ଲଦାଖ କ୍ରିକେଟର୍ ଜାମ୍ମୁ-କାଶ୍ମୀର ତରଫରୁ ରଣଜୀ ଟ୍ରଫି ଖେଳିପାରିବେ : ବିନୋଦ ରାୟ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିବା ବେଳେ ଲଦାଖ କ୍ରିକେଟର୍ ଜାମ୍ମୁ-କାଶ୍ମୀର ତରଫରୁ ରଣଜୀ ଟ୍ରଫିରେ ଖେଳିପାରିବେ ବୋଲି ମତ ଦେଇଛନ୍ତି କ୍ରିକେଟ୍ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାୟ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବିନୋଦ କହିଥିଲେ ସୋମବାର କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି ଅଲଗା କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରିଛନ୍ତି। ପୂର୍ବରୁ ଜାମ୍ମୁ-କାଶ୍ମୀର ରାଜ୍ୟ ଥିଲା। ଏହି ରାଜ୍ୟରେ ଲଦାଖ ଅନ୍ତର୍ଭୁକ୍ତ ଥିବାରୁ ଲଦାଖର କ୍ରିକେଟର୍ମାନେ ଜାମ୍ମୁ-କାଶ୍ମୀର ତରଫରୁ ରଣଜୀ ଖେଳୁଥିଲେ। ବର୍ତ୍ତମାନ ଜାମ୍ମୁ-କାଶ୍ମୀର ଓ ଲଦାଖ ସ୍ବତନ୍ତ୍ର ଭାବେ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ତେବେ ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ରଣଜୀ ଫର୍ମାଟ୍ରେ ସ୍ବତନ୍ତ୍ର ଦଳ ଭାବେ ସାମିଲ କରିବାକୁ ବର୍ତ୍ତମାନ ବିସିସିଆଇ ନିକଟରେ ସୁବିଧା ନାହିଁ। ଏହାକୁ ଦୃଷ୍ଟିରେ ରଖି ଲଦାଖ କ୍ରିକେଟର୍ମାନେ ଜାମ୍ମୁ-କାଶ୍ମୀର ତରଫରୁ କିଛିସମୟ ପାଇଁ ରଣଜୀ ଟ୍ରଫି ଖେଳିବେ। ପରବର୍ତ୍ତୀ ସମୟରେ ଲଦାଖ ପାଇଁ ବିସିସିଆଇ ସ୍ବତନ୍ତ୍ର ବ୍ୟବସ୍ଥା କରିବ।
ଲଦାଖକୁ ସ୍ବତନ୍ତ୍ର ଦଳ ଭାବେ ମାନ୍ୟତା ଦେବାକୁ ବର୍ତ୍ତମାନ ବିସିସିଆଇ ନିମନ୍ତେ ସମ୍ଭବପର ନୁହେଁ। ତେଣୁ ଲଦାଖର କ୍ରିକେଟର୍ମାନେ ଜାମ୍ମୁ-କାଶ୍ମୀର ତରଫରୁ ରଣଜୀ ଟ୍ରଫି ଖେଳିପାରିବେ। ସୂଚନାଥାଉକି ବର୍ତ୍ତମାନ ସୁଦ୍ଧା ଜାମ୍ମୁ-କାଶ୍ମୀର ଦଳରେ ଜଣେ ହେଲେ ଲଦାଖ ଅଞ୍ଚଳର କ୍ରିକେଟର୍ ସ୍ଥାନ ପାଇନାହାନ୍ତି। ପୁଡୁଚେରୀ ଭଳି ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଏହାକୁ ବିସିସିଆଇ ନିର୍ବାଚନରେ ଭୋଟ୍ ଦେବାକୁ ଅନୁମତି ମିଳିବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିନୋଦ କହିଥିଲେ ବତ୍ତର୍ମାନ ସୁଦ୍ଧା ଏ ସଂପର୍କରେ କୌଣସି ଆଲୋଚନା ହୋଇନାହିଁ। କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିଥିବାରୁ ଏହାର ପ୍ରଭାବ କାଶ୍ମୀର କ୍ରିକେଟ୍ ଉପରେ ପଡ଼ିବ କି ବୋଲି ପ୍ରଶ୍ନର ଉତ୍ତରରେ ବିନୋଦ କହିଥିଲେ ଏପରି କିଛିହେବ ବୋଲି ସେ ଭାବୁ ନାହାନ୍ତି। ଜାମ୍ମୁ-କାଶ୍ମୀରରେ କ୍ରିକେଟ୍ ପୂର୍ବ ସ୍ଥିତି ବଜାୟ ରଖିବ ବୋଲି ବିନୋଦ ଆଶାବ୍ୟକ୍ତ କରିଛନ୍ତି। ଗତବର୍ଷ ଜାମ୍ମୁ-କାଶ୍ମୀର ଦଳ ଶ୍ରୀନଗରରେ ରଣଜୀ ମ୍ୟାଚ୍ ଖେଳିଥିବା ବେଳେ ଆଗାମୀ ସିଜିନ୍ରେ ମଧ୍ୟ ଏହି ଦଳ ଶ୍ରୀନଗରରେ ମ୍ୟାଚ୍ ଖେଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିନୋଦ ଆଶାବ୍ୟକ୍ତ କରିଛନ୍ତି। ସୂଚନାଥାଉକି ଅମରନାଥ ଯାତ୍ରା ଅବସରରେ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କା ଥିବାରୁ ଶ୍ରୀନଗରରେ ଜାମ୍ମୁ-କାଶ୍ମୀର କ୍ରିକେଟ୍ ଆସୋସିଏସନ୍ ତରଫରୁ ବିଭିନ୍ନ ବୟସବର୍ଗରେ ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ବନ୍ଦ କରି ଦିଆଯାଇଛି। ସେହିପରି ବିଭିନ୍ନ ବୟସବର୍ଗରେ ପାଖାପାଖି ୧୦୦ କ୍ରିକେଟର୍ଙ୍କୁ ରାଜ୍ୟ ବାହାରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
Comments are closed.