ବରଗଡ଼ ଜିଲାରେ କମ୍‌ ବର୍ଷା : ୬୦% ଜମି ପଡ଼ିଆ

0

ବରଗଡ଼ : ଆଷାଢ଼ ମାସ ସରିଲା, ଆଜି ପୂର୍ଣ୍ଣିମା। ବର୍ଷା ଋତୁର ପ୍ରଥମ ମାସ ଶେଷ ହୋଇଥିଲେ ସୁଦ୍ଧା ବରଗଡ଼ ଜିଲାରେ ବର୍ଷାର ନାଁ ନାହିଁ। ଏ ପର୍ଯ୍ୟନ୍ତ ବରଗଡ଼ ବ୍ଲକରେ ୨୪୫ ମିଲିମିଟର, ବରପାଲିରେ ୨୫୩ ମିଲିମିଟର, ଭେଡ଼େନରେ ୧୯୨ ମିଲିମିଟର, ଭଟଲିରେ ୨୫୦ ମିଲିମିଟର, ଅତାବିରାରେ ୨୨୩ ମିଲିମିଟର, ଅମ୍ବାଭନାରେ ୨୦୭ ମିଲିମିଟର, ପଦ୍ମପୁରରେ ୨୧୯ ମିଲିମିଟର, ପାଇକମାଲରେ ୨୬୫ ମିଲିମିଟର, ଝାରବନ୍ଧରେ ୨୩୧ ମିଲିମିଟର, ସୋହେଲାରେ ୨୧୫ ମିଲିମିଟର, ବିଜେପୁରରେ ୧୭୯ ମିଲିମିଟର ଓ ଗାଇସିଲେଟରେ ୨୩୦ ମିଲିମିଟର ବର୍ଷା ହୋଇଛି। ଆଜି ସୁଦ୍ଧା ଜିଲାର ହାରାହାରି ବୃଷ୍ଟିପାତ ୨୨୬ ମିଲିମିଟର। ଏହି ସମୟରେ ଜିଲାରେ ହାରାହାରି ୩୪୨ ମିଲିମିଟର ବର୍ଷା ହୋଇଥାଏ। ବର୍ଷା ଅଭାବରୁ ଜିଲାରେ ଚାଷ କାର୍ଯ୍ୟ ମଧ୍ୟ ମନ୍ଥର ଗତିରେ ଚାଲୁଛି। ଚଳିତ ବର୍ଷ ୨୪୮୯୪୪ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଏ ପର୍ଯ୍ୟନ୍ତ ମାତ୍ର ୧୦୦୮୨୫ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ଜଣାଯାଏ। ସେହିପରି ୧୭୦୦ ହେକ୍ଟର ଜମିରେ ମକା ଚାଷର ଲକ୍ଷ୍ୟ ରହିଥିବା ବେଳେ ୧୦୩୨ ହେକ୍ଟର ଜମିରେ ମକାଚାଷ ହୋଇଛି। ୩୭୦୨୩ ହେକ୍ଟର ଜମିରେ ଡାଲିଜାତୀୟ ଫସଲ ଚାଷର ଲକ୍ଷ୍ୟ ରହିଥିବା ବେଳେ ମାତ୍ର ୮୩୫୮ ହେକ୍ଟର ଜମିରେ ଚାଷ ହୋଇଛି। ସେହିପରି ୧୪୦୧୫ ହେକ୍ଟର ଜମିରେ ତୈଳବୀଜ ଜାତୀୟ ଫସଳ ଚାଷର ଲକ୍ଷ୍ୟ ରହିଥିବା ବେଳେ ୯୦୨୧ ହେକ୍ଟର ଜମିରେ ଚାଷ ହୋଇଛି।
ଜିିଲାର ୩୯୩୨୦ ହେକ୍ଟର ଜମିରେ ପନି ପରିବା ଚାଷର ଲକ୍ଷ୍ୟ ରହିଥିବା ବେଳେ ମାତ୍ର ୧୦୨୧୮ ହେକ୍ଟର ଜମିରେ ପରିବା ଚାଷ ହୋଇଛି। ୪୫୦ ହେକ୍ଟର ଜମିରେ ଆଖୁ ଚାଷର ଲକ୍ଷ୍ୟ ରହିଥିବା ବେଳେ ମାତ୍ର ୧୦୧ ହେକ୍ଟର ଆଖୁ ଚାଷ ହୋଇଥିବାରୁ ଆଗାମୀ ବର୍ଷ ମଧ୍ୟ ବରଗଡ଼ ସମବାୟ ଚିନି କାରଖାନା ଚାଲି ପାରିବ କି ନାହିଁ ସେ ନେଇ ସଭିଏଁ ସନ୍ଦିହାନ ହୋଇ ପଡ଼ିଛନ୍ତି।
ବରଗଡ଼ ଜିଲାର ହୀରାକୁଦ କମାଣ୍ଡ ଏରିଆର ୮୩୧୬୩ ହେକ୍ଟର ଜମିରେ ବିଭିନ୍ନ ଚାଷ ପାଇଁ ଲକ୍ଷ୍ୟ ରହିଥିଲା। ତନ୍ମଧ୍ୟରୁ ମାତ୍ର ୨୮୫୮ ହେକ୍ଟର ଜମିରେ ଚାଷ ହୋଇଥିବା ଜଣାଯାଏ। ଏହି ଧାରା ଲାଗି ରହିଥିଲେ କୃଷି ଉନ୍ନତ ବରଗଡ଼ ଜିଲାରେ ଆଗାମୀ ଦିନରେ କୃଷି ସଂକଟ ଦେଖାଯିବ।

kalyan agarbati
Leave A Reply