ଅନୁଗୁଳ: ନିଜ ଜୀବନକୁ କେବଳ ସେବା ପାଇଁ ଉତ୍ସର୍ଗ କରିଛନ୍ତି ସେ, ଯେଉଁଠି କୁଷ୍ଠ ରୋଗୀଙ୍କ ପାଖକୁ ଯିବାକୁ ଲୋକମାନେ ଘୃଣା କରନ୍ତି ସେତିକିବେଳେ ଚିନ୍ମୟୀ ସେମାନଙ୍କ କ୍ଷତକୁ ସଫା କରି ଔଷଧ ଲଗାଇ ବାନ୍ଧି ଦେବାରେ ପାଆନ୍ତି ଆତ୍ମିକ ଆନନ୍ଦ। ତାଙ୍କର ଏଇ ସେବା ମନୋଭାବ କିନ୍ନର ସମାଜ ପାଇଁ ଆଣିଛି ନୂଆ ପରିଚୟ। ଆମେ ଯାହାଙ୍କ ବିଷୟରେ କହୁଛୁ, ସେ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଜଣେ କିନ୍ନର ଚିନ୍ମୟୀ ଦାସ। ଚିନ୍ମୟୀ କେବଳ ଯେ କୁଷ୍ଠ ରୋଗୀଙ୍କ ସେବା କରନ୍ତି ତାହା ନୁହେଁ, ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ରୁଚି ରହିଛି। ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ସେ ଭଲପାଆନ୍ତି। ନିଜର ଏକ ଷ୍ଟେସନାରୀ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଚିନ୍ମୟୀ ଦୋକାନରୁ ମିଳୁଥିବା ଲାଭକୁ ଅନ୍ୟର ସେବାରେ ଖର୍ଚ୍ଚ କରନ୍ତି। ଏବେ ତାଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆଗେଇ ଆସୁଛନ୍ତି।

କଥାରେ ଅଛି ଯେ ଯଦି କିନ୍ନରଙ୍କ ଆଶୀର୍ବାଦ ମିଳିଯାଏ ତା ହେଲେ ମଣିଷ ସବୁ କ୍ଷେତ୍ରରେ ସଫଳତା ପାଇଥାଏ। ପୁଣି ଯଦି କିନ୍ନର ନିଜେ ଅନ୍ୟର ସେବାରେ ନିଜକୁ ସମର୍ପିତ କରିଦିଏ ତାହେଲେ ରୋଗୀ ବହୁତ ଶୀଘ୍ର ସୁସ୍ଥ ଅନୁଭବ କରେ। ସେ କେବଳ ସେବା ପ୍ରଦାନ କରେ ନାହିଁ ବରଂ ସୁଖମୟ ଦୀର୍ଘ ଜୀବନର ଆଶୀର୍ବାଦ ଦେଇଥାଏ। ଏ କଥା ସତ ଯେ, ଅନୁଗୁଳର ଏହି କିନ୍ନର ଆଜି ଲୋକମାନଙ୍କ ମନରେ କିନ୍ନରମାନଙ୍କ ପ୍ରତି ଥିବା ଚିନ୍ତାଧାରା ବଦଳେଇବାରେ ସକ୍ଷମ ହୋଇ ପାରିଛନ୍ତି। ଚିନ୍ମୟୀଙ୍କ ଜୀବନ ସଂଘର୍ଷର କାହାଣୀ ଯଦିଓ ଦୀର୍ଘ କିନ୍ତୁ ପ୍ରଭାବଶୀଳ। ରୁକ୍ଷ ସାମାଜିକ ପରିସ୍ଥିତିରୁ ସକାରାତ୍ମକ ଦିଗକୁ ଚିନ୍ମୟୀଙ୍କ ଯାତ୍ରା ଅବିସ୍ମରଣୀୟ ଯିଏ ଅନୁଗୁଳର ଛେଦିପଡାରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।



