ଭଗବାନ ରାମ ଏବଂ କୃଷ୍ଣ ମଧ୍ୟ ରାଜନୀତି କରୁଥିଲେ : ରାଜନାଥ

0

ଲକ୍ଷ୍ନୌ : ଭଗବାନ ରାମ ଏବଂ କୃଷ୍ଣ ରାଜନୀତି କରୁଥିଲେ ବୋଲି ମନ୍ତବ୍ୟ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଚର୍ଚ୍ଚାକୁ ଆସିଛନ୍ତି । ଶନିବାର ଲକ୍ଷ୍ନୌଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ରାଜନାଥ ଏହି ମନ୍ତବ୍ୟ ଦେଇଛନ୍ତି । ରାଜନାଥ ନିଜ ଭାଷଣରେ କହିଥିଲେ ଯେ ଦେଶରେ ସ୍ୱାଧୀନତା ପୂର୍ବରୁ ବି ରାଜନୀତି ହେଉଥିଲା । ଭଗବାନ ରାମ ଏବଂ ଶ୍ରୀକୃଷ୍ଣ, ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦ, ଭଗତ ସିଂହ, ଗାନ୍ଧି ଏବଂ ସୁବାସ ଚନ୍ଦ୍ର ବୋଷ ମଧ୍ୟ ରାଜନୀତି କରୁଥିଲେ । ରାଜନୀତି ରାମଙ୍କ ପାଖରେ ଭକ୍ତି, କୃଷ୍ଣଙ୍କ ପାଖରେ ଯୁକ୍ତି, ଗାନ୍ଧି ଏବଂ ସୁବାସଙ୍କ ହାତରେ ଶକ୍ତି, ଆଜାଦ ଏବଂ ଆଶଫାକଉଲ୍ଲାଙ୍କ ହାତରେ ମୁକ୍ତିର ମାଧ୍ୟମ ହୋଇଥିଲା। ରାଜନୀତି ଦୁର୍ନୀତିଗ୍ରସ୍ତ ନେତାଙ୍କ ହାତରେ ସମ୍ପତ୍ତି ଓ ଅରାଜକତତ୍ତ୍ୱଙ୍କ ହାତରେ ବିପତ୍ତିରେ ପରିଣତ ହୋଇଯାଏ । ରାଜନୀତି ଯେଭଳି ଲୋକଙ୍କ ହାତକୁ ଯାଏ ସେଭଳି ଢାଞ୍ଚାରେ ପରିଣତ ହୋଇଥାଏ । ରାମଙ୍କ ରାଜନୀତିରେ ଉଦ୍ଦେଶ୍ୟ ‘ରାମ ରାଜ୍ୟ’ ପ୍ରତିଷ୍ଠା କରିବା ଥିଲା । ଏହାସହ ରାଜନାଥ ଦେଶର ପ୍ରଥମ ପ୍ରେରଣାଦାୟୀ ଯୁବ ପ୍ରତିଭା ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଏବେ ଦେଶରେ ପାଖାପାଖି ୮୦ କୋଟି ଯୁବକ ଅଛନ୍ତି । ଦେଶ ଜନସଂଖ୍ୟାର ଅଧାରୁ ଅଧିକ ଲୋକ ଯୁବକ । ଯୁବକମାନେ ଚରିତ୍ର, ମୂଲ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ଆଗକୁ ବଢାଇବା ପାଇଁ କାର୍ଯ୍ୟ କଲେ ଭାରତ ବିଶ୍ୱର ଗୁରୁ ହୋଇପାରିବ । ଉଲ୍ଲେଖ ଯେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାଙ୍କୁ ବିବାଦୀୟ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ମଧ୍ୟ ବିଜେପି ନେତାମାନେ ବିବଦାଦୀୟ ମନ୍ତବ୍ୟ ଦେଉଛନ୍ତି । ରାଜନାଥ ସିଂହଙ୍କ ପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଦୁଇ ଥର ବିବାଦୀୟ ମନ୍ତବ୍ୟ ଦେଇ ସାରିଛନ୍ତି । ମହାଭାରତ ଯୁଗରେ ଇଣ୍ଟରନେଟ ଏବଂ ସାଟେଲାଇଟ ଥିଲା ବୋଲି ବିପ୍ଳବ ଦେବ ଦାବି କରିଥିଲେ । ଏହା ପୂର୍ବରେ ବିଶ୍ୱ ସୁନ୍ଦରୀ ଡାଇନା ହେଡନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସାମାଜିକ ଗଣମାଧ୍ୟରେ ବିପ୍ଳବ ଦେବଙ୍କୁ କଡ଼ା ସମାଲୋଚନା କରାଯାଇଥିଲା ।

Leave A Reply