ଘରୋଇ ଓ ସର୍କାରୀ ଶିକ୍ଷା

ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନ ଗଢ଼ି ଉଠିବା ଏବଂ ବିଦ୍ୟାର୍ଥୀଙ୍କୁ ପ୍ରତିଭା ବିକାଶର ସୁବିଧାସୁଯୋଗ ନେଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ନାମ ଅର୍ଜନ କରିବା ଦୁଇଟି ଭିନ୍ନ କଥା। ଏବେ ସେ ସମୟ ନାହିଁ ଯେଉଁଠି ପିଲାଏ ନିଜର ପ୍ରତିଭାର ଉପଯୋଗ କରି ଶିକ୍ଷାନୁଷ୍ଠାନର ଟେକ ବଢ଼ାଇବେ ଓ ଏହାକୁ ଦେଶ ବିଦେଶରେ ପ୍ରତିଷ୍ଠିତ କରାଇବେ। ନୂଆ ପାଠ୍ୟକ୍ରମ, ଉତ୍ତମ ଅଧ୍ୟୟନ ଓ ଶୈକ୍ଷିକ ପରିବେଶ, ଆନୁଷଙ୍ଗିକ ସୁବିଧାସୁଯୋଗ ଏବେ ପାଠ ପଢ଼ା କ୍ଷେତ୍ରରେ ଏକ ନୂଆ ପ୍ରତୀମାନ ସୃଷ୍ଟି କରିଛି। ଯୁ‌େଗାପଯୋଗୀ ଘରୋଇ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା ହେବା ପରଠାରୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଅବସ୍ଥା ଖରାପ ହୋଇଯାଇଛି। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ସଦ୍ୟ ପ୍ରକାଶିତ ଦେଶର ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ଚାରିଟି କ୍ୟାମ୍ପସ (ଅନୁଷ୍ଠାନ) ଜାତୀୟ ତାଲିକାରେ ସ୍ଥାନପାଇଛି। ସର୍ବାଙ୍ଗୀଣ ତାଲିକାରେ ରାଉରକେଲାର ଏନଆଇଟି ଓ ଭୁବନେଶ୍ବରରର ଆଇଆଇଟି ଯଥାକ୍ରମେ ୩୮ ଓ ୪୬ ସ୍ଥାନରେ ରହିଛିନ୍ତି। ଏହି ଦୁଇଟିଯାକ ସରକାରୀ ଏବଂ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଉଦ୍ଦିଷ୍ଟ। ତେବେ ଏହି ତାଲିକାରେ ଭୁବନେଶ୍ବରର ସୋଆ ୪୧ ଓ କିଟ୍‌ ୫୦ତମ ସ୍ଥାନରେ ଅଛନ୍ତି। ଏ ଦୁଇ ଶିକ୍ଷାନୁଷ୍ଠାନ ଘରୋଇ ଉଦ୍ୟୋଗରେ ପରିଚାଳିତ। ସେଇଭଳି ଭୁବନେଶ୍ବରସ୍ଥିତ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ବର୍ଗର ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବାବେଳେ ରାଜ୍ୟର ସର୍ବପ୍ରଥମ ଓ ପ୍ରତିଷ୍ଠିତ ଉତ୍କଳ ବିଶ୍ବବିଦ୍ୟାଳୟ ଏହାଠାରୁ ନିମ୍ନରେ ରହିବା ବାସ୍ତବିକ ଦୁଃଖଦାୟକ।
ମେଡ଼ିକାଲ, ଆଇନ, ସ୍ଥାପତ୍ୟ, ମ୍ୟାନେଜମେଣ୍ଟ ଆଦି ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ସୋଆ ଓ କିଟ୍‌ ସେମାନଙ୍କ ସଫଳତା ଜାରିରଖି ତାଲିକାଭୁକ୍ତ ହେବା ଘଟଣା ସ୍ପଷ୍ଟ କରୁଛି ଯେ ଏସବୁ ଘରୋଇ ଶିକ୍ଷାନୁଷ୍ଠାନ ଉତ୍କୃଷ୍ଟ ଶିକ୍ଷାଦାନ ନିମନ୍ତେ ପ୍ରତିବଦ୍ଧ। ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ବିଭିନ୍ନ ସୁବିଧାସୁଯୋଗ, ପାଠ୍ୟକ୍ରମ, ଶୈକ୍ଷିକ ବାତାବରଣ ଓ ଅନ୍ୟାନ୍ୟ ବିଷୟକୁ ବିଚାରକୁ ନିଆଯାଇଥାଏ ଏବଂ ଏଥିପାଇଁ ଷ୍ଟାଣ୍ଡାର୍ଡ ବା ମାନ ନିର୍ଦ୍ଧାରଣ ହୋଇଥାଏ। ଅତଏବ ତାଲିକାର ବିଶ୍ବସନୀୟତାକୁ ସନ୍ଦେହ କରିବା କଷ୍ଟ। ଏଥିରେ ଧରାଧରି ବା ଅସାଧୁ ଉପାୟ ଅବଲମ୍ବନ ସମ୍ଭାବନା କ୍ଷୀଣ ହୋଇଥିଲେ ହେଁ ହେର୍‌ଫେର୍‌ ସମ୍ଭାବନାକୁ ସଂପୂର୍ଣ୍ଣ ଏଡ଼ାଇବା ସହଜ ନୁହେଁ।
ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ଉଚ୍ଚ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ ସମୂହର ପ୍ରଦର୍ଶନ ଭଲ ନ‘ହେବାର କାରଣ ଅନେକ। କେବଳ ଅର୍ଥ ନୁହେଁ, ପରିଚାଳନାଗତ ସମସ୍ୟା, ରାଜନୀତି, ଉତ୍ତମ ଶିକ୍ଷକ, ଗବେଷକଙ୍କ ଅଭାବ ଓ ଶୈକ୍ଷିକ ପରିବେଶର ଉନ୍ନତି ଆଣିବାରେ ପ୍ରୟାସର ଅଭାବ। ‘ଫଳେନ ପରିଚିୟତେ’ ଭଳି ଏସବୁ ଶିକ୍ଷାନୁଷ୍ଠାନରେ ଦୁର୍ବଳତା ଜଳଜଳ ଦେଖାଦେଉଛି। ସରକାର ଯଦି ବିଚାର କରୁଥାନ୍ତି ଯେ ଉଚ୍ଚ ବୈଷୟିକ ଶିକ୍ଷାକୁ ସଂପୂର୍ଣ୍ଣରୂପେ ଘରୋଇ କ୍ଷେତ୍ରକୁ ଛାଡ଼ି ଦିଆଯାଉ, ତାହା ଏକ ଭୁଲ ନିଷ୍ପତ୍ତି। ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢ଼ିବା ବ୍ୟୟବହୁଳ ଯାହା ସାଧାରଣ ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଆମ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ ଚିନ୍ତା କରିବାର ସମୟ ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏ କ୍ଷେତ୍ରରେ ଏକ ବଡ଼ ଭୂମିକା ରହିଛି।

kalyan agarbati

Comments are closed.