ମାଓ ଆକ୍ରମଣରେ ସାମ୍ବାଦିକଙ୍କ ମୃତ୍ୟୁର ବର୍ଷେ ପରେ.. ପ୍ରତିଶ୍ରୁତିରେ ହଜିଗଲା ସହାୟତା

ଚିକିତ୍ସା ଅଭାବରୁ ମା ମୃତ, ବାପାଙ୍କ ଅବସ୍ଥାବି ଭଲ ନାହିଁ

ବଲାଙ୍ଗିର: ୩୦ ଅକ୍ଟୋବର୨୦୧୮। ଛତିଶଗଡ ସାଧାରଣ ନିର୍ବାଚନ ସମ୍ପର୍କିତ ଖବର ସଂଗ୍ରହ ସମୟରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ ଦୂରଦର୍ଶନ ଟିମ୍‌ । ମାଓ ଗୁଳିରେ ସହିଦ ହୋଇଥିଲେ ଦୂରଦର୍ଶନ ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁ । ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗାଁର ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସାଧାରଣ ନେତାଙ୍କ ଠାରୁ ବଡ ବଡ ନେତ ଅଚ୍ୟୁତାନନ୍ଦଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ପରିବାର ଲୋକଙ୍କୁ ଭେଟି ସହାୟତା ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ଘଟଣାକୁ ଗୋଟିଏ ବର୍ଷ ବିତି ଯାଇଛି । ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ପରେ ପରିବାର ଭାଗ ଭାଗ ହୋଇଯାଇଛି । ଘର ଚଲାଉଥିବା ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ପରେ ରୋଗୀଣା ମା’ଙ୍କ ଚିକିତ୍ସା ହୋଇ ନପାରିବାରୁ ମୃତ୍ୟୁ ହୋଇ ଯାଇଛି । ବାପା କେତେବେଳେ ବଡ ପୁଅ ତ ପୁଣି କେତେବେଳେ ସାନ ପୁଅଙ୍କ ଘରେ ରହି ଦିନ କାଟୁଛନ୍ତି । ପତ୍ନୀ ହୀମାଞ୍ଜଳି ସାହୁ ଦିଲ୍ଲୀରେ ଦୂରଦର୍ଶନରେ କାମ କରୁଛନ୍ତି । ଗୋଟିଏ ଭାଇ ବୀରମହାରାଜପୁରରେ ଓ ଆଉ ଜଣେ ଭାଇ ଭୁବନେଶ୍ୱରରେ ରହୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗୋଟିଏ ଟଙ୍କାର ମଧ୍ୟ ସହାୟତା ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗାଁର ଅଚ୍ୟୁତାନନ୍ଦ ସାହୁ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ । ୨୦୧୮ ଛତିଶଗଡ ସାଧାରଣ ନିର୍ବାଚନ ଖବର ସଂଗ୍ରହ ସମୟରେ ଦାନ୍ତେୱାଡାର ଅରନପୁର ଠାରେ ମାଓବାଦୀ ଅକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଛତିଶଗଡ, ଓଡିଶା ସମେତ ସାରା ଦେଶକୁ ଦୋହଲାଇ ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅଚ୍ୟୁତାନନ୍ଦଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ । ଛତିଶଗଡ ସରକାର ଅଚ୍ୟୁତାନନ୍ଦଙ୍କୁ ସହିଦ ଘୋଷଣା କରି ଆର୍ଥିକ ସହାୟତା ଘୋଷଣା କରିଥିଲେ । ଦୂରଦର୍ଶନ ପକ୍ଷରୁ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ସହିଦଙ୍କ ପରିବାର ଲୋକଙ୍କୁ ବିଭିନ୍ନ ରାଜନୈତିକ ଦଳର ନେତା ଭେଟି ଅନେକ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଘଟଣାର ବର୍ଷକ ପରେ ସ୍ଥିତି ଭିନ୍ନ ରହିଛି । ରାଜନେତାମାନେ ସ୍ୱର୍ଗତ ଅଚ୍ୟୁତାନନ୍ଦଙ୍କୁ ମନେ ରଖିଛନ୍ତି ନା ନାହିଁ ତାହା କହିବା ମୁସ୍କିଲ । କିଡନୀ ରୋଗରେ ଆକ୍ରାନ୍ତ ମା’ଙ୍କ ଚିକିତ୍ସା ପାଇଁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଚିକିତ୍ସା ଅଭାବରୁ କିଛି ମାସ ତଳେ ଅଚ୍ୟୁତାନନ୍ଦଙ୍କ ମା’ଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଦୂରଦର୍ଶନ ପକ୍ଷରୁ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ମୁତାବକ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ତାଙ୍କ ଭାଇ ପ୍ରଭାତ ସାହୁ କହିଛନ୍ତି । କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କ ଭାଇ ପ୍ରଭାତଙ୍କୁ କିଟ୍‌ରେ ନିଯୁକ୍ତି ପ୍ରଦାନ କରିଛନ୍ତି । ବଡ ଭାଇ ବୀରମହାରାଜପୁରରେ ରହୁଥିବା ବେଳେ ସେ ନିଜେ ଭୁବନେଶ୍ୱର ରହି ପରିବାର କଥା ବୁଝୁଥିବା କହିଛନ୍ତି । ଛତିଶଗଡ ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି ପ୍ରଭାତ । ଓଡିଶା, ଛତିଶଗଡ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବଲାଙ୍ଗିର ଜିଲାପାଳ, ଏସପିଙ୍କୁ ଅନେକ ଥର ଗୁହାରୀ ସତ୍ୱେ କୌଣସି ପ୍ରକାର ସୂଚନା ମିଳୁନଥିବା କହିଛନ୍ତି ଶ୍ରୀ ସାହୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ମଧ୍ୟ ସହାୟତା ମିଳିନଥିବା କହିଛନ୍ତି ପ୍ରଭାତ । ବାରମ୍ବାର ସହାୟତା ପାଇଁ ଆବେଦନ ସତ୍ୱେ କିଛି ନମିଳିବା ତାଙ୍କୁ ଅପମାନିତ କରିଥିବା କହିଛନ୍ତି । ଅନେକ କଥା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସହିଦ ପରିବାରକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

kalyan agarbati

Comments are closed.