ରେକର୍ଡ କଲା ଆରୋଗ୍ୟ ସେତୁ ଆପ୍ : ମାତ୍ର ୧୩ ଦିନରେ ୫୦ନିୟୁତ ଉପଭୋକ୍ତା କଲେ ଡାଉନଲୋଡ୍

କରୋନା ଭୂତାଣୁ ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ଭାରତ ସରକାର କିଛି ଦିନ ପୂର୍ବରୁ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଲଞ୍ଚ କରିଥିଲେ। ବର୍ତ୍ତମାନ ଏହି ମୋବାଇଲ୍ ଆପ୍ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ମାତ୍ର ୧୩ ଦିନ ମଧ୍ୟରେ ୫କୋଟି ଲୋକ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନଲୋଡ୍ କରିଛନ୍ତି । ଏହା ସହିତ ଏହି ଆପ୍ ଦୁନିଆର ଅଧିକାଂଶ ଡାଉନଲୋଡ୍ ହୋଇଥିବା ଆପ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ନୀତି ଆୟୋଗ ରିପୋର୍ଟରୁ ଜଣାପଡ଼ିଛି ।

ନୀତି ଆୟୋଗ ରିପୋର୍ଟ ଅନୁଯାୟୀ, ୧୩ ଦିନରେ ୫୦ ମିଲିୟନ୍ ବା ୫ କୋଟି ଲୋକ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନଲୋଡ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦେଶକୁ ସମ୍ବୋଧିତ କରିବାର ୨୪ ଘଣ୍ଟା ମଧ୍ୟରେଏହି ଆପକୁ ୧୧ ମିଲିୟନ ଲୋକ ଡାଉନଲୋଡ୍ କରିଥିଲେ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରୁଥିବାବେଳେ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ନିବେଦନ କରିଥିଲେ।

ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ କ’ଣ?
କରୋନା ଭୂତାଣି ସଂକ୍ରମଣକୁ ରୋକିବା ପାଇଁ ଆରୋଗ୍ୟ ସେତୁ ଆପ୍ ଡିଜାଇନ୍ କରାଯାଇଛି। ଆରୋଗ୍ୟ ସେତୁ ଆପ୍ ଲୋକମାନଙ୍କୁ ସୂଚାଇଦେବ ଯେ ଆପଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ । ଏହି ଆପଟି ବ୍ୟବହାରକାରୀ ପାଇଁ ବିପଦ ଆକଳନ କରିଥାଏ ଏବଂ ସୂଚନା ଦେଇଥାଏ ।

କିଭଳି କାର୍ଯ୍ୟ କରେ : ଆରୋଗ୍ୟ ସେତୁ ଆପ୍ ହିନ୍ଦୀ, ଇଂରାଜୀ ଏବଂ ମରାଠୀ ସହିତ ୧୧ ଟି ଭାଷାରେ ଉପଲବ୍ଧ । ଏହି ଆପରେ କରୋନା ଭୂତାଣୁ  ରୋକିବା ପ୍ରଣାଳୀ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।  ଏହି ଆପର ପ୍ରମୁଖ ଫିଚର ହେଉଛି ଆତ୍ମ-ମୂଲ୍ୟାଙ୍କନ (ସେଲ୍‌ଫ-ଆସେସ୍‌ମେଣ୍ଟ)। ଏଥି​‌େ​‌ର ବୟସ, ବୃତ୍ତି (ଡେଲିଭରି ସର୍ଭିସ୍‌, ସ୍ବାସ୍ଥ୍ୟକର୍ମୀ ଇତ୍ୟାଦି), ଅନ୍ତର୍ଜାତୀୟ ଯାତ୍ରା ବିବରଣୀ, କୌଣସି କରୋନା ରୋଗୀଙ୍କ ସଂପର୍କରେ ଆସିଥିଲେ ତା’ର ବିବରଣୀ, ଶରୀରର ଲକ୍ଷଣ ଓ ପୂର୍ବରୁ କୌଣସି ରୋଗ ଥିଲେ ତା’ର ବିବରଣୀ ପ୍ରଦାନ କରିବାପାଇଁ ପ୍ରଶ୍ନାବଳୀ ଦିଆଯାଇଛି। ଏହି ତଥ୍ୟ ପ୍ରଦାନ କରିବା ମାତ୍ରେ ଆପ୍‌ଟି ବ୍ୟବହାରକାରୀ ପାଇଁ ‘ବିପଦ ଆକଳନ’ କରିଥାଏ ଏବଂ ସେହି ଅନୁସାରେ ସୂଚନା ଦେଇଥାଏ।

prayash

ଆହୁରି ମଧ୍ୟ ଏହି ଆପ୍‌ ବ୍ୟବହାରକାରୀର ଅବସ୍ଥିତି ତଥ୍ୟକୁ ଜିପିଏସ୍‌ ମାଧ୍ୟମରେ ସଂଗ୍ରହ କରିଥାଏ। ସେହିପରି ବ୍ଲୁଟୁଥ୍‌ ଜରିଆରେ ଅନ୍ୟମାନଙ୍କ ତଥ୍ୟ ମଧ୍ୟ ଖୋଜିଥାଏ। କେତେକ ବିଶେଷ ସ୍ଥିତି ବ୍ୟତୀତ ଏହି ଲୋକେସନ ଓ ଶାରୀରିକ ସମ୍ପର୍କଜନିତ ତଥ୍ୟ କେବଳ ବ୍ୟବହାରକାରୀର ଫୋନ୍‌ରେ ହିଁ ଗଚ୍ଛିତ ହୋଇରହେ ବୋଲି ଏହି ଆପ୍‌ ତିଆରିରେ ସହାୟତା କରିଥିବା ଜଣେ ପ୍ରଯୁକ୍ତିବିତ୍‌ କହିଛନ୍ତି।

ଯଦି ବ୍ୟବହାରକାରୀ ଦେଇଥିବା ଆତ୍ମ-ମୂଲ୍ୟାଙ୍କନ ତଥ୍ୟ ‘ଏଟ୍‌-ରିସ୍କ’ ହୋଇଥାଏ ବା ପଜିଟିଭ୍ ମାମଲାରେ ୩୦ ଦିନର ‘କଣ୍ଟାକ୍ଟ’ ତଥ୍ୟ ସର୍ଭର୍‌ରେ ଡାଉନ୍‌ଲୋଡ଼ ହୁଏ ଓ ପ୍ରତ୍ୟେକ ‘କଣ୍ଟାକ୍ଟ’ (ସମ୍ପର୍କରେ ଆସିଥିବା ବ୍ୟକ୍ତି)ପାଖକୁ ତା’ର ସୂଚନା ଯାଏ। ତଥ୍ୟର ସତ୍ୟାସତ୍ୟ ପରଖିବା ପରେ ତାହା ସ୍ବାସ୍ଥ୍ୟ ଅଧିକାରୀଙ୍କ ପାଖକୁ ପଠାଯାଏ। ତା’ପରେ ସ୍ବାସ୍ଥ୍ୟ ବିଭାଗ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହନ୍ତି ନୀତି ଆୟୋଗର ପ୍ରକଳ୍ପ ଅଧିକାରୀ ଅର୍ଣ୍ଣବ କୁମାର।

ତଥ୍ୟ ସୁରକ୍ଷା- ଭାରତରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏକ ବଡ଼ ପ୍ରଶ୍ନ ହୋଇଆସିଛି। ତେବେ ଏହି ଆପ୍‌ର ପଲିସି ବା ନୀତିରେ କୁହାଯାଇଛି ‘‘ଏହି ଆପ୍‌ଟି ବ୍ୟବହାରକାରୀର ନାମ ଓ ଫୋନ୍‌ନମ୍ବର କୌଣସି ସମୟରେ ସର୍ବସାଧାରଣ କରିବ ନାହିଁ।’’ ଡାଟା ଏକ ଆଇଡି ନମ୍ବରରେ ସଂଗୃହୀତ ହୋଇ ରହିବ। ଏହାର ‘ପ୍ରାଇଭେସି ପଲିସି’ ଅନୁସାରେ ମୋବାଇଲରେ ଗଚ୍ଛିତ ଡାଟା କେବଳ ସରକାରଙ୍କ ପାଖକୁ ପଠାଯିବ ଏବଂ ଡାଟାସେଟ୍‌ରେ ଏକାଠି କରାଯାଇ ବିସ୍ତୃତ ଅଧ୍ୟୟନ କରାଯିବ। ଯଦି ବ୍ୟବହାରକାରୀ ବା ତାଙ୍କ ସଂପର୍କରେ ଆସିଥିବା କେହି ପଜିଟିଭ୍ ନଥାଆନ୍ତି ଓ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଦ୍ବାରା ଚିହ୍ନିତ ହୋଇନଥାନ୍ତି, ତେବେ ୩୦ ଦିନ ପରେ ଆପ୍‌ରୁ ଲୋକେସନ ଡାଟାକୁ ‘ଡିଲିଟ୍‌’ କରିଦିଆଯିବ। ତେବେ ସର୍ଭର୍‌ରୁ କେବେ ଡିଲିଟ୍‌ କରାଯିବ, ତାହା ଏଥିରେ ଦର୍ଶାଯାଇନାହିଁ। ଏହି ଆପ୍‌ ନିର୍ମାଣକାରୀ ଜଣେ ପ୍ରଯୁକ୍ତିବିତ୍‌ଙ୍କ ମତରେ, ଏହାର ଡାଟା ଅସ୍ଥାୟୀ ଭାବେ ବର୍ତ୍ତମାନ ଆମାଜନ୍‌ ୱେବ୍‌ ସର୍ଭିସ୍‌ ସର୍ଭର୍‌ରେ ଗଚ୍ଛିତ ରହୁଛି ଓ ପରେ ଏନ୍‌ଆଇସି ସର୍ଭର୍‌କୁ ସ୍ଥାନାନ୍ତରିତ ହେବ।

ଏହି ଆପ୍‌ ନିର୍ମାଣ ସହ ସଂପୃକ୍ତ ଜଣେ ପ୍ରଯୁକ୍ତିବିତ୍‌ଙ୍କ ମତରେ ଖୁବ୍‌ଶୀଘ୍ର ଏହାର ଫିଚର୍‌ ଫୋନ୍ ଭର୍ସନ୍ ମଧ୍ୟ ଆସିବ, ଯେଉଁଥିରେ ଆଇଭିଆର୍‌ଏସ୍‌ (ଇଣ୍ଟର୍‌ଆକ୍ଟିଭ୍‌ ଭଏସ୍‌ ରେସ୍‌ପନ୍ସ ସିଷ୍ଟମ୍‌) ବ୍ୟବସ୍ଥା ରହିବ।

 

Comments are closed.