ଭୋଟ ବର୍ଜନ କଲେ ୪ଗ୍ରାମର ଭୋଟର
କଲମପୁର : କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ତଲଝାପି ପଞ୍ଚାୟତ ଅନ୍ତର୍ଗତ ମସ୍କାଗୁଡା, ଲାଞ୍ଜିଗଡ, ନିକେଶଜୋର ଓ ରାଣୀପଦର ଗ୍ରାମର ଭୋଟର ଗୁରୁବାର ଭୋଟ ବର୍ଜନ କରିଥିବା ଜଣାପଡିଛି।
ସୂଚନା ମୁତାବକ, ଗ୍ରାମବାସୀମାନେ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ। ଏହି ଦାବି ପୂରଣ ନହେଲେ ସାଧାରଣ ନିର୍ବାଚନକୁ ବର୍ଜନ କରିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏହି ଅଭିଯୋଗ ପାଇବା ପରେ ମଧ୍ୟ ସମ୍ପୃକ୍ତ ଗ୍ରାମବାସୀଙ୍କ ସହିତ ଜିଲା ଅଥବା ବ୍ଲକ ପ୍ରଶାସନ ଦାବି ପୂରଣ ନେଇ କୌଣସି ଆଲୋଚନା କରିନଥିଲେ। ଯେଉଁଥିପାଇଁ ଗୁରୁବାର ଅନୁଷ୍ଠିତ ସାଧାରଣ ନିର୍ବାଚନକୁ ସମ୍ପୃକ୍ତ ଗ୍ରାମର ଭୋଟର ମାନେ ବର୍ଜନ କରିଛନ୍ତି। ଯେତେଦିନ ପର୍ଯ୍ୟନ୍ତ କାଠକୁରା ନିକଶଜୋର ରାସ୍ତାର ଇନ୍ଦ୍ରାବତୀ ନଦୀ ତେନ୍ତୁଳିଗଛ ଘାଟ ଠାରେ ପୋଲ ନିର୍ମାଣ ସହିତ ରାସ୍ତା ନିର୍ମାଣ ନହେଇଛି ସେତେଦିନ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିଚାଲିବେ ବୋଲି ୪ଗ୍ରାମର ଗ୍ରାମବାସୀ ସୂଚନା ଦେଇଛନ୍ତି।
ଏହି ଭୋଟ ବର୍ଜନ କାରଣରୁ ମସ୍କାଗୁଡାର ୧୧୬, ଲାଞ୍ଜିଗଡର ୧୩୫, ନିକେଶଜୋରର ୧୮୫ ଓ ରାଣୀପଦରର ୨୨୨ଜଣ ମତଦାତା ସେମାନଙ୍କ ମତଦାନ କେନ୍ଦ୍ରକୁ ଯାଇନଥିଲେ। ଏହାସହ ସେମାନେ ଗ୍ରାମରେ ଏକତ୍ରିତ ହୋଇ ନିଜ ଜିଦରେ ଅଟଳ ରହିଥିଲେ। ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନୁଦାନ ପରେ ଅନୁଦାନ ଯୋଗାଉଥିବା କହୁଛନ୍ତି କିନ୍ତୁ ସେହି ଅନୁଦାନ ଖର୍ଚ୍ଚ ହେଉଛି କେଉଁଠି ? ସ୍ୱାଧିନତାର ଦୀର୍ଘ ୭ ଦଶନ୍ଧି ବିତି ସାରିଥିଲେ ମଧ୍ୟ ଗାଁ ଲୋକଙ୍କ ଯାତାୟତ ପାଇଁ ରାସ୍ତା ଓ ପୋଲର ଅଭାବ ରହିଛି।
Comments are closed.