ପୁଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ଜଗତସିଂହପୁର : ଜଗତସିଂହପୁର ଏସ୍‍ଡିଜେଏମ କୋର୍ଟକୁ ଚାଲାଣ ହୋଇଥିବା ଜଣେ ଅଭିଯୁକ୍ତକୁ ଜାମିନ ନ ମିଳିବାରୁ ସେ ଶନିବାର ଅପରାହ୍ଣରେ ପୁଲିସ ହେପାଜତରୁ ଚମ୍ପଟ ମାରିଛି। ପୁଲିସ ତା’କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଥିଲେ ମଧ୍ୟ ରାତି ୯ଟା ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଜଗତସିଂହପୁର ଥାନା ଅନ୍ତର୍ଗତ ସିଙ୍ଗାରପୁର ଗ୍ରାମର ଅଭିମନ୍ୟୁ ସିଂହଙ୍କ ପୁଅ ସୂର୍ଯ୍ୟ (୧୯) ସେହି ଗ୍ରାମର ବିନାୟକ ସିଂହଙ୍କ ଝିଅ କଳ୍ପନାଙ୍କୁ ପ୍ରେମବିବାହ କରିଥିଲା। ସେମାନଙ୍କ ଏକ ଝିଅ ମଧ୍ୟ ଅଛି। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ କଳ୍ପନା ନିଜ ବାପଘରେ ରହୁଥିଲେ। ଗତମାସ ୪ତାରିଖ ରାତି ୧୦ଟାରେ ବିନାୟକ ନିଜଘର ସାମ୍ନାରେ ଠିଆ ହୋଇଥିବା ବେଳେ ସୂର୍ଯ୍ୟ ଏକ ଲୁହାରଡରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲା। ଏଥିରେ ବିନାୟକଙ୍କ ମୁଣ୍ଡ ଫାଟିବା ସହ ପ୍ରବଳ ରକ୍ତସ୍ରାବ ହେବାରୁ ସେ ଅଚେତ ହୋଇପଡିଥିଲେ। ପାଟିତୁଣ୍ଡ ଶୁଣି ଘର ଓ ପଡୋଶୀ ଆସିଯିବାରୁ ସୂର୍ଯ୍ୟ ସେଠାରୁ ଫେରାର ହୋଇଯାଇଥିଲା। ପରେ ବିନାୟକଙ୍କ ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା।
ସେଦିନଠାରୁ ଫେରାର ଥିବା ସୂର୍ଯ୍ୟକୁ ପୁଲିସ ଶନିବାର ସକାଳେ ଗିରଫକରି କୋର୍ଟଚାଲାଣ କରିଥିଲା। ତେବେ କୋର୍ଟରେ ତା’ର ଜାମିନ ନାମଞ୍ଜୁର ହେବାରୁ ସେ ଜେଲ୍‍ ଯିବ ବୋଲି ଜାଣି କୋର୍ଟରୁ ଭ୍ୟାନକୁ ଆସିବା ସମୟରେ ଆଣୁଥିବା ପୁଲିସ କର୍ମଚାରୀଙ୍କ ହାତକୁ ଛାଟି ଦେଇ ଦୌଡି ପଳାଇଥିଲା।
ପୁଲିସ କର୍ମଚାରୀମାନେ ତା’ ପଛେ ପଛେ ଦୌଡିଥିଲେ ମଧ୍ୟ ତା’କୁ ପାଇ ନ ଥିଲେ।

kalyan agarbati

Comments are closed.