ସିଧୁଙ୍କ ଇସ୍ତଫା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପ୍ରତିକ୍ରିୟା
ଚଣ୍ଡିଗଡ,୧୫ା୭: ପଞ୍ଜାବ ସରକାରରୁ ନବଜୋତ ସିଂହ ସିଧୁ ଇସ୍ତଫା ଦେବା ପ୍ରସଙ୍ଗରେ ସୋମବାର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସିଧୁଙ୍କ ପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ ପୂର୍ବକ ଅମରିନ୍ଦର କହିଛନ୍ତି ଯେ ‘ସେନାମୁଖ୍ୟ ବା ଜେନେରାଲ ଦେଇଥିବା ଏକ କାମକୁ ଜଣେ େସୖନିକ କିପରି ଅଗ୍ରାହ୍ୟ କରିପାରିବ?’ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ସିଧୁ ଯଦି ତାଙ୍କ କାମ କରିବାକୁ ଚାହଁୁ ନାହାନ୍ତି; ତେବେ ମୁଁ କିଛି କରିପାରିବ ନାହିଁ।’ ପଞ୍ଜାବ ପାଇଁ ଶକ୍ତି ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଜୁନରୁ ଅକ୍ଟୋବର କୃଷିକାର୍ଯ୍ୟର ସମୟ। ପଞ୍ଜାବର ୩୦% ଅଞ୍ଚଳରେ ଆବଶ୍ୟକ ମୌସୁମି ବର୍ଷା ହୋଇ ନାହିଁ। ଜଳସେଚନ ପାଇଁ କୃଷକଙ୍କୁ ବିଜୁଳି ଜରୁରୀ ଆବଶ୍ୟକତା ରହିଛି। ଏ ସମୟରେ ଶକ୍ତି ବିଭାଗ ଠିକ୍ରେ କାମ କରିବା ଦରକାର। ଆବଶ୍ୟକ ସମୟରେ ସିଧୁ ନିଜ କର୍ତ୍ତବ୍ୟରୁ ଦୂରେଇ ରହିବା ଠିକ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରବିବାର ସିଧୁ ତାଙ୍କର ଇସ୍ତଫା ପତ୍ରକୁ ଟ୍ବିଟରରେ ସେୟାର କରିଥିଲେ। ଜୁନ ୧୦ରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ସିଧୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। ଇସ୍ତଫା ପତ୍ରକୁ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବାକୁ କହିଥିଲେ। ତେବେ ରବିବାର ସୁଦ୍ଧା ସିଧୁଙ୍କ ଇସ୍ତଫା ପତ୍ର ସେ ପାଇ ନଥିବା ଅମରିନ୍ଦର କହିଛନ୍ତି।
ଅମରିନ୍ଦର ଏବେ ଦିଲ୍ଲୀରେ ଅଛନ୍ତି। ଚଣ୍ଡିଗଡ ଫେରିବା ପରେ ସିଧୁଙ୍କ ଇସ୍ତଫା ସମ୍ପର୍କରେ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଜୁନ୍ ୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ୧୩ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ କରିଥିଲେ। ସିଧୁଙ୍କ ଠାରୁ ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ହଟାଇ ନିଆଯାଇ ଶକ୍ତି ବିଭାଗ ଦିଆଯାଇଥିଲା। ବିଭାଗ ଅଦଳବଦଳ ପରେ ୧୨ ମନ୍ତ୍ରୀ ସେମାନଙ୍କ ନୂଆ ଦାୟିତ୍ବ ଗ୍ରହଣ କରିଥିବାବେଳେ ସିଧୁ ଅସନ୍ତୋଷ ବ୍ୟକ୍ତ କରି ନିଜର ଦାୟିତ୍ବ ଗ୍ରହଣ କରି ନାହାନ୍ତି। ଏପରି କି ରାହୁଲ ଗାନ୍ଧୀଙ୍କୁ ଭେଟି ସିଧୁ ନିଜର ଅସନ୍ତୋଷ ଜଣାଇଥିଲେ।
Comments are closed.