୍ୱିକା କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ସାମିଲ ହୋଇପାରିଛନ୍ତି। ଏହା ମାଧ୍ୟମରେ କିଶୋର କିଶୋରୀଙ୍କ ଦକ୍ଷତା ଶିକ୍ଷା, ଜୀବନକୌଶଳ ଆଦିରେ ଉନ୍ନତି ଆସିବା ସଙ୍ଗେ ସଙ୍ଗେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଅଧିକ ସୁଗମ ଓ ସାର୍ବଜନୀନ କରିବା ଲକ୍ଷ୍ୟ ନେଇ ବୁଧବାର ‘ଅଦ୍ୱିକା ଆପ୍‌’ର ଶୁଭ ଉନ୍ମୋଚନ କରାଯାଇଛି।
‘ଅଦ୍ବିକା ମୋବାଇଲ ଆପ୍’ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଛନ୍ତି। ସେ କହିଛନ୍ତି କିଶୋର କିଶୋରୀମାନଙ୍କ ସଶକ୍ତୀକରଣ ଆମର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସହିତ ନିଜର ଅଧିକାର ବିଷୟରେ ସଚେତନତା ଆମକୁ ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିବାରେ ସହାୟକ ହୋଇଥାଏ। କିଶୋର କିଶୋରୀମାନେ ଏହି ଆପର ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମର ଉପଯୋଗ କରି ଆତ୍ମବିଶ୍ବାସର ସହ ଜୀବନର ସବୁ ଆହ୍ବାନକୁ ମୁକାବିଲା କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହାସହିତ ମହିଳା ଓ ଶିଶୁ ବିକାଶ ବିଭାଗର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ‘ଅଦ୍ୱିକା ଆପ୍‌’ ଉନ୍ମୋଚନ କରିବା ସହ ସମସ୍ତଙ୍କର ମିଳିତ ସହଯୋଗରେ ରାଜ୍ୟକୁ ୨୦୩୦ ସୁଦ୍ଧା ବାଲ୍ୟବିବାହମୁକ୍ତ କରିବାରେ ସଫଳ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ମିଶନ ପୋଷଣ, ମିଶନ ଶକ୍ତି ଓ ମିଶନ ବାତ୍ସଲ୍ୟ ଭଳି ଅଭିନବ ଯୋଜନାର ବହୁମୁଖୀ କାର୍ଯ୍ୟକାରିତା ତା’ର ଜ୍ୱଳନ୍ତ ଉଦାହରଣ ବୋଲି ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି। ଏକବିଂଶ ଶତାବ୍ଦୀରେ କିଶୋରୀକିଶୋରଙ୍କର ସମୃଦ୍ଧ ସ୍ୱାସ୍ଥ୍ୟ ଓ ଅଧିକାର ସହିତ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସେମାନଙ୍କର ଜୀବନକୌଶଳ ଓ ଜୀବିକା ସୁଯୋଗ ବୃଦ୍ଧି କରାଯାଇପାରିଲେ ରାଜ୍ୟର କିଶୋରୀକିଶୋରମାନେ ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରିବେ ବୋଲି ୟୁନିସେଫ୍‌ ଭାରତର ୟୁୱାହ ମୁଖ୍ୟ ଧୁୱାରାଖା ଶ୍ରୀରାମ ପ୍ରକାଶ କରିଛନ୍ତି। ଓଡ଼ିଶାର କିଶୋରୀକିଶୋରଙ୍କ ସ୍ୱପ୍ନକୁ ସାକାର କରିବାକୁ ହେଲେ ସେମାନଙ୍କୁ ବୈଷୟିକ ଜ୍ଞାନକୌଶଳରେ ପାରଙ୍ଗମ କରିବାକୁ ପଡ଼ିବ ବୋଲି ମାଇକ୍ରୋସସଫ୍ଟ ଫିଲାନ୍‌ଥ୍ରୋପିସ୍‌ର ନିର୍ଦେଶକ ମଞ୍ଜୁ ଦାସମାନା ପ୍ରକାଶ କରିଛନ୍ତି। ଏହି ଆପ୍‌କୁ ୟୁନିସେଫ୍‌, ୟୁୱାହ ଓ ମାଇକ୍ରୋସଫ୍ଟ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି।
ସୂଚନାଯୋଗ୍ୟ ଯେ ଅଦ୍ୱିକା କାର୍ଯ୍ୟକ୍ରମ ଜରିଆରେ ୨୦୨୧-୨୨ ବର୍ଷରେ ୧୭୩୭ଟି ବାଲ୍ୟବିବାହକୁ ରୋକାଯିବା ସହ ପାଖାପାଖି ୧୨ ହଜାର ଗ୍ରାମକୁ ବାଲ୍ୟବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି । ଅଦ୍ୟାବଧି ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା ୧୭ ରୁ ୧୯ ବର୍ଷର ୧୩,୬୧୪ କିଶୋରୀକିଶୋରଙ୍କୁ ଦୀନଦାୟଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଓ କୌଶଳ ବିକାଶ ମିଶନରେ ସାମିଲ କରାଯାଇ ସେମାନଙ୍କ ଦକ୍ଷତା ଓ କୌଶଳ ବିକଶିତ କରାଯାଇ ଚସ୍ୱାବଲମ୍ବୀ କରାଯାଇପାରିଛି। ବିଭାଗୀୟ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲାର ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ କିଶୋରୀକିଶୋର ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories