ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍ : ୧ନଂ ମାନ୍ୟତା ହରାଇଲେ କୋହଲି
୩ୟ ସ୍ଥାନରେ ବୁମ୍ରା
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟେଷ୍ଟ ବ୍ୟାଟସମ୍ୟାନ୍ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଶୀର୍ଷସ୍ଥାନରୁ ହଟାଇ ୧ନଂ ସ୍ଥାନକୁ ଫେରିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍। ତେବେ ଟେଷ୍ଟ ବୋଲର ମାନ୍ୟତାର ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଭାରତର ଯଶ୍ରପୀତ୍ ବୁମ୍ରା।
ସ୍ମିଥ୍ ଆସେସ୍ ସିରିଜ୍ର ୩ୟ ଟେଷ୍ଟ ମ୍ୟାଚ୍ ଖେଳିନଥିବା ସତ୍ତ୍ବେ ସଦ୍ୟ ପ୍ରକାଶିତ ମାନ୍ୟତାରେ କୋହଲିଙ୍କୁ ପଛରେ ପକାଇ ପାରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚ୍ରେ କୋହଲି ପ୍ରଥମ ଇନିଂସରେ ୭୬ ରନ୍ କରିଥିଲେ ହେଁ ୨ୟ ଇନିଂସରେ ପ୍ରଥମ ବଲ୍ରେ ଆଉଟ ହୋଇଥିଲେ। ଏହା କୋହଲିଙ୍କ ମାନ୍ୟତାକୁ ନିମ୍ନଗାମୀ କରିଛି। ଅନ୍ୟପକ୍ଷରେ ଆସେସ୍ ସିରିଜ୍ର ପ୍ରଥମ ଟେଷ୍ଟରେ ଷ୍ଟିଭେନ୍ ସ୍ମିଥ୍ ଉଭୟ ଇନିଂସରେ ଶତକ ମାରିଥିବା ବେଳେ ୨ୟ ଟେଷ୍ଟରେ ୯୨ ରନ୍ କରିଥିଲେ। ୩ୟ ଟେଷ୍ଟରେ ସ୍ମିଥ୍ ଖେଳିନଥିଲେ। ତଥାପି କୋହଲିଙ୍କଠାରୁ ମାତ୍ର ୧ ପଏଣ୍ଟ ଆଗରେ ସ୍ମିଥ୍ ରହିଛନ୍ତି। କୋହଲି ୯୦୩ ପଏଣ୍ଟ ପାଇଥିବା ବେଳେ ସ୍ମିଥ୍ ୯୦୪ ପଏଣ୍ଟ ହାସଲ କରିଛନ୍ତି। ସ୍ମିଥ୍ ଆସେସ୍ ସିରିଜ୍ର ୪ର୍ଥ ଟେଷ୍ଟମ୍ୟାଚ୍ ଖେଳିବାକୁ ଥିବାରୁ କୋହଲି ଓ ତାଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ବୃଦ୍ଧି ପାଇବାର ଆଶା ରହିଛି। ସୂଚନାଯୋଗ୍ୟ; ସ୍ମିଥ୍ ୨୦୧୫ ଡିସେମ୍ବର ପର୍ଯ୍ୟନ୍ତ ଟେଷ୍ଟ ବ୍ୟାଟସମ୍ୟାନ୍ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିଲେ। ତେବେ ବଲ୍ ଟାମ୍ପରିଂ ମାମଲାରେ ସ୍ମିଥ୍ ଏକ ବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବାସନ୍ଦ ହେବା ପରେ ୨୦୧୮ ଅଗଷ୍ଟରେ ସ୍ମିଥ୍ଙ୍କୁ ପଛରେ ପକାଇ କୋହଲି ଶୀର୍ଷ ସ୍ଥାନ ହାସଲ କରି ପାରିଥିଲେ। ସ୍ମିଥଙ୍କ ଟେଷ୍ଟ ବ୍ୟାଟିଂ ଆଭ୍ରେଜ୍ ହେଉଛି ୬୩.୨୪; ଯାହା ଏବେ ଖେଳୁଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସର୍ବାଧିକ। ଆସନ୍ତା ଅକ୍ଟୋବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବାକୁ ଥିବା ବେଳେ ସେତେବେଳକୁ କୋହଲି ଶୀର୍ଷ ସ୍ଥାନ ଫେରି ପାଇବାକୁ ନିଶ୍ଚିତ ଭାବେ ପ୍ରୟାସ କରିବେ।
ଅନ୍ୟପକ୍ଷରେ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରି ବ୍ୟାଟିଂ ମାନ୍ୟତାର ଶୀର୍ଷ ୧୦ଜଣଙ୍କ ମଧ୍ୟକୁ ଫେରିଛନ୍ତି। ରାହାଣେ ପ୍ରଥମ ଟେଷ୍ଟରେ ଗୋଟିଏ ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଥିବା ବେଳେ ୨ୟ ଟେଷ୍ଟ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ସେ ମାନ୍ୟତାରେ ୪ଟି ସ୍ଥାନ ଉପରକୁ ଉଠି ୭ନଂରେ ରହିଛନ୍ତି। ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ସର୍ବାଧିକ ୨୮୯ ରନ୍ କରିଥିବା ହନୁମା ବିହାରୀଙ୍କ ମାନ୍ୟତାରେ ବ୍ୟାପକ ଉନ୍ନତି ଘଟିଛି। ସେ ୪୦ଟି ସ୍ଥାନ ଉପରକୁ ଉଠି ୩୦ନଂରେ ରହିଛନ୍ତି। ସୂଚନାଯୋଗ୍ୟ; ବିହାରୀ ବର୍ତ୍ତମାନ ସୁଦ୍ଧା ମାତ୍ର ୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍କୁ ୨-୦ରେ ପୋଛି ନେଇଥିବା ଭାରତର ଟେଷ୍ଟ ମାନ୍ୟତା ଆହୁରି ମଜ୍ଭୁତ ହୋଇଛି। ଭାରତ ୧୧୩ ପଏଣ୍ଟ ସହ ୧ନଂ ସ୍ଥାନରେ ଥିବା ବେଳେ ୪ ପଏଣ୍ଟ ପଛରେ ରହିଥିବା ନ୍ୟୁଜିଲାଣ୍ଡ ୨ୟ ସ୍ଥାନରେ ରହିଛି। ଘରୋଇ ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍କୁ ଟେଷ୍ଟ ସିରିଜ୍କୁ ୧-୧ରେ ଡ୍ର ରଖିଥିଲା ନ୍ୟୁଜିଲାଣ୍ଡ।
ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ଉନ୍ନତି କରିଛନ୍ତି। ଜାମାଇକା ଟେଷ୍ଟ ପୂର୍ବରୁ ବୁମ୍ରା ୭ମ ସ୍ଥାନରେ ରହିଥିଲେ। ବୁମ୍ରା ପାଇଥିବା ୮୩୫ ପଏଣ୍ଟ ଭାରତୀୟ ଇତିହାସରେ ୨ୟ ଶ୍ରେଷ୍ଠ ମାନ୍ୟତା ପଏଣ୍ଟ। କପିଳ ଦେବ ୧୯୮୦ରେ ୮୭୭ ପଏଣ୍ଟରେ ଥିଲେ। ଜାମାଇକା ଟେଷ୍ଟରେ ବୁମରା ଚମତ୍କାର ବୋଲିଂକରି ପ୍ରଥମ ଇନିଂସରେ ହ୍ୟାଟିକ୍ ସହ ୬ଟି ୱିକେଟ ନେବାରୁ ସେ ୪ଟି ସ୍ଥାନର ଉନ୍ନତି ଘଟାଇଛନ୍ତି। ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ୍ ହୋଲ୍ଡର ଜାମାଇକା ଟେଷ୍ଟ ପୂର୍ବରୁ ୧୧ନଂରେ ରହିଥିବା ବେଳେ ସଦ୍ୟ ପ୍ରକାଶିତ ମାନ୍ୟତାର ୪ନଂ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କିମାର ରୋଚ୍ ଗୋଟିଏ ସ୍ଥାନ ତଳକୁ ଖସି ୯ମ ସ୍ଥାନରେ ରହିଛନ୍ତି। ବୁମ୍ରା ମାତ୍ର ୧୨ଟି ଟେଷ୍ଟ ମ୍ୟାଚ୍ ଖେଳି ୮୩୫ ପଏଣ୍ଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ଅଷ୍ଟ୍ରେଲିଆର ପାଟ୍ କମିନ୍ସ ରହିଥିବା ବେଳେ ୨ୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା। ଭାରତର ୨ ନୂଆ ବଲ୍ ବୋଲର ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏଁ ସ୍ଥାନର ଉନ୍ନତି ଘଟାଇ ଯଥାକ୍ରମେ ୧୮ ଓ ୨୦ଶ ସ୍ଥାନରେ ରହିଛନ୍ତି।
Comments are closed.