ଆପ ସହ ମେଣ୍ଟ କରିବାକୁ ମନା କଲା କଂଗ୍ରେସ

0

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଇଚ୍ଛାକୃତ ଭାବେ ନୂଆଦିଲ୍ଲୀ ପ୍ରଶାସନରେ ଅଚଳାବସ୍ଥା ସୃଷ୍ଟି କରୁଥିବା ହୃଦବୋଧ କରି ଆମ୍‍ ଆଦ୍‍ମୀ ପାର୍ଟି (ଆପ୍‍) ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ କଂଗ୍ରେସ ସହ ମେଣ୍ଟ ଗଠନ ଯୋଜନା କରିଥିଲା; ମାତ୍ର ଆପ୍‍ର ଏହି ଯୋଜନା ବିଫଳ ହୋଇଥିବା ଜଣାପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍‍ ସହି କୌଣସି ମେଣ୍ଟ ନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଆପ୍‍ର ମେଣ୍ଟ ପ୍ରସ୍ତାବ ଉପରେ କଂଗ୍ରେସ ବିଭିନ୍ନ ସ୍ତରରେ ଦଳୀୟ ନେତା ତଥା କର୍ମୀଙ୍କ ମତାମତ ସଂଗ୍ରହ କରିଥିଲା। ମାତ୍ର ଏହି ମେଣ୍ଟ ୨୦୧୯ ନିର୍ବାଚନ ନେଇ କଂଗ୍ରେସର ଆଭିମୁଖ୍ୟକୁ ଧକ୍କା ଦେବାର ଆଶଙ୍କା ରହିଛି ବୋଲି ଦଳୀୟ ନେତୃବୃନ୍ଦଙ୍କ ମଧ୍ୟରେ ମତ ପ୍ରକାଶ ପାଇଥିବା ଏହାର ନୂଆଦିଲ୍ଲୀ ପ୍ରଭାରୀ ପି. ସି. ଚାକୋ କହିଛନ୍ତି। ଅନ୍ୟପଟେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅଜୟ ମାକେନ୍‍ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କଲେ ବିଜେପିକୁ ଆପ୍‍ ଆଗାମୀ ଲୋକସଭା ନିର୍ବାଚନରେ ସମର୍ଥନ ଦେବେ ବୋଲି ନିକଟରେ କେଜରିୱାଲ କହିଥିଲେ। ଏହି ଦୃଷ୍ଟିକୋଣରୁ ଆପ୍‍ ଉପରେ କଂଗ୍ରେସ୍‍ ବିଶ୍ୱାସ ହରାଇଛି। ନିକଟରେ ଅନୁଷ୍ଠିତ ଏକ ବୈଠକରେ ଆପ୍‍ର ମେଣ୍ଟ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଆପ୍‍ ସମ୍ପୂର୍ଣ୍ଣ ବିଜେପି ବିରୋଧୀ ବୋଲି ଦଳର ପ୍ରମୁଖ ନେତାମାନଙ୍କୁ ଅବଗତ କରାଯାଇଥିଲା। ଏପରିକି ଜାତୀୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆପ୍‍ ଏହାର ୩ ରାଜ୍ୟସଭା ସାଂସଦଙ୍କୁ ନିର୍ଦେଶ ଦେଇଥିବା ମଧ୍ୟ ସୂଚନା ଦିଆଯାଇଥିଲା। ଏହାସତ୍ତ୍ବେ କେଜରିୱାଲଙ୍କ ଉପରୋକ୍ତ ମନ୍ତବ୍ୟକୁ ଦୃଷ୍ଟିରେ ରଖି କଂଗ୍ରେସ ମେଣ୍ଟ ନ କରିବାକୁ ନିଷ୍ପତ୍ତି ନେଇଥିôବା ଜଣାପଡିଛି। କେଜରିୱାଲ ତାଙ୍କ ମନ୍ତ୍ରୀ ପରିଷଦର କିଛି ସଦସ୍ୟଙ୍କ ସହିତ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସମୟରେ କଂଗ୍ରେସ୍‍ ନେତୃବୃନ୍ଦ ଏହି ବୈଠକ କରିଥିବା କୁହାଯାଉଛି। ଦିଲ୍ଲୀରେ ପ୍ରଶାସନିକ ଅଚଳାବସ୍ଥା ଦୂର କରିବା ଲାଗି କେଜରିୱାଲଙ୍କ ଧାରଣାକୁ କଂଗ୍ରେସ ସମର୍ଥନ କରିବା ଉଚିତ ବୋଲି ତତ୍‍ସମୟରେ ଆପ୍‍ ପକ୍ଷରୁ କୁହାଯାଇଥିଲା। ଆପ୍‍ କଂଗ୍ରେସ ସହିତ ମେଣ୍ଟ କରିବାକୁ ଇଚ୍ଛୁକ ବୋଲି ସେ ସମୟରେ କଂଗ୍ରେସ ନେତାମାନେ ପ୍ରଚାର କରୁଥିଲେ। ମାତ୍ର ଏବେ ସେମାନେ ମେଣ୍ଟ କରିବାରୁ ଓହରି ଯାଉଛନ୍ତି ବୋଲି ଆପ୍‍ ମୁଖପାତ୍ର ସୌରଭ ଭରଦ୍ୱାଜ୍‍ କହିଛନ୍ତି।
ଅନ୍ୟପଟେ ଆପ୍‍ର ଏହି ଧାରଣାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସମର୍ଥନ କରିଥିଲେ ମଧ୍ୟ ଦିଲ୍ଲୀର ଦଳୀୟ ନେତା ଏବଂ କର୍ମୀଙ୍କ ମତାମତ କ୍ରମେ କଂଗ୍ରେସ ଦୂରତ୍ୱ ରକ୍ଷା କରିଥିଲା। କଂଗ୍ରେସ ଏହାର ଦଳ ମଧ୍ୟରେ କରିଥିବା ସର୍ଭେ ଅନୁସାରେ ଦଳ ଆଗାମୀ ନିର୍ବାଚନରେ ଦିଲ୍ଲୀର ମୋଟ ୭ ଲୋକସଭା ଆସନ ମଧ୍ୟରୁ ୩ରୁ ୪ଟିରେ ବିଜୟୀ ହେବ। ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସଂଖ୍ୟାଲଘୁ, ଦଳିତ ଏବଂ ଅନ୍ୟ ବର୍ଗର ଭୋଟର ଦିଲ୍ଲୀରେ ଉଭୟ ବିଜେପି ଏବଂ ଆପ୍‍ ଉପରେ ଅସନ୍ତୁଷ୍ଟ ଥିବାରୁ ବିଗତ ନିର୍ବାଚନରେ ଆପ୍‍କୁ ସମର୍ଥନ କରିଥିବା ଭୋଟର୍‍ କଂଗ୍ରେସକୁ ସମର୍ଥନ କରିବେ ବୋଲି ଦଳର ବରିଷ୍ଠ ନେତା ଶୀଲା ଦୀକ୍ଷିତ, ଅଜୟ ମାକେନ ଏବଂ ଅନ୍ୟ ସାଂସଦମାନେ ମତ ଦେଇଛନ୍ତି। ଦେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି। ଏସବୁକୁ ଦୃଷ୍ଟିରେ ରଖି କଂଗ୍ରେସ୍‍ ଦିଲ୍ଲୀରେ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବା ଉଚିତ ବୋଲି ସେମାନେ ମତ ଦେଇଥିବା ଚାକୋ କହିଛନ୍ତି।

kalyan agarbati
Leave A Reply