ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ: ନିମ୍ନଭାଗରେ ଜଳ ପହଞ୍ଚାଇବା ଓ ଜଳସେଚନର ସୁପରିଚାଳନାକୁ ଗୁରୁତ୍ୱ

ଶ୍ରେଷ୍ଠ ଚାଷୀ ଭାବେ ଅଭିରାମ ମାଝୀ ସମ୍ବର୍ଦ୍ଧିତ

କେନ୍ଦୁଝରଗଡ଼ : କ୍ଷୁଦ୍ର ଜଳସେଚନ ବିଭାଜନ କେନ୍ଦୁଝର ପକ୍ଷରୁ ଅଡିଟୋରିୟମ ଠାରେ ଗୁରୁବାର ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ ହୋଇଯାଇଛି। କ୍ଷୁଦ୍ର ଜଳସେଚନ ବିଭାଜନ କେନ୍ଦୁଝରର ଅଧିକ୍ଷଣ ଯନ୍ତ୍ରୀ ଇଂ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଲୋକସଭା ସଦସ୍ୟ ଅନନ୍ତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନିମ୍ନଭାଗରେ ଥିବା ଚାଷଜମିକୁ ବିଭାଗ ପକ୍ଷରୁ ଜଳ ପହଞ୍ଚାଇବା ଏବଂ ଜଳସେଚନର ସୁପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

prayash

ଏଥିସହ ଜିଲାର ଅଧିକାଂଶ କୃଷକଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଥିଲେ ହେଁ ଧାର୍ଯ୍ୟ ସମୟରେ ଚାଷୀଙ୍କ ଜମିକୁ ଜଳସେଚିତ ହୋଇପାରୁନଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଥିବାରୁ ଏଭଳି ସମସ୍ୟାକୁ କିଭଳି ଦୂର କରାଯାଇ ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ବିଶାଲ ସିଂହ, ନାବାର୍ଡ ଉପପ୍ରବନ୍ଧକ ଡ. ଡି.କେ.ମଲ୍ଲିକ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ କେନ୍ଦୁଝର ଅଶୋକ କୁମାର ସେନାପତି, ଉଦ୍ୟାନକୃଷି ଉପନିର୍ଦ୍ଦେଶକ ସୌମେନ୍ଦ୍ର ପାଣିଗ୍ରାହୀ, ଜିଲା ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ, ଆନନ୍ଦପୁର ଅଧିକ୍ଷଣ ଯନ୍ତ୍ରୀ ଇଂ ଅଶୋକ କୁମାର ସେଠୀ, ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ବିଶ୍ୱଦୀପ ସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ପାଳନରେ ସୀମିତ ନରହି ପ୍ରକୃତପକ୍ଷେ ଚାଷୀଙ୍କ ଜମିକୁ କିଭଳି ଅଧିକ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିବ ତାହାରି ଉପରେ ଗୁରୁତ୍ୱାରୋପ କରିଥିଲେ।

ଶତାଧିକ ଚାଷୀ ଏହି ସମାବେଶରେ ଯୋଗ ଦେଇଥିବା ବେଳେ ସଦର ବିଭାଗର ପଦ୍ମପୁର ପଞ୍ଚାୟତ ଦାବାଙ୍କ ଗ୍ରାମର ଚାଷୀ ଅଭିରାମ ମାଝୀଙ୍କୁ ଶ୍ରେଷ୍ଠ ଚାଷୀ ଭାବେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା। ଏଥିସହ ବିଦ୍ୟାଳୟସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ତେଲକୋଇର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଧରପୁର କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ଭାଗିରଥୀ ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଡିଟୋରିୟମ ବାହାରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶିତ ହୋଇଥିଲା।

Comments are closed.