www.samajalive.in
Wednesday, December 10, 2025
16.1 C
Bhubaneswar

ବଲାଙ୍ଗୀର ଜିଲାର ପ୍ରଥମ ମହିଳା ମନ୍ତ୍ରୀ ଟୁକୁନୀ

ଟିଟିଲାଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳିରେ ବୁଧବାର ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ କ୍ୟାବିନେଟ ମନ୍ତ୍ରୀ ଭାବରେ ସାମିଲ ହୋଇ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଟୁକୁନୀ ରାଜ୍ୟ ମନ୍ତ୍ରିମଣ୍ଡଳରେ ବଲାଙ୍ଗୀର ଜିଲାର ପ୍ରଥମ ମହିଳା ମନ୍ତ୍ରୀ ଭାବରେ ସ୍ଥାନ ପାଇଛନ୍ତି। ପୂର୍ବରୁ ୨୦୧୪ରେ ଟିଟିଲାଗଡ ବିଧାୟିକ ଭାବରେ ନିର୍ବାଚିତ ହୋଇ ଟୁକୁନୀ ବଲାଙ୍ଗୀର ଜିଲାରେ ପ୍ରଥମ ମହିଳା ବିଧାୟିକା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। କ୍ରମାଗତ ଭାବରେ ୨୦୧୯ରେ ଟିଟିଲାଗଡ ଆସନରୁ ଟୁକୁନୀ ପ୍ରଥମ ମହିଳା ଭାବରେ ଶାସକ ଦଳରୁ ଦ୍ୱିତୀୟ ଥର ନିର୍ବାଚିତ ହୋଇ ଅନ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୧୯ ନିର୍ବାଚନରେ ଟୁକୁନୀ ୨୦୧୪ ତୁଳନାରେ ଅଧିକ ସଂଖ୍ୟକ ଭୋଟରେ ଜିଣି ତାଙ୍କ ସପକ୍ଷରେ ଜନ ସମର୍ଥନ ଥିବା ପ୍ରମାଣିତ କରିଛନ୍ତି। ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇବାରେ ଟୁକୁନୀ ହେଉଛନ୍ତି ବଲାଙ୍ଗୀର ଜିଲାରୁ ଅଷ୍ଟମ। ପୂର୍ବରୁ ବଲାଙ୍ଗୀର ଜିଲାରୁ ରାଜେନ୍ଦ୍ର ନାରାୟଣ ସିଂଦେଓ, ଡା. ରାମପ୍ରସାଦ ମିଶ୍ର, ଅଇଁଠୁ ସାହୁ, ଅନଙ୍ଗ ଉଦୟ ସିଂଦେଓ, ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂଦେଓ, ଯୋଗେନ୍ଦ୍ର ବେହେରା ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଅପରପଟରେ ଦୀର୍ଘ ୩୯ ବର୍ଷ ପରେ ଟିଟିଲାଗଡ ନିର୍ବାଚନ ମଣ୍ଡଳି ମନ୍ତ୍ରୀ ପଦ ଫେରିପାଇଛି। ୧୯୮୦ରେ ଟିଟିଲାଗଡ଼ ବିଧାୟକ ଲଲିତ ମୋହନ ଗାନ୍ଧୀ ଜାନକି ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବରେ ସ୍ଥାନ ପାଇଥିଲେ। ଚଳିତ ଥର ବଲାଙ୍ଗୀର ଜିଲାର ୫ଟି ବିଧାନସଭା ଆସନ ମଧ୍ୟରୁ ୪ଟିରେ ଶାସକ ଦଳ ନୁଆ ଚେହେରାଙ୍କୁ ସୁଯୋଗ ଦେଇଥିବା ବେଳେ ସେ ମଧ୍ୟରୁ କେବଳ ପାଟଣାଗଡ଼ରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଟୁକୁନୀଙ୍କ ଉପରେ ଦଳ ପୁନର୍ବାର ଆସ୍ଥା ପ୍ରକଟ ସହ ଟିକଟ ପ୍ରଦାନ କରିଥିବା ବେଳେ ସେ ବିଜୟୀ ହୋଇଛନ୍ତି।
ଏପରିପ୍ରେକ୍ଷୀରେ ଟୁକୁନୀଙ୍କ ବରିଷ୍ଠତା, ଦଳ ପ୍ରତି ଆନୁଗତ୍ୟତା, ସାଙ୍ଗଠାନିକ ଦକ୍ଷତା ତଥା ଜଣେ ମହିଳା ବିଧାୟିକା ଭାବରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିବା ଆଲୋଚନା ହୋଇଛି। ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଆଲୋଇ ଗ୍ରାମରେ ପିତା ସ୍ୱର୍ଗତ ମାଧବଚନ୍ଦ୍ର ସାହୁ, ମାତା ନିଶାମଣୀ ସାହୁଙ୍କ ଔରସରୁ ୧୩.୩.୭୬ରେ ଜନ୍ମ ଗ୍ରହଣ କରିଥିବା ଟୁକୁନୀ କେନ୍ଦ୍ରାପଡା ଜିଲା ମାର୍ଶାଘାଇରେ ସ୍କୁଲ ତଥା କଲେଜ ଶିକ୍ଷା ସମାପ୍ତ କରିଥିଲେ। ଘରେ ୩ ଭଉଣୀ ଏବଂ ଭାଇଙ୍କ ମଧ୍ୟରେୁ ଟୁକୁନୀ ହେଉଛନ୍ତି ତୃତୀୟ ସନ୍ତାନ। ୨୦୦୨ରେ ଟିଟିଲାଗଡ଼ର ଅଭିମନ୍ୟୁ ସାହୁଙ୍କ ହାତ ଧରି ବୋହୁ ହୋଇ ଆସିଥିଲେ। ଅଭିମନ୍ୟୁ ନିଜ ପରାକାଷ୍ଠା, ସାଙ୍ଗଠାନିକ କ୍ଷମତା ବଳରେ ଶାସକ ଦଳର ଜଣେ ଦୃଢ ସଂଗଠକ ଭାବରେ ଛିଡା ହୋଇ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଗ୍ରହଣୀୟ ହୋଇଥିଲେ। ଦଳର ରାଜ୍ୟ ଯୁବ ସମ୍ପାଦକ ପଦରେ ରହି କାର୍ଯ୍ୟ ଦକ୍ଷତା ନେଇ ଦଳୀୟ ହାଇକମାଣ୍ଡଙ୍କ ପ୍ରୀୟ ପାତ୍ର ହୋଇଥିଲେ। ୨୦୧୩ ଡିସେମ୍ବର ୧୫ ତାରିଖ ଭୋରରେ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଛପି ରହିଥିବା ଆତତାୟୀଙ୍କ ଆକ୍ରମଣରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଡିସନ୍ଧି ମୁହୁର୍ତ୍ତରେ ଟୁକୁନୀଙ୍କୁ ଦଳ ୨୦୧୪ ନିର୍ବାଚନରେ ଟିଟିଲାଗଡ଼ରୁ ପ୍ରାର୍ଥୀ ଘୋଷଣା କରିଥିଲା। ଗୃହିଣୀରୁ ରାଜନେତା ପାଲଟିଥିବା ଟୁକୁନୀ ସ୍ୱାମୀ ଅଭିମନ୍ୟୁଙ୍କ ବିଶାଳ ସଙ୍ଗଠନ ତଥା ନବୀନଙ୍କ ଆଶୀର୍ବାଦକୁ ପାଥେୟ କରି ନିର୍ବାଚନକୁ ଓହ୍ଲାଇଥିବା ବେଳେ ୧୪ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିଲେ। ସେ ସମୟରେ ସ୍ୱାମୀଙ୍କ ହତ୍ୟା ନେଇ ସହାନୁଭୂତି ଲହର ନେଇ ଟୁକୁନୀ ନିର୍ବାଚନ ବୈତରଣୀ ପାରି ହୋଇଥିବା ଆଲୋଚନା ହୋଇଥିଲା। ପରବର୍ତ୍ତି ପର୍ଯ୍ୟାୟରେ ଟିଟିଲାଗଡ ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟକ୍ରମ ଜରିଆରେ ଟୁକୁନୀ ସାଧାରଣ ଜନତାଙ୍କ ନିକଟତର ହୋଇଥିଲେ। ସ୍ୱାମୀଙ୍କ ସଙ୍ଗଠନ, ଦଳୀୟ ହାଇକମାଣ୍ଡଙ୍କ ଆସ୍ଥା ତଥା ତାଙ୍କ କାର୍ଯ୍ୟ ଦକ୍ଷତା ନେଇ ଚଳିତ ୨୦୧୯ ନିର୍ବାଚନରେ ପୁଣି ଥରେ ୯ ହଜାରରୁ ଊର୍ଦ୍ଧ୍ବ ଭୋଟରେ ଟୁକୁନୀ ବିଜୟୀ ହୋଇଛନ୍ତି। ଏନେଇ ଟୁକୁନୀଙ୍କୁ ରାଜ୍ୟ କ୍ୟାବିନେଟରେ ସ୍ଥାନ ମିଳିବା ସହ ମହିଳା ଓ ଶିଶୁ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯାଇଛି। ଟୁକୁନୀଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ବାତାବରଣ ଖେଲିଯାଇଛି। ଏନେଇ ଟିଟିଲାଗଡ ଅଞ୍ଚଳରେ ବିକାଶଧାରାରେ ତୀବ୍ରତା ଆସିବ ବୋଲି ଜନମାନସରେ ଆସ୍ଥା ସୃଷ୍ଟି କରିଛି। ରାଜଧାନୀରେ ଟୁକୁନୀଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ଦୁଇ ଝିଅଙ୍କ ସମେତ ସମସ୍ତ ପରିବାରବର୍ଗ, ଟିଟିଲାଗଡ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଉପାଧ୍ୟକ୍ଷା ଅଞ୍ଜନା ବର୍ମା, ଉମାଦେବୀ ଅଗ୍ରୱାଲ, ବରିଷ୍ଠ ନେତା ପ୍ରେମ ଜୈନ, ଲାଲା ବର୍ମା, ଆଶିଷ ବେହେରା, ରଣଜିତ ପୃଷ୍ଟି, ଶମ୍ଭୁପ୍ରସାଦ ସାହୁ, ଦିଲୀପ ବାଗ, ଦୀପକ ମିଶ୍ର, ଅରୁଣ ମିଶ୍ର, ରୁଟୁ ବାଗ, ଅରୁଣ ବାଗ, ପୁଷୁ ଜୈନ, ଯୁଧିଷ୍ଠିର ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ସୁନିଲ ସାହୁ, ରାଜକିଶୋର ଡାଙ୍ଗ, ଅଶୋକ ପାଢୀ ପ୍ରମୁଖ ଶତାଧିକ ନେତାକର୍ମୀ ରାଜଧାନୀ ପହଞ୍ଚି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ସହ ଟୁକୁନୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories