କାର୍ ଧକ୍କାରେ ସାମ୍ବାଦିକ ମୃତ; ଆଇଏଏସ୍ ଅଫିସର ଗିରଫ
ତିରୁଅନନ୍ତପୁରମ: କେରଳ ରାଜଧାନୀ ତିରୁଅନନ୍ତପୁରମ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ସାମ୍ବାଦିକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ସାମ୍ବାଦିକ ହେଲେ କେ ମହମ୍ମଦ ବାସିର (୩୫)। ମାଲାୟଲମ୍ର ଦୈନିକ ଖବରକାଗଜ ସିରାଜରେ ସେ ତିରୁଅନନ୍ତପୁରମ୍ ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ରାତି ପ୍ରାୟ ୧ଟା ବେଳେ ବାସିର ଏକ ମୋଟର ସାଇକଲ ଯୋଗେ ଘରକୁ ଫେରୁଥିବାବେଳେ ଏକ କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କାରର ଚାଳକ ଥିଲେ ଆଇଏଏସ୍ ଅଫିସର ଶ୍ରୀରାମ ଭେଙ୍କଟରମଣ। ଭେଙ୍କଟରମଣଙ୍କ ସହିତ କାର୍ରେ ଜଣେ ମହିଳା ଥିଲେ ବୋଲି ପୁଲିସ କହିଛି। ଭେଙ୍କଟରମଣ ଅତ୍ୟଧିକ ମଦ୍ୟପାନ କରିଥିବା ପ୍ରାଥମିକ ଡାକ୍ତରୀ ରିପୋର୍ଟରେ କୁହାଯାଇଛି। ତେବେ ସେ ରକ୍ତ ନମୁନା ଦେବାକୁ ମନା କରିଥିଲେ। ରକ୍ତ ନମୁନା ଦେବାକୁ ମନା କରିବା ଦ୍ବାରା ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭେଙ୍କଟରମଣଙ୍କୁ ଗିରଫ କରାଯାଇଥିଲା। ଆଇନଗତ ପ୍ରକ୍ରିୟା ପରେ ଶନିବାର ସକାଳ ୧୦ଟାରେ ଭେଙ୍କଟରମଣ ପରୀକ୍ଷା ପାଇଁ ରକ୍ତ ନମୁନା ଦେଇଥିଲେ। ଭେଙ୍କଟରମଣ କହିଛନ୍ତି ଯେ ଦୁର୍ଘଟଣା ସମୟରେ ସେ କାର ଚଳାଉ ନଥିଲେ ବରଂ ମହିଳା ତଥା ତାଙ୍କ ବାନ୍ଧବୀ ଜଣଙ୍କ କାର୍ ଚଳାଉଥିଲେ। କେରଳ କାର୍ଯ୍ୟରତ ସାମ୍ବାଦିକ ସଂଘ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ପୂର୍ବକ ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦେଶକଙ୍କ ନିକଟକୁ ପତ୍ର ଲେଖିଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ବିରୋଧୀ ଦଳ ନେତା ରମେଶ ଛେନିତାଲ ପ୍ରମୁଖ ସାମ୍ବାଦିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।
ମୃତ ସାମ୍ବାଦିକ ବାସିରଙ୍କର ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି। ପୁଲିସ ଆଇପିସି ଧାରା ୨୭୯ (ବେପରୁଆ ଗାଡି ଚାଳନା) ଓ ୩୦୪ କ (ଉଦ୍ଦେଶ୍ୟ ରହିତ ହତ୍ୟା)ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଇଏଏସ୍ ଭେଙ୍କଟରମଣ ଡାକ୍ତରୀ ଶିକ୍ଷା ମଧ୍ୟ କରିଛନ୍ତି। ନିକଟରେ ସେ ବିଦେଶରୁ ଅଧ୍ୟୟନ ଶେଷ କରି ଫେରିଛନ୍ତି। ୨୦୧୭ରେ ଭେଙ୍କଟରମଣ ଉପଜିଲାପାଳ ଥିବାବେଳେ ଉଡୁକ୍କି ଜିଲାରେ ବେଆଇନ ଘର ନିର୍ମାଣକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଥିଲେ।
Comments are closed.