ଆନିମେସନ୍ ଷ୍ଟୁଡିଓରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ; ୩୩ମୃତ, ୩୫ଗୁରୁତର
କ୍ୟୋଟୋ : ଜାପାନର ୟୋଟୋଠାରେ ଥିବା ଏକ ଆନିମେସନ୍ ଷ୍ଟୁଡିଓରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୩୩ଜଣ ପ୍ରାଣ ହରାଇଛନ୍ତି ଓ ୩୫ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଦୁର୍ଘଟଣା ସମୟରେ ଷ୍ଟୁଡିଓରେ ପ୍ରାୟ ୭୦ ଜଣ ଥିଲେ। ଶ୍ବାସରୁଦ୍ଧ ହୋଇ ଓ ପୋଡ଼ିଯାଇ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ। ଜଣେ ୪୧ବର୍ଷୀୟ ବ୍ୟକ୍ତି ଷ୍ଟୁଡିଓରେ କୌଣସି କାରଣରୁ ପେଟ୍ରୋଲ ଭଳି ସାମଗ୍ରୀ ଢ଼ାଳି ନିଆଁ ଲଗାଇ ଦେବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା ଚଳାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଷ୍ଟୁଡିଓ କୋଠାରେ ପ୍ରଥମେ ବିସ୍ଫୋରଣ ଶବ୍ଦ ହୋଇଥିଲା ଓ ପରେ ସେଥିରୁ ଧୂଆଁ ବାହାରିଥିଲା। ନିଆଁକୁ ନିୟନ୍ତ୍ରଣ କରିବାରେ ୪୮ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ ମଧ୍ୟ ଏଥିପାଇଁ ଦୀର୍ଘ ସମୟ ଲାଗିଥିଲା। ଏହି ଆନିମେସନ ଷ୍ଟୁଡଓ କ୍ୟୋଟୋର ଉଜି ସହରରେ ୧୯୮୧ରେ ପ୍ରତିଷ୍ଠା ହୋଇଥିଲା। ଏଠାରେ ଆନିମେସନ୍ ଫିଲ୍ମ, କମିକ୍ସ, ଉପନ୍ୟାସ ଓ ପୁସ୍ତକ ପ୍ରସ୍ତୁତ ହେଉଥିଲା।
Comments are closed.