ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା
ଭୁବନେଶ୍ୱର : ରାଜ୍ୟ ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆର୍ଥିକ ସ୍ୱଚ୍ଛଳ ନଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମାସିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ସଂସ୍କୃତି ବିଭାଗ ପକ୍ଷରୁ କିଛି ଦିନ ପୂର୍ବରୁ ଦିଆଯାଇଥିବା ଏହି ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।
ହାତ ଗଣତି କେତେଜଣ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ କେନ୍ଦୁଝରର ପର୍ବତ ମାନବ କୁହାଯାଉଥିବା ଦୈତାରୀ ନାୟକ ଯିଏକି ତିନି କିଲୋମିଟର ପାହାଡ କାଟି ଚାଷ ଜମିକୁ ଜଳସେଚନ କରି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେହିପରି ଦେଶୀ ଧାନ ବିହନକୁ ସଂରକ୍ଷଣ କରିବା ସହ ପାରମ୍ପରିକ ଚାଷ ଛାଡି ଜୈବିକ ଉପାୟରେ ଚାଷ ପ୍ରଣାଳୀ ପ୍ରସ୍ତୁତ କରିଥିବା କୋରାପୁଟର ପଦ୍ମଶ୍ରୀ କମଳା ପୂଜାରୀ, ପ୍ରଖ୍ୟାତ ସମ୍ବଲପୁରୀ ଗାୟକ ତଥା ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ରୀୟ ହରିପାଲ, ଲୋକକବି ହଳଧର ନାଗ୍ ଏମିତି ଅନେକ ବ୍ୟକ୍ତିତ୍ୱ ଯେଉଁମାନେ ସମାଜସେବା କ୍ଷେତ୍ରରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ସମ୍ମାନ ସୂଚକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ କିନ୍ତୁ ସେମାନେ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା।
ତେବେ ଗଣମାଧ୍ୟମରେ ଏସଂକ୍ରାନ୍ତୀୟ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସହାୟତା ରାଶି ପୂର୍ବକ ଆର୍ଥିକ ସ୍ବଚ୍ଛଳ ନଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମାସିକ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଏଯାବତ ୮୪ଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତଙ୍କ ମଧ୍ୟରୁ ୪୫ଜଣଙ୍କ ଦେହାନ୍ତ ହୋଇସାରିଥିବା ବେଳେ ଅବଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ତେଣୁ ରାଜ୍ୟ ସରକାର ଘୋଷଣା କରିଥିବା ସହାୟତା ରାଶି ସେହି ମହାନ ବ୍ୟକ୍ତି ବିଶେଷଙ୍କ ଦୈନନ୍ଦିନ ଜୀବନ ଜୀବିକା ପାଇଁ ସହାୟକ ହେବ ବୋଲି ଆଶା କରାଯାଏ।
Comments are closed.