୧୦ ଗୁଣା ବଢ଼ିବ ସଡ଼କ ଦୁର୍ଘଟଣା କ୍ଷତିପୂରଣ ରାଶି
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିଙ୍କ କ୍ଷତିପୂରଣ ରାଶି ୧୦ ଗୁଣା ବୃଦ୍ଧି ପାଇବ। କେନ୍ଦ୍ର ସରକାର ଏ ସମ୍ପର୍କରେ ଚିନ୍ତା କରୁଛନ୍ତି। ପ୍ରାୟ ୨୪ ବର୍ଷ ପରେ ସଂଶୋଧିତ ହେବାକୁ ଯାଉଥିବା ନିୟମାବଳୀରେ ଉପରୋକ୍ତ ବ୍ୟବସ୍ଥା ରହିବ। ଅବଶ୍ୟ କ୍ଷତିପୂରଣ ଦାବିର ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଇଚ୍ଛାଧୀନ ବୋଲି କେନ୍ଦ୍ର ପରିବହନ ମନ୍ତ୍ରାଳୟ ମତ ଦେଇଛି। ଯଦି ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ୍ରୁ ମିଳିବାକୁ ଥିବା କ୍ଷତିଭରଣା ରାଶି ସରକାରୀ କ୍ଷତିଭରଣା ରାଶିଠାରୁ ଅଧିକ ହେବ ତେବେ ପୀଡ଼ିତମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ ଟ୍ରିବ୍ୟୁନାଲ୍ରେ ଦାବି ଉପସ୍ଥାପନ କରିପାରିବେ।
ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଓ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯାଉଛି। ପୀଡ଼ିତଙ୍କ ବାର୍ଷିକ ଆୟ ସୀମା, ବୟସ, ପୀଡ଼ିତଙ୍କ ଉପରେ ପରିବାରର କେତେଜଣ ନିର୍ଭରଶୀଳ ସେହି ସବୁକୁ ଆଧାରକୁ ନେଇ କ୍ଷତିପୂରଣ ରାଶିର ପରିମାଣ ନିର୍ଣ୍ଣୟ କରାଯାଉଛି। କ୍ଷତିପୂରଣ ପାଇବାକୁ ହେଲେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭରର ଭୁଲ୍କୁ ପୀଡ଼ିତଙ୍କ ପକ୍ଷରୁ ପ୍ରମାଣ ଦେବାକୁ ପଡ଼ୁଛି। କିନ୍ତୁ ପ୍ରକାଶ ପାଇବାକୁ ଥିବା ନୂଆ ବିଜ୍ଞପ୍ତିରେ ଏସବୁ ଝିଞ୍ଜଟକୁ ଯଥାସମ୍ଭବ ଦୂର କରିବାକୁ ପାଇଁ ଚେଷ୍ଟା କରଯାଇଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ମିଳିବ। ଯଦି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଭିନ୍ନକ୍ଷମ ହୁଅନ୍ତି ତେବେ ତାଙ୍କୁ ଅବସ୍ଥା ଆଧାରରେ ସର୍ବନିମ୍ନ ୫୦ ହଜାରରୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ବାର୍ଷିକ ସହାୟତା ରାଶି ୫% ବୃଦ୍ଧି ପାଇ ଚାଲିବ। ପରିସଂଖ୍ୟାନ ଅନୁଯାୟୀ ଭାରତରେ ସଡ଼କ ଦୁର୍ଘଟଣାରେ ବାର୍ଷିକ ୧ ଲକ୍ଷ ୫୦ ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ୫ ଲକ୍ଷ ଲୋକ ଆହତ ହେଉଛନ୍ତି।