-ଇସ୍ପାତ ଶିଳ୍ପରେ ଭାଗିଦାରୀ ସଂସ୍କୃତିକୁ ମଜବୁତ କରିବା ପାଇଁ ଅନେକ ସକାରାତ୍ମକ ଓ ଗଠନ ମୂଳକ ପ୍ରସଙ୍ଗରେ ଆଲୋଚନା
ନୂଆଦିଲ୍ଲୀ : ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି ବରଂ ଉଭୟଙ୍କୁ ଏକା ସଙ୍ଗେ ହାସଲ କରି ହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଟ୍ରେଡ ୟୁନିୟନ ନେତୃମଣ୍ଡଳୀ ସହିତ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଆଲୋଚନାରେ ଇସ୍ପାତ ଶିଳ୍ପରେ ଭାଗିଦାରୀ ସଂସ୍କୃତିକୁ ମଜବୁତ କରିବା ପାଇଁ ଅନେକ ସକାରାତ୍ମକ ଓ ଗଠନ ମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ଏହି ଆଲୋଚନା ସମୟରେ ଟ୍ରେଡ ୟୁନିୟନର ପ୍ରତିନିଧି ମାନେ ଶ୍ରମିକ କଲ୍ୟାଣ, ମାନବ ସମ୍ବଳର ସୁବିନିଯୋଗ, ଦକ୍ଷତା ବିକାଶ, ସୁରକ୍ଷା, ବାସଗୃହ, ସବୁ ବୟସର ଶ୍ରମିକଙ୍କ ଉପସ୍ଥିତି, ମଜୁରୀର ସଂଶୋଧନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା। ଉପସ୍ଥିତ ଟ୍ରେଡ ୟୁନିୟନ ପ୍ରତିନିଧି ମାନେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଶ୍ରମିକ ମାନଙ୍କ ନିକଟତର ହେବା ଉଦ୍ୟମକୁ ପ୍ରଶଂସା କରିଥିଲେ। ଗତ ମାସରେ ବୋକାରୋ ଷ୍ଟିଲ କାରଖାନା ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।
ଏହି ଆଲୋଚନା ସମୟରେ କର୍ମଚାରୀ ମାନଙ୍କର ସ୍ୱାର୍ଥ ରକ୍ଷା ସହ ପ୍ରବନ୍ଧନ ଓ କର୍ମଚାରୀ ମାନଙ୍କ ମଧ୍ୟରେ ସହବନ୍ଧନ ମାଧ୍ୟମରେ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସ୍ଥାୟୀ ଓ ଠିକା ଉଭୟ କର୍ମଚାରୀଙ୍କୁ ଡିଜିଟାଲ ମାଧ୍ୟମରେ ଦେୟ ପ୍ରଦାନ କରା ଯିବା ସହ ପାରଦର୍ଶିତା ରକ୍ଷା କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଥିଲେ।
ଶ୍ରୀ ପ୍ରଧାନ କହିଛନ୍ତି ଇସ୍ପାତ ଶିଳ୍ପର ଟାଉନସିପ୍ ସମସ୍ତ ନାଗରିକଙ୍କ ସହିତ ସ୍ମାର୍ଟ ସିଟି ମାନର ହେବା ଜରୁରୀ। ସେଲ ଦ୍ୱାରା ପ୍ରଦାନ କରା ଯାଉଥିବା ସ୍ୱାସ୍ଥ୍ୟ ସେବା ସୁବିଧା ଆଗାମୀ ଦିନରେ ଚାଲୁ ରହିବା ସହ ଏହାକୁ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି।



