ମଧ୍ୟପ୍ରଦେଶ ଭୋଟର ତାଲିକାରେ ୫,୫୩୭ ମୃତ ଭୋଟର

0

ଭୋପାଳ: ମଧ୍ୟପ୍ରଦେଶ ଭୋଟର ତାଲିକାରେ ବ୍ୟାପକ ଅନିୟମିତତା ପଦାକୁ ଆସିଛି। ମୃତୁ୍ୟ ପରେ ମଧ୍ୟ ପ୍ରାୟ ୫,୫୩୭ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡିନାହିଁ। ଅନ୍ୟପଟେ ୧,୯୧୮ ଜଣ ଭୋଟରଙ୍କ ନାମ ଏକାଧିକ ଭୋଟର ତାଲିକାରେ ସାମିଲ କରାଯାଇଛି। ଶିବପୁରି ଜିଲାର କୋଲାରାସ ନିର୍ବାଚନମଣ୍ଡଳୀ ଭୋଟର ତାଲିକାରେ ଏଭଳି ତ୍ରୁଟି ରହିଛି। ରାଜ୍ୟ ନିର୍ବାଚନ ଆୟୋଗ ଏ ବିଷୟରେ ଚିଠି ଲେଖି କେନ୍ଦ୍ର ନିର୍ବାଚନ ଆୟୋଗ(ଇସି)ଙ୍କୁ ଅବଗତ କରିଛନ୍ତି। ଦୁର୍ନୀତି ବିରୋଧୀ କର୍ମୀ ଅଜୟ ଦୁବେ ସୂଚନା ଅଧିକାର ଆଇନ ବଳରେ ଚିଠିର ଏକ ନକଲ ପାଇବା ପରେ ଏହି ଅନିୟମିତତା ଲୋକଲୋଚନକୁ ଆସିପାରିଛି। ଏଭଳି ତ୍ରୁଟି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସେଲିନା ସିଂହ ଜିଲାପାଳ ଏବଂ ଜିଲାସ୍ତରୀୟ ନିର୍ବାଚନ ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି। ରାଜ୍ୟରେ ଗତ ଫେବୃଆରୀରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପନିର୍ବାଚନ ପାଇଁ ଉଦ୍ଦିଷ୍ଟ ଭୋଟର ତାଲିକାରେ ଏହି ଅନିୟମିତତା ଥିବାବେଳେ ଇଲେକ୍ଟୋରାଲ ପଞ୍ଜୀକରଣ ଅଧିକାରୀ ଏବଂ ଜିଲା ନିର୍ବାଚନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ନ ଥିବା କୁହାଯାଇଛି। ଶିବପୁରି ଜିଲାପାଳଙ୍କ ବିରୋଧରେ ଦୁବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୮୨,୫୧୫ଟି ଏବଂ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ଜୈନ୍‌ ୭୪,୪୩୨ଟି ଭୋଟ୍‌ ପାଇଥିଲେ।

Leave A Reply