ଭୁବନେଶ୍ୱରରେ ଆୟୋଜିତ ହେବ ଆଉ ଏକ ବିଶ୍ୱକପ
ଭୁବନେଶ୍ୱର: କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ବିଶ୍ୱକପ ଆୟୋଜିତ ହେବ। ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ୨୦୨୦ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ୍ର କିଛି ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ୨୦୨୦ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ଏହି ବିଶ୍ୱକପ ଲାଗି ଦେଶର ପ୍ରଥମ ଆୟୋଜକ ସହର ଭାବେ ଭୁବନେଶ୍ବରର ନାମ ଘୋଷଣା କରାଯାଇଛି। ମଙ୍ଗଳବାର କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡ ସମ୍ମିଳନୀ କକ୍ଷରେ ଫିଫା ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟି ନିର୍ଦେଶକ (ଲୋକାଲ) ରୋମା ଖାନ୍ନା ଓ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ ଏହି ଘୋଷଣା କରିଛନ୍ତି। ପ୍ରତିଯୋଗିତାରେ ଆମେ ୬ଟି ମ୍ୟାଚ୍ ଆୟୋଜନ ନେଇ ସୁଯୋଗ ପାଇବା ନେଇ ଆଶା ରଖିଛୁ ବୋଲି ବିଶାଳ ଦେବ କହିଛନ୍ତି।
ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଆୟୋଜନ ନେଇ ଅଧିକାର ହାସଲ କରିବା ପରେ ଫିଫା ପ୍ରତିନିଧି ସଦସ୍ୟଙ୍କ ମଧ୍ୟରୁ ମ୍ୟାଚ ଆୟୋଜନ ପାଇଁ ୫ଟି ସହରର ନାମ ପ୍ରସ୍ତାବ ଦିଆ ଯାଇଥିଲା। ଏହି ୫ଟି ସହର ହେଲେ ଗୋଆ, ଭୁବନେଶ୍ବର, ମୁମ୍ବଇ, କଲକାତା ଓ ଅହମ୍ମଦାବାଦ୍। ସେଥିମଧ୍ୟରୁ ଫିଫା ପକ୍ଷରୁ ସମସ୍ତ ସହରର ଭିତ୍ତିଭୂମି ତଦାରଖ କରାଯାଇଛି। ପ୍ରତିଯୋଗିତା ୪ଟି ଭେନ୍ୟୁରେ ଖେଳାଯିବ। ଭୁବନେଶ୍ୱରରେ ଉକ୍ତ ବିଶ୍ୱକପ ଆୟୋଜନ ପାଇଁ ଫିଫା ପକ୍ଷରୁ ଭିତ୍ତିଭୂମି ତଦାରଖ କରା ଯାଇଥିଲା। ଫିଫାର ନିୟମ ଅନୁଯାୟୀ ସମସ୍ତ ପ୍ରକାର ଭିତ୍ତିଭୂମି ରହିଥିବାରୁ ପ୍ରଥମ ଆୟୋଜକ ସହର ଭାବେ ଭୁବନେଶ୍ୱରର ନାମ ଘୋଷଣା କରାଯାଇଛି। ଫିଫା ନିୟମ ଅନୁଯାୟୀ କଳିଙ୍ଗ ଷ୍ଟାଡ଼ିୟମ୍ରେ ଆନ୍ତର୍ଜାତିକ ମାନର ଫୁଟବଲ ପଡ଼ିଆ ଓ ଗ୍ୟାଲେରୀ ରହିଛି। ମ୍ୟାଚ ଖେଳାଯିବାକୁ ଥିବା ମୁଖ୍ୟ ଷ୍ଟାଡ଼ିୟମ ନିକଟରେ ଅନ୍ୟ ଏକ ଅଭ୍ୟାସ ଗ୍ରାଉଣ୍ଡ ମଧ୍ୟ ରହିଛି।
ଭୁବନେଶ୍ୱରକୁ ଭେନ୍ୟୁ ଘୋଷଣା କରା ଯାଇଥିବା ବେଳେ ଅନ୍ୟ ୩ଟି ଭେନ୍ୟୁ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ନିର୍ଦେଶକ ରୋମା ଖାନ୍ନା କହିଛନ୍ତି। ସମସ୍ତ ଭେନ୍ୟୁରେ ସମାନ ସଂଖ୍ୟକ ମ୍ୟାଚ ଖେଳାଯିବା ଉପରେ ଗୁରୁତ୍ବ ଦିଆଯିବ। ଗୋଟିଏ ଭେନ୍ୟୁରେ ସର୍ବନିମ୍ନ ୩ଟି ଓ ସର୍ବାର୍ଧିକ ୬ଟି ମ୍ୟାଚ ଖେଳାଯିବ। ପୂର୍ବରୁ ଭାରତରେ ୨୦୧୭ରେ ୧୭ ବର୍ଷରୁ କମ୍ ପୁରୁଷ ଫିଫା ବିଶ୍ୱକପ ଫୁଟବଲ ସଫଳତାର ସହିତ ଆୟୋଜନ ହୋଇଛି। ୨୦୨୦ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ମଧ୍ୟ ସଫଳ ହେବା ସହ ଭାରତରେ ଉକ୍ତ ଖେଳର ଲୋକପ୍ରିୟତା ବୃଦ୍ଧିପାଇବ ବୋଲି ରୋମା ଖାନ୍ନା କହିଛନ୍ତି। ପ୍ରତିଯୋଗିତାରେ ୧୬ଟି ଦେଶ ଅଂଶଗ୍ରହଣ କରିବେ। ଆୟୋଜକ ଦେଶ ଭାବେ ଭାରତ ଏଥିରେ ଖେଳିବ। ପ୍ରଥମଥର ଭାରତ ମହିଳା ଫୁଟବଲରେ ଫିଫା ବିଶ୍ୱକପ ଖେଳିବାର ସୁଯୋଗ ପାଇବ।
Comments are closed.