ଶିକ୍ଷକ ଆନ୍ଦୋଳନ ସ୍ଥଗିତ

0

-ତିନି ମାସ ମଧ୍ୟରେ ପୂରଣ ହେବ ଦାବି, -ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବନି

ଭୁବନେଶ୍ୱର  : ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ/ଅଧ୍ୟାପକ ମିଳିତ ମଞ୍ଚ ଓ ସରକାରଙ୍କ ସହିତ ଆଲୋଚନା ପରେ ଦୀର୍ଘ ତିନି ମାସ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ବକେୟା ପାଉଣାକୁ ବାଦ୍‍ ଦେଇ ଆଜିଠାରୁ ଲାଗୁ ହୋଇଥିବା ରାଜ୍ୟ ଦରମା ହାର, ବର୍ଦ୍ଧିତ ଭତ୍ତା, ବଦଳି ସୁବିଧା, ୨୦୦୫ ପୂର୍ବରୁ ପୁରୁଣା ପେନ୍‍ସନ୍‍ ଓ ଏହାପରେ ନୂଆ ପେନ୍‍ସନ୍‍, ଅବସରକାଳୀନ ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ଚାକିରି ପ୍ରତ୍ୟାହାରକୁ ପୁନଃପ୍ରଚଳନ ପାଇଁ ବିଜ୍ଞପ୍ତି ପ୍ରକାଶ, ସପ୍ତମ ବେତନ କମିଶନଙ୍କ ସୁପାରିସ ଅନୁଯାୟୀ ଦରମା, ୨୦୧୬ ଆନ୍ଦୋଳନ ସମୟରେ ବନ୍ଦ ଥିବା ଦରମା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏସବୁ ଦାବିଗୁଡ଼ିକ ଜୁଲାଇ ୧୮ସୁଦ୍ଧା ପୂରଣ କରାଯିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ଗୋଲକ ନାୟନ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଦାବି ପୂରଣ ପାଇଁ ୩ ମାସ ସମୟ ମଗାଯାଇଛି। ମିଳିତ ମଞ୍ଚର ଦାବି ପୂରଣ ପାଇଁ ସରକାରଙ୍କୁ ୬୧୪କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ।
ତେବେ ଏଥିପାଇଁ ମିଳିତ ମଞ୍ଚ ପକ୍ଷରୁ କୋର୍ଟରେ ଦାଏର କରାଯାଇଥିବା ପ୍ରାୟ ୫୦୦୦ ମାମଲା ପ୍ରତ୍ୟାହାର କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ମିଳିତ ମଞ୍ଚ ଏସବୁ ମାମଲା ପ୍ରତ୍ୟାହାର
ନ କଲେ ସରକାରଙ୍କୁ ପ୍ରାୟ ୧୦ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି ଶ୍ରୀ ନାୟକ କହିଛନ୍ତି।
ମିଳିତ ମଞ୍ଚର ନେତୃମଣ୍ଡଳୀ ସରକାରଙ୍କ ପ୍ରସ୍ତାବରେ ରାଜି ହେବା ସହିତ ନିର୍ଦ୍ଧାରିତ ଅବଧି ମଧ୍ୟରେ ଏହି ସମସ୍ୟାର ସଠିକ୍‍ ସମାଧାନ ନକଲେ ନ୍ୟାଯ୍ୟ ଦାବି ହାସଲ ପାଇଁ ମିଳିତ ମଞ୍ଚ ପକ୍ଷରୁ ପୁଣିଥରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଗୁରୁବାର ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଉନ୍ନୟନ କମିଶନର ଆର୍‍.ବାଲ୍‍କ୍ରିଷ୍ଣନ୍‍, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଜିଭିଭି ଶର୍ମା ଓ ଅର୍ଥ ସଚିବ ତୁହିନ୍‍କାନ୍ତ ପଣ୍ଡା ଯୋଗଦେଇଥିଲେ। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି, ବିଧାୟକ ଅରୁଣ ସାହୁଙ୍କ ସମେତ ୧୦ଜଣ ପ୍ରତିନିଧି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୈଠକ ପରେ ଉଚ୍ଚଶିକ୍ଷା ଅତିରିକ୍ତ ମୁଖ୍ୟ ସଚିବ ଜିଭିଭି ଶର୍ମା କହିଛନ୍ତି ଯେ ସ୍କୁଲକଲେଜ ଶିକ୍ଷକ ମିଳିତ ମଞ୍ଚର ଦାବିଗୁଡ଼ିକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି। ଯୁକ୍ତ ଦୁଇ ଖାତା ଦେଖୁନଥିବା କୌଣସି ଅଧ୍ୟାପକଙ୍କୁ ନିଲମ୍ବନ କରାଯାଇ ନାହିଁ। ସେମାନଙ୍କ ନିକଟକୁ ନିଲମ୍ବନ ଲାଗି ଚିଠି ପଠାଯାଇଛି। ସରକାର ଜାରି କରିଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବେ ନାହିଁ। ତେବେ ଯେଉଁମାନଙ୍କ ନିକଟକୁ ନିଲମ୍ବନ ପାଇଁ ଚିଠି ଯାଇଛି ସେମାନଙ୍କୁ ତାହାର ଉତ୍ତର ରଖିବାକୁ ପଡ଼ିବ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଯୁକ୍ତ ଦୁଇ ଉତ୍ତରଖାତା ଦେଖା ସୁରୁଖୁରୁରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ୨୨ ଓ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ୍‍ ୨୮ସୁଦ୍ଧା ଶେଷ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ସରକାରଙ୍କ ନିର୍ଦେଶ ଅନୁଯାରେ ଏହି ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ଲାଗି ପରୀକ୍ଷକ ନିଯୁକ୍ତି କରାଯାଇଛି। ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ହେବାପରେ କ’ଣ ପଦକ୍ଷେପ ନିଆଯିବ ଏବଂ କେଉଁମାନଙ୍କୁ ଯୁକ୍ତ ଦୁଇ ଉତ୍ତରଖାତା ମୂଲ୍ୟାୟନ ପାଇଁ ଡକାଯିବ ସେ ସଂକ୍ରାନ୍ତରେ ସରକାର ନିଷ୍ପତ୍ତି ଗ୍ରହଣ କରିବେ।

Leave A Reply