ଶିଡିରୁ ଖସି ପଡିି ଛାତ୍ର ମୃତ

0

ସୁନ୍ଦରଗଡ଼/ଟାଙ୍ଗରପାଲି : କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିରକାଲଡିହି ସେବାଶ୍ରମର ଜଣେ ଅନ୍ତେବାସୀ ଆଜି ସକାଳେ ଛାତ୍ରାବାସ ଶିଢିରୁ ଖସି ପ୍ରାଣ ହରାଇବା ଭଳି ଅଭାବନୀୟ ଘଟଣା ଘଟିଛି। ଏହା ଜଣା ପଡିବା ପରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, କିଞ୍ଜିରକେଲା ଥାନା ଅନ୍ତର୍ଗତ ବିରକାଲଡିହି ଗ୍ରାମର ବିମଳ କେର୍କେଟାଙ୍କ ପୁଅ ରଶ୍କିକାନ୍ତ କେର୍କେଟା (୧୨) ବିରକାଲଡିହି ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ର ଥିଲେ। ସେ ସେବାଶ୍ରମର ଅନ୍ତେବାସୀ ହିିସାବରେ ଅଧ୍ୟୟନରତ ଥିଲେ। ଆଜି ସକାଳେ ସେ ଜଳଖିଆ ଖାଇବା ପାଇଁ ଆସୁଥିବା ବେଳେ ଛାତ୍ରାବାସ ଶିଡିରୁ କୁଆଡ଼େ ଅସାବଧାନବଶତଃ ଖସି ପଡିଥିଲା। ସେବାଶ୍ରମ କର୍ତ୍ତୃପକ୍ଷ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ସୁନ୍ଦରଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ମୃତ ଛାତ୍ରଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବାପା ବିମଳ କେର୍କେଟାଙ୍କ ଅଭିଯୋଗ କ୍ରମେ ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଦାୟୀତ୍ୱରେ ଥିବା ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ର ଜଣକ ଶିଡିରୁ ଖସି ପଡିଥିବା ବେଳେ ସେବାଶ୍ରମ କର୍ତ୍ତୃପକ୍ଷ ତୁରନ୍ତ ଚିକିତ୍ସା କରାଇବାରେ ଆନ୍ତରିକତା ପ୍ରଦର୍ଶନ ନ କରିବା କାରଣରୁ ଜଣେ କୋମଳମତି ଛାତ୍ରଙ୍କ ଅକାଳ ବିୟୋଗ ଘଟିଲା ବୋଲି ଅଭିଯୋଗ ହେଉଛି। ଏ ନେଇ ସୁନ୍ଦରଗଡ ଜିଲା କଲ୍ୟାଣ ଅଧିକାରୀ ସୁନୀଲ କୁମାର ତାଣ୍ଡିଙ୍କୁ ପଚାରିବାରେ ବାଲିଶଙ୍କରା ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଏହାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଜିଲାପାଳ ଓ ବିଭାଗୀୟ ଶାସନ ସଚିବଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ମୃତ ଛାତ୍ରଙ୍କ ପରିବାର ବର୍ଗଙ୍କୁ କିପରି ସହାୟତା ଦିଆଯିବ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ତାଣ୍ଡି କହିଥିଲେ । ଅପରପକ୍ଷରେ, ଉକ୍ତ ଅଘଟଣ ପରେ ଅଭିଭାବକ ମାନେ ଆତଙ୍କିତ ହୋଇ ପଡି ନିଜ ପିଲାଙ୍କୁ ସେବାଶ୍ରମରେ ଛାଡିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଣୁ ଉକ୍ତ ଘଟଣାକୁ ହାଲୁକା ଭାବେ ନ ନେଇ ଉଚ୍ଛସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Leave A Reply