ସମସ୍ୟା ଘେରରେ ନରୁଆ ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ନେମାଳ : ସରକାର ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏବେବି ଅବହେଳିତ ଅବସ୍ଥାରେ ରହିଯାଇଛି ବହୁ ଶିକ୍ଷା ଅନୁଷ୍ଠାନ। ଶିକ୍ଷା କ୍ଷେତ୍ରରେ ଉନ୍ନତି ତଥା ୬ ରୁ ୧୪ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିବା ବାଧ୍ୟତା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆକୃଷ୍ଟ କରିବା ପାଇଁ ମାଗଣାରେ ପୋଷାକ ବଣ୍ଟନ, ପାଠ୍ୟ ପୁସ୍ତକ ବଣ୍ଟନ, ମଧ୍ୟାନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ବିଦ୍ୟାଳୟର ଆନୁଷ୍ଟାଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଉନାହାନ୍ତି। କେଉଁଠି ଛାତ୍ରଛାତ୍ରୀ ଅଛନ୍ତି ତ ଆଉ କେଉଁଠି ବିଦ୍ୟାଳୟ ନାହିଁ , କିମ୍ବା ଶିକ୍ଷକ ନାହାନ୍ତି। ଏପରି ସ୍ଥିତିରେ ଛାତ୍ରଛାତ୍ରୀ କିଭଳି ଶିକ୍ଷା ଗ୍ରହଣ କରୁଥିବେ ତାହା ଅନୁମେୟ। ଏଭଳି ସମସ୍ୟାରେ ଗତି କରୁଛି ନେମାଳ ଥାନା ଅନ୍ତର୍ଗତ ତଥା ବନ୍ଧକାଟିଆ କ୍ଲଷ୍ଟର ଅଧିନ ନରୁଆ ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଲୁଣା – ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ଏହା ଏକ ବହୁ ପୁରାତନ ବିଦ୍ୟାପୀଠ ହିସାବରେ ଉକ୍ତ ଅଞ୍ଚଳରେ ପରିଚିତ। ଏହି ବିଦ୍ୟାପୀଠ ୧୯୪୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏକଦା ଏହି ବିଦ୍ୟାଳରୁ ବହୁ ଛାତ୍ରଛାତ୍ରୀ ଶିକ୍ଷାଲାଭ କରି ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ପଦସ୍ଥ ଆସନରେ ଅଳଙ୍କୃତ ହୋଇଛନ୍ତି। କାଳକ୍ରମେ ଏହି ପୁରାତନ ବିଦ୍ୟାପୀଠଟି ନାନା ପ୍ରକାରର ସମସ୍ୟା ମଧ୍ୟରେ ଗତି କରୁଛି। ଏଠାରେ ନା ଅଛି କୋଠରୀ , ନା ଅଛନ୍ତି ଆବଶ୍ୟକ ଶିକ୍ଷକ।
ବିଦ୍ୟାଳୟ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ମୋଟ ୨୧୨ଜଣ ଛାତ୍ରଛାତ୍ରୀଙ୍କୁ ୮ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷାଦାନ ଦେଉଛନ୍ତି। ହେଲେ ଉକ୍ତ ବିଦ୍ୟାଳୟରେ ସ୍ଥାୟି ପ୍ରଧାନ ଶିକ୍ଷକ ନଥିବା ବେଳେ ଗୋଟିଏ ବିଜ୍ଞାନ ଶିକ୍ଷକ, କଳା ଶିକ୍ଷକ, କିରାଣି, ୨ଜଣ ପିଅନ ପଦବି ଖାଲି ପଡିଛି। ଫଳରେ ଶିକ୍ଷାଦାନରେ ବ୍ୟାପକ ଅସୁବିଧା ପରିଲକ୍ଷିତ ହେଉଛି। ସେହିପରି ଛାତ୍ରଛାତ୍ରୀମାନଙ୍କୁ ନିରାପଦରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରିବାପାଇଁ କୋଠା ଘର ମାନ ନିର୍ମାଣ କରୁଥିଲେ ହେଁ ଏହି ପୁରାତନ ବିଦ୍ୟାଳୟରେ ଏମ୍‍ସିଏଲ ଅନୁଦାନରେ ନିର୍ମାଣ କରାଯାଇଥିବା ଘର ଏବେ ସମ୍ପୂର୍ଣ୍ଣ ଭାବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେଉଁ ସମୟରେ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ। ଘରର ପିଲର ଫାଟି ଯାଇଥିବା ବେଳେ ଛାତ ଦବି ଯାଇଥିବାର ଦେଖାଯାଇଛି। ଶ୍ରେଣୀ ଗୃହର ଅଭାବ ଦେଖାଯାଇଥିବାରୁ ଶିକ୍ଷାଦାନରେ ଘୋର ବାଧା ଉପୁଜୁଛି। ଏହି ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଶିକ୍ଷାଦାନରେ ଘୋର ବାଧା ସୃଷ୍ଟି ହେଉଛି। କ୍ରୀଡା ଶିକ୍ଷକ ନଥିବାରୁ ପିଲାମାନେ ଶାରିରୀକ ଶିକ୍ଷା ପାଇବାରୁ ବଞ୍ଚିôତ ହେଉଛନ୍ତି। ବିଦ୍ୟାଳୟରେ ବହୁ ପ୍ରତିଭାବାନ୍‍ କ୍ରୀଡାବିତ୍‍ ଛାତ୍ର ଛାତ୍ରୀମାନେ ସେମାନଙ୍କର କୁଶଳତାକୁ ପରିପ୍ରକାଶ କରିପାରୁନାହାଁନ୍ତି। ଏହି ବିଦ୍ୟାଳୟରେ ପାଠାଗାର, ବିଜ୍ଞାନ କକ୍ଷ ଓ କମନରୁମ ଓ ଷ୍ଟୋର ରୁମ ନାହିଁ। ସେହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ପରିସ୍ରା କରିବା ପାଇଁ ସଠିକ ପରିସ୍ରାଗାର ତଥା ସୈାଚାଳୟଟିଏ ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଖୋଲାରେ ପରିସ୍ରା କରିବାକୁ ଯାଉଛନ୍ତି। ଯେଉଁ ପୁରୁଣା ପାଇଖାନା ରହିଛି ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବାରୁ ବ୍ୟବହାର ଉପଯୋଗୀ ହେଉନାହିଁ। ଏଥି ସହିତ ବିଦ୍ୟାପୀଠରେ ପାନୀୟ ଜଳର ସୁବିଧା ମଧ୍ୟ ସଠିକ ଭାବରେ କରାଯାଇନାହିଁ।। ସବୁପରେବି ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଜାନ ପକ୍ଷରୁ ୪୦ବର୍ଷର ପୁରୁଣା ଶିକ୍ଷା ଅନୁଷ୍ଠାନମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ ଉକ୍ତ ବିଦ୍ୟାପୀଠ ୬୨ବର୍ଷର ପୁରୁଣା ଶିକ୍ଷା ଅନୁଷ୍ଠାନ ହୋଇଥିବା ବେଳେ ଅଦ୍ୟାବଧି କୈାଣସି ଅନୁଦାନ ପାଇପାରି ନାହିଁ। ଏ ସମ୍ପର୍କରେ ଅଭିଭାବକ ଓ ଗ୍ରାମବାସୀମାନେ ବହୁବାର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରିଥିଲେ ମଧ୍ୟ ସ୍କୁଲର ଉନ୍ନତି ପାଇଁ କାହାରି ଦରଦ ହେଉନଥିବାର ଜଣାଯାଇଛି। ଏଠାରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ କିଭଳି ଭାବେ ନଷ୍ଟ କରାଯାଉଛି ତାହାର ନଗ୍ନ ନମୁନା ମିଳେ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରିନଥିବାରୁ ପ୍ରତିକ୍ରିୟା ମିଳି ପାରି ନାହିଁ। ଯାଥାଶୀଘ୍ର ବିଦ୍ୟାପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ ଦାବି ହେଉଛି।

kalyan agarbati

Comments are closed.