ପୁଞ୍ଜିବଜାର ଧରାଶାୟୀ : ନିବେଶକ ହରାଇଲେ ୨.୫୫ଲକ୍ଷ କୋଟି

୭୭୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ଟଙ୍କା ମୂଲ୍ୟରେ ବର୍ଷର ବୃହତ୍‌ ହ୍ରାସ

ମୁମ୍ବଇ : ଘନେଇବାରେ ଲାଗିଛି ଆର୍ଥିକ ମାନ୍ଦାବସ୍ଥା। ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ବଜାର ସ୍ଥିତି। ପୁଞ୍ଜି ବଜାର ଉପରୁ ତୁଟିବାରେ ଲାଗିଛି ନିବେଶକଙ୍କ ଭରଷା। ଏଭଳି ସ୍ଥିତିରେ ବିଶ୍ବ ବଜାର ସହ ଘରୋଇ ବଜାରରେ ଲାଗି ରହିଥିବା ସମସ୍ୟା ଷ୍ଟକ ବଜାରକୁ ବି​‌ଶେଷ​‌ ଭାବେ ପ୍ରଭାବିତ କରିଛି। ଫଳସ୍ବରୂପ ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‌ସେକ୍ସରେ ୭୭୦ ପଏଣ୍ଟ ହ୍ରାସ ଘଟିଛି। ଏଥିଯୋଗୁ ନିବେବଶକଙ୍କ ସମ୍ପତ୍ତିରେ ୨.୫୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି।
ମଙ୍ଗଳବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‌ସେକ୍ସରେ ୭୭୦ (୭୬୯.୮୮)ପଏଣ୍ଟ ହ୍ରାସ ଘଟି ୩୬,୫୬୨.୯୧ ପଏଣ୍ଟରେ କାରବାର ଶେଷ ହୋଇଛି। ଦିନଯାକର କାରବାର ମଧ୍ୟରେ ସେନ୍‌ସେକ୍ସରେ ସର୍ବାଧିକ ୮୬୭ ପଏଣ୍ଟ ହ୍ରାସ ଘଟିଥିଲା। ଅର୍ଥନୀତିକୁ ତ୍ବରିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ସତ୍ତ୍ବେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୭ବର୍ଷରେ ସର୍ବନିମ୍ନ ୫% ରହିବା ଏବଂ ଅଗଷ୍ଟ ଅଟୋ ବିକ୍ରିରେ ରେକର୍ଡ ହ୍ରାସ ବଜାର କାରବାରକୁ ଅଧିକ ମାନ୍ଦା କରିଦେଇଛି। ଏହାଛଡ଼ା ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଏହାର ଅନ୍ୟତମ କାରଣ। ସେହିପରି ମଙ୍ଗଳବାର ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟିରେ ୨୨୫(୨୨୫.୩୫) ପଏଣ୍ଟ ହ୍ରାସ ଘଟି ୧୦,୭୯୭.୯୦ ପଏଣ୍ଟରେ କାରବାର ଶେଷ ହୋଇଛି। ଆଜିର କାରବାରରେ ଧାତବ, ଶକ୍ତି, ଉ​ପଭୋକ୍ତା ଦୀର୍ଘସ୍ଥାୟୀ, ଟେଲିକମ୍‌, ବ୍ୟାଙ୍କିଙ୍ଗ୍‌, ଅର୍ଥ, ତୈଳ ଏବଂ ଗ୍ୟାସ୍‌, ରିଅଲ୍ଟି ଓ ପୁଞ୍ଜି ସାମଗ୍ରୀ ଆଦି କ୍ଷେତ୍ରର କାରବାରରେ ବିଶେଷ ହ୍ରାସ ପରିଲକ୍ଷିତ ହୋଇଛି। ଷ୍ଟକ୍‌ ବଜାରରେ ଏଭଳି ସ୍ଥିତି ପାଇଁ ନି​‌ବେଶକଙ୍କୁ ଆଜି ୨.୫୫ ଲକ୍ଷ ​କୋଟି ଟଙ୍କା ହରାଇବାକୁ ପଡିଛି। ଏସୀୟ ବଜାରରେ ଆଜି କାରବାର ମିଶ୍ରିତ ରହିଥିବାବେଳେ ୟୁରୋପୀୟ ବଜାରରେ କାରବାର ନିମ୍ନମୁଖୀ ରହିଥିଲା।

ଟଙ୍କା ମୂଲ୍ୟରେ ବର୍ଷର ବୃହତ୍‌ ହ୍ରାସ,ଡଲାର ତୁଳନାରେ ୧୦୦ ପଇସା ଖସି ଟ ୭୨.୪୦,ଚଳିତବର୍ଷ ବିନିମୟ ମୂଲ୍ୟରେ ୩.୭୬% ହ୍ରାସ 

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଧାରା ଜାରି ରହି ଆଜି ଘରୋଇ ମୁଦ୍ରା ଟଙ୍କା ଚଳିତବର୍ଷର ରେକର୍ଡ ସ୍ତରକୁ ଖସିଆସିଛି। ଆନ୍ତଃବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ମଙ୍ଗଳବାର ୧୦୦ ପଇସା ହ୍ରାସ ଘଟି ୭୨ ଟଙ୍କା ୪୦ ପଇସା ରହିଛି। ଏହା ଫଳରେ ଗୋଟିଏ ଦିନର କାରବାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମିନିମୟ ମୂଲ୍ୟରେ ବୃହତ୍‌ ହ୍ରାସ ଘଟିଛି। ଶୁକ୍ରବାର କାରବାର ଶେଷ ହେବା ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୧ ଟଙ୍କା ୪୦ ପଇସା ରହିଥିଲା। ସୂଚନାଯୋଗ୍ୟ, ଚଳିତବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ବର୍ତ୍ତମାନ ସୁଦ୍ଧା ୩.୭୬% ହ୍ରାସ ଘଟିଥିବା ଜଣାଯାଇଛି। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୭ବର୍ଷରେ ସର୍ବନିମ୍ନ ୫%କୁ ଖସିଆସିବା ଏବଂ ଷ୍ଟକ ବଜାର କାରବାର ନକରାତ୍ମକ ରହିବାର ପ୍ରଭାବ ଘରୋଇ ମୁଦ୍ରାର ବିନିମୟ ମୂଲ୍ୟ ଉପରେ ପଡିଛି। ଶେଷ ଥର ପାଇଁ ୨୦୧୮ ଅକ୍ଟୋବର ୧୧ରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ୭୪ ଯଙ୍କା ୪୮ ପଇସା ସ୍ତରରେ ରହିଥିଲା। ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଘରୋଇ ମୁଦ୍ରା ମୂଲ୍ୟକୁ ଅଧିକ ଦୂର୍ବଳ କରିଛି। ଯଦି ଏହି ବାଣିଜ୍ୟ ଯୁଦ୍ଧ ଆଗକୁ ଅଧିକ ତୀବ୍ରତ୍ତର ହୁଏ ତେବେ ଆଗକୁ ଟଙ୍କା ମୂଲ୍ୟରେ ଅଧିକ ହ୍ରାସ ଘଟିବ। ଏସବୁ ବ୍ୟତୀତ ବିନିର୍ମାଣ କ୍ଷେତ୍ରର ଉତ୍ପାଦନ ଏବଂ ଚାହିଦାରେ ହ୍ରାସ ସହ ଘରୋଇ ନିବେଶ ସଙ୍କୁଚିତ ହେବା ଏହାର ଅନ୍ୟତମ ପ୍ରମୁଖ କାରଣ ।

Comments are closed.