ଆଉ ୧୦ ବର୍ଷ, ଶବ୍ଦଠାରୁ ୭ ଗୁଣା ଅଧିକ ବେଗରେ ଗତିକରିବ ବ୍ରହ୍ମୋସ କ୍ଷେପଣାସ୍ତ୍ର!
ମୁମ୍ବଇ : ବିଶ୍ୱର ସବୁଠୁ ଦ୍ରୁତ ଗତିର କ୍ରୁଜ୍ ଗାଇଡେଡ କ୍ଷେପଣାସ୍ତ୍ର ବ୍ରହ୍ମୋସ ଆସନ୍ତା ଦଶନ୍ଧିରେ ହାଇପରସୋନିକ କ୍ଷମତା ହାସଲ କରିବାକୁ ଯାଉଛି । ଭାରତ ଓ ରୁଷର ମିଳିତ ଉଦ୍ୟମରେ ବିକଶିତ ହେବାକୁ ଯାଉଥିବା ବ୍ରହ୍ମୋସ ମେକ୍-୭ ହାଇପରସୋନିକ କ୍ଷେପଣାସ୍ତ୍ର ଶବ୍ଦଠାରୁ ୭ ଗୁଣ ଅଧିକ ବେଗରେ ଗତି କରିବ ବୋଲି ବ୍ରହ୍ମୋସ ଏରୋସ୍ପେସର ପରିଚାଳନା ନିର୍ଦେଶକ ସୁଧିର ମିଶ୍ର କହିଛନ୍ତି । ସୁଧିରଙ୍କ କହିବାଅନୁସାରେ ଏବେକାର ବ୍ରହ୍ମୋସ କ୍ଷେପଣାସ୍ତ୍ର ଶବ୍ଦଠାରୁ ୨.୮ ଗୁଣ ବେଗରେ ଗତିକରୁଛି । ଖୁବଶୀଘ୍ର ଏହା ୩.୫ ଗୁଣ ଛୁଇଁବ ଓ ଆସନ୍ତା ୩ ବର୍ଷ ମଧ୍ୟରେ ଏହା ଶବ୍ଦ ବା ଧ୍ୱନିଠାରୁ ୫ ଗୁଣ ଅଧିକ ବେଗରେ ଗତିକରିବାର କ୍ଷମତା ହାସଲ କରିବ । ହାଇପରସୋନିକ ବେଗ ହାସଲ କରିବାକୁ ବ୍ରହ୍ମୋସର ଇଞ୍ଜିନକୁ ବଦଳାଯିବ ଓ ଆଉ ଏଥିପାଇଁ ଆଉ ୭ରୁ ୧୦ ବର୍ଷ ଲାଗିବ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ), ଭାରତୀୟ ସୂଚନା ଓ ବୈଷୟିକ ସଂସ୍ଥାନ (ଆଇଆଇଟି) ଏବଂ ଭାରତୀୟ ବିଜ୍ଞାନ ସଂସ୍ଥାନ ଓ ରୁଷର କେତେକ ଉଚ୍ଚ ଶିକ୍ଷାନୁଷ୍ଠାନ ଏହି କ୍ଷେପଣାସ୍ତ୍ର ବିକାଶ ଉପରେ କାର୍ଯ୍ୟ କରୁଛନ୍ତି । ମିଳିତ ଉଦ୍ୟମରେ ବିକଶିତ ହେଉଥିବା ଏହି କ୍ଷେପଣାସ୍ତ୍ର ପ୍ରକଳ୍ପରେ ଡିଆଡିଓର ୫୫% ଅଂଶଧନ ଓ ବାକି ଅଂଶଧନ ରୁଷର ରହିଛି । ଏହି ଜଏଣ୍ଟ ଭେନଚର ବା ମିଳିତ ଉଦ୍ୟମ କମ୍ପାନୀ ନିକଟରେ ବର୍ତ୍ତମାନ ୩୦ ହଜାର କୋଟି ଟଙ୍କାର କ୍ଷେପଣାସ୍ତ୍ର ଯୋଗାଇ ଦେବା ପାଇଁ ବରାଦ ଆସିଛି । ଏହି କ୍ଷେପଣାସ୍ତ୍ରକୁ ଜାହାଜ, ବୁଡ଼ାଜାହାଜ, ସୁଖୋଇ-୩୦ ବିମାନ ସହ ଭୂପୃଷ୍ଠରୁ ନିକ୍ଷେପ କରିହେବ । ଆମେରିକା ସମେତ ଅନ୍ୟ କୌଣସି ଦେଶ ପାଖରେ ଏଭଳି କ୍ଷେପଣାସ୍ତ୍ର ନାହିଁ । ଉଲ୍ଲେଖ ଯେ ବ୍ରହ୍ମୋସ କ୍ରୁଜ୍ ଗାଇଡେଡ୍ ଏକ କମ୍ପୁଟର ନିର୍ଦେଶିତ ମଧ୍ୟମ ଉଡାଣର କ୍ଷେପଣାସ୍ତ୍ର ।